ଡକ୍ଟର ମୃଣାଳ ଚାଟାର୍ଜୀ

ବେଜାନ ଦାରୁୱାଲା ଆଉ ନାହାନ୍ତି। ଯାହାର ଜ୍ୟୋତିଷ ଭବିଷ୍ୟବାଣୀ ସମଗ୍ର ଦେଶରେ ଲକ୍ଷ ଲକ୍ଷ ଲୋକ ଅନୁସରଣ କରିଥିଲେ, ଶୁକ୍ରବାର (ମେ ୨୯) ଅହମ୍ମଦାବାଦର ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଦାରୁୱାଲା ଜଣେ ପେଶାଦାର ଜ୍ୟୋତିଷ ଥିଲେ। ଏହାସହ ଜଣେ ଗଣେଷ ଭକ୍ତ ମଧ୍ୟ। ବିଭିନ୍ନ ଅଗ୍ରଣୀ ଖବରକାଗଜରେ ତାଙ୍କର ଜ୍ୟୋତିଷ ସ୍ତମ୍ଭ ‘ଗଣେଶ ସ୍ପିକ୍‍ସ’ (ଗଣେଶ କହନ୍ତି) ଶୀର୍ଷକରେ ଲେଖୁଥିଲେ।

୧୯୩୬ମସିହାରେ ମୁମ୍ବାଇରେ ଦାରୁୱାଲା ଜନ୍ମଗ୍ରହଣ କରିଥିଲେ। ସେ ଜ୍ୟୋତିଷ କାର୍ଯ୍ୟରେ ପୂରା ସମୟ ଦେବାପୂର୍ବରୁ ଅହମ୍ମଦାବାଦରେ ଇଂରାଜୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ। କୁହାଯାଏ ଯେ, ତାଙ୍କର ଜ୍ୟୋତିଷ ଶାସ୍ତ୍ରରେ ବୈଦିକ ଜ୍ୟୋତିଷ, ପାଶ୍ଚାତ୍ୟ ଜ୍ୟୋତିଷ, ଆଇ-ଚିଂଗ (ଚୀନରେ ଭବିଷ୍ୟ ଜାଣିବାର ଉପାୟ), ଟାରୋଟ ପଠନ (କାର୍ଡ ମାଧ୍ୟମରେ ବର୍ତ୍ତମାନ, ଅତୀତ, ଭବିଷ୍ୟତ ଜାଣିବାର କୌଶଳ), କବାଲାହ (ଗୁପ୍ତ ଭାବେ ଭାଗ୍ୟଫଳ ଜାଣିବାର ଉପାୟ) ଓ ହସ୍ତରେକ୍ଷା ଶାସ୍ତ୍ରର ସମ୍ମିଶ୍ରଣ ଥିଲା।

ଡକ୍ଟର ମୃଣାଳ ଚାଟାର୍ଜୀ।

ମୁଁ ତାଙ୍କର ସାପ୍ତାହିକ ଜ୍ୟୋତିଷ ସ୍ତମ୍ଭର ଏକ ଉତ୍ସାହୀ ପାଠକ ଥିଲି। ରେଭେନ୍ସା କଲେଜ(ବର୍ତ୍ତମାନ ବିଶ୍ୱବିଦ୍ୟାଳୟ), କଟକରେ ମୋର ସ୍ନାତକୋତ୍ତର କରୁଥିବା ସମୟରୁ ପଢ଼ିବା ଆରମ୍ଭ କରିଥିଲି। ନା, ମୁଁ ଜ୍ୟୋତିଷ ଶାସ୍ତ୍ରରେ ବିଶ୍ୱାସ କରେନାହିଁ। ଏହା ଫାଲ୍‌ତୁ ବୋଲି ମୁଁ ବିଶ୍ୱାସ କରେ (ମୁର୍ଖତା-ଶବ୍ଦଟି ଏଠାରେ ବ୍ୟବହାର କରିବା ଠିକ୍‌ ହେବ ନାହିଁ )। କିନ୍ତୁ ଲେଖିବା ପଦ୍ଧତି ପାଇଁ ମୁଁ ତାଙ୍କ ସ୍ତମ୍ଭ (ଏବଂ ଲିଣ୍ଡା ଗୁଡମ୍ୟାନଙ୍କ ପୁସ୍ତକ ସନ୍‍ ସାଇନ୍ସ ଏବଂ ଲଭ୍‍ ସାଇନ୍ସ) ପଢୁଥିଲି। ତାଙ୍କର ଧାଡି଼ଗୁଡି଼କରେ ଏକ ପ୍ରକାର ଶକ୍ତି ଏବଂ ସକରାତ୍ମକତା ଥିଲା। ତାଙ୍କର ଏକ ହାସ୍ୟରସ ଭାବନା ଥିଲା ଯାହା ଆପଣଙ୍କୁ ସୁନ୍ଦର ଅନୁଭବ କରାଉଥିଲା।

ମୁଁ ଭୁଲିଗଲି କିଏ- କିନ୍ତୁ ରେଭେନ୍ସା କଲେଜରେ ଇଂରାଜୀ ସ୍ନାତକୋତ୍ତର ପଢ଼ୁଥିବା ବେଳେ ଆମର ଜଣେ ଶିକ୍ଷକ- ‘ଯଦି ତୁମେ ତୁମର ଇଂରାଜୀ ଲେଖାକୁ ଉନ୍ନତ କରିବାକୁ ଚାହୁଁଛ, ତୁମେ ଗୁଡ୍‍ମ୍ୟାନ ଓ ବେଜାନ ଦାରୁୱାଲାଙ୍କୁ ପଢ଼’ ବୋଲି କହିଥିଲେ। ମୁଁ ପଢ଼ିଲି ଏବଂ ଅଭ୍ୟସ୍ତ ହୋଇଗଲି। ପରବର୍ତ୍ତୀ ୪୦ ବର୍ଷ ପାଇଁ ମୁଁ ତାଙ୍କୁ ପଢିଛି। ପରବର୍ତ୍ତୀସପ୍ତାହ କିମ୍ବା ବର୍ଷରେ ମୋର ଭାଗ୍ୟ କିପରି ହେବ ତାହା ଜାଣିବା ପାଇଁ ନୁହେଁ। ତାଙ୍କର ରାଶି ଚିହ୍ନ-ଜ୍ଞାନର ବାର୍ଷିକ ଭବିଷ୍ୟବାଣୀ ପୁସ୍ତକଗୁଡି଼କ ବହୁତ ଲୋକପ୍ରିୟ।

ମୁଁ ଏହାକୁ ସାଧାରଣତଃ ରେଲୱେ ଷ୍ଟେସନରେ ଠେଲା ବହି ଦୋକାନରୁ ପଢ଼ୁଥିଲି। ମୁଁ ସ୍ୱୀକାର କରୁଛି, ମୁଁ ଗୋଟିଏ ବି ବହି କିଣି ନାହିଁ। ଗଣେଶଙ୍କ ପାଖରେ ମୋ ପାଇଁ କ’ଣ ଅଛି, ତାହା ଜାଣିବା ପାଇଁ ମୋର କୌଣସି ଆଗ୍ରହ ନ ଥିଲା-କିନ୍ତୁ ମୁଁ ତାଙ୍କୁ ତାଙ୍କ ଲୋଭନୀୟ ସ୍ନେହପୂର୍ଣ୍ଣ ଗଦ୍ୟ ପାଇଁ ପଢ଼ୁଥିଲି ଏବଂ ଲେଖା ମାଧ୍ୟମରେ ତାଙ୍କର ସକ।ରାତ୍ମକ ଶକ୍ତିରେ ମୁଗ୍ଧ ହେଉଥିଲି। ଦାରୁୱାଲାଜୀ, ମୁଁ ତୁମକୁ ଏବଂ ତୁମର ସାପ୍ତାହିକ ସ୍ତମ୍ଭକୁ ମନେପକାଇବି।
ମତେ କୁହାଯାଇଛି, ବେଜାନଙ୍କ ପୁଅ ନାସ୍ତୁର ଦାରୁୱାଲା ତାଙ୍କର ଉତ୍ତରାଧିକାରୀ ଭାବେ ଦାୟିତ୍ୱ ତୁଲାଇବେ ଏବଂ ସ୍ତମ୍ଭ ଲେଖିବେ। ଦାରୁୱାଲାଜୀ, ମୁଁ ଆପଣଙ୍କ ପାଇଁ ତାହା ପଢ଼ିବି।

(ଲେଖକ ଜଣେ ସକ୍ରିୟ ସାମ୍ବାଦିକତାରୁ ସାମ୍ବାଦିକ ଶିକ୍ଷକ ଭାବେ କାର୍ଯ୍ୟରତ। ଆଇଆଇଏମ୍‌ସି, ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ। ସେ ଗଳ୍ପ, କବିତା ଏବଂ ଅନୁବାଦ କରନ୍ତି। ତାଙ୍କର ଅନୁଦିତ କବିତା ସଙ୍କଳନ ଆଗାମୀ ଜୁନ ୨୦ତାରିଖରେ ପ୍ରକାଶିତ ହେବ।)

Comment