ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି)ର ୫୬ତମ ପ୍ରତିଷ୍ଠା ଦିବସ ତଥା ଆଇଆଇଏମ୍‍ସି ଢେଙ୍କାନାଳର ୨୮ତମ ପ୍ରତିଷ୍ଠା ଦିବସ ସୋମବାର ଦିନ ପାଳିତ ହୋଇଛି। ଏହି ଅବସରରେ ଏକ ୱେବିନାର ଆୟୋଜନ କରାଯାଇଥିଲା। ଏଥିରେ ତ୍ରିପୁରା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗୀୟ ମୁଖ୍ୟ ପ୍ରଫେସର ଆଦିତ୍ୟ ମହାନ୍ତି ଯୋଗଦେଇ କୌଣସି ବାହ୍ୟ ଶକ୍ତିର ଚାପରେ ପ୍ରଭାବିତ ନହୋଇ ଗଣମାଧ୍ୟମ ସବୁବେଳେ ସମାଜର କଲ୍ୟାଣ ଉଦ୍ଦେଶ୍ୟ ରଖି କାର୍ଯ୍ୟ କରିବା ଦରକାର ବୋଲି କହିଛନ୍ତି।

‘‘ଏକ ସମୃଦ୍ଧ ସମାଜ ଗଠନ ପାଇଁ ଗଣମାଧ୍ୟମର ବେଶ୍‍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସାମାଜିକ ସଂସ୍କାର ଆଣିବା ଦିଗରେ ଗଣମାଧ୍ୟମ ହିଁ କାର୍ଯ୍ୟ କରିଆସୁଛି। ତେବେ ଆଜିକାଲି କିଛି ଗଣମାଧ୍ୟମ ପକ୍ଷପାତିତା କରୁଛନ୍ତି। ରାଜନୈତିକ ଚାପରେ ହେଉ କି କର୍ପୋରେଟ ଚାପ କିମ୍ବା ଧାର୍ମିକ ସମର୍ଥନ ଆଦି ଗଣମାଧ୍ୟମକୁ ପ୍ରଭାବିତ କରୁଛି। ଯାହାଫଳରେ ସାଧାରଣ ଲୋକଙ୍କ ଆସ୍ଥା ଧୀରେଧୀରେ ଗଣମାଧ୍ୟମ ଉପରୁ ତୁଟିବାରେ ଲାଗିଛି। ଏମିତି ଏକ ସ୍ଥିତିରେ ଗଣମାଧ୍ୟମ ନିଜ ଦାୟିତ୍ୱକୁ ଠିକଣା ପ୍ରତିପାଦନ କରିବା ଆବଶ୍ୟକ’’, କହିଛନ୍ତି ଆଦିତ୍ୟ ମହାନ୍ତି।

ପ୍ରାରମ୍ଭିକ ଭାଷଣରେ ଆଇଆଇଏମ୍‍ସିର ମହାନିର୍ଦ୍ଦେଶକ ଡକ୍ଟର ସଞ୍ଜୟ ଦ୍ୱିବେଦୀ କହିଛନ୍ତି ଯେ, ଆଇଆଇଏମ୍‍ସି କେବଳ ଭାରତରେ ନୁହେଁ, ବରଂ ସମଗ୍ର ବିଶ୍ୱରେ ଗଣମାଧ୍ୟମ ଶିକ୍ଷା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ଓ ପରିଚୟ ରଖିଛି। ଏହା ଏମିତି ଏକ କ୍ୟାମ୍ପସ୍‍ ଯେଉଁଠି ଜ୍ଞାନର ଆଲୋଚନା ହୁଏ, ଆଗାମୀ ସମୟର ଚର୍ଚ୍ଚା ହୁଏ। ସେହିପରି ଓଡ଼ିଆ ସାମ୍ବାଦିକତାର ଭୂମିକା ଉପରେ ଆଲୋକପାତ କରି ସେ କହିଛନ୍ତି, ସ୍ୱାଧୀନତା ଆନ୍ଦୋଳନଠାରୁ ଆରମ୍ଭ କରି ସମାଜ ତଥା ରାଷ୍ଟ୍ର ଗଠନରେ ଓଡ଼ିଆ ଗଣମାଧ୍ୟମର ଉଲ୍ଲେଖନୀୟ ଯୋଗଦାନ ରହିଛି। ଏଥିସହିତ ଓଡ଼ିଆ ସାହିତ୍ୟ, ସଂସ୍କୃତି, ଲୋକକଳା ଓ ଲୋକଜୀବନ ବେଶ୍‍ ସମୃଦ୍ଧ।

ଏହି ଅବସରରେ ଆଇଆଇଏମ୍‍ସି ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘କୃଷି ସାମ୍ବାଦିକତା’ ଉନ୍ମୋଚନ କରାଯାଇଥିଲା।

‘‘ଭାରତରେ ଖବରକାଗଜ ଆରମ୍ଭ ହେବା ପରେ କୃଷି ସାମ୍ବାଦିକତାକୁ ଗୁରୁତ୍ୱ ଦିଆଯାଉଥିଲା। ତେବେ କିଛି ବର୍ଷ ହେବ ଏହାକୁ ଟିକିଏ କମ୍‍ ଗୁରୁତ୍ୱ ଦିଆଯାଉଥିବା ଦେଖିବାକୁ ମିଳୁଛି। ଖୁବ୍‍ ବେଶୀ ଗଣମାଧ୍ୟମ ସଂସ୍ଥାରେ ଏକ ସ୍ୱତନ୍ତ୍ର ବିଭାଗ ଭାବେ କୃଷି ସାମ୍ବାଦିକତା ରହୁନି। ଅନ୍ୟପକ୍ଷରେ ଦେଶର ଅର୍ଥନୀତି ତଥା ସାମାଜିକ ବିକାଶରେ କୃଷିର ବେଶ୍‍ ଭୂମିକା ରହିଛି। ଏମିତି ଏକ ସମୟରେ କୃଷି ସାମ୍ବାଦିକତାର ଗୁରୁତ୍ୱ ତଥା ଏହାର ବିଭିନ୍ନ ଦିଗକୁ ନେଇ ସଂସ୍ଥାନ ପକ୍ଷରୁ ଏକ ମନୋଗ୍ରାଫ୍‍ ପ୍ରକାଶନ କରାଯାଇଛି। ଏହି ଦ୍ୱିଭାଷୀ ମନୋଗ୍ରାଫ୍‍ଟିରେ ଦେଶର ବିଭିନ୍ନ ସାମ୍ବାଦିକ, ଗଣମାଧ୍ୟମ, ଶିକ୍ଷାବିତ ତଥା ଗବେଷଣା ଶିକ୍ଷାର୍ଥୀଙ୍କ ମୋଟ ୨୭ଟି ପ୍ରବନ୍ଧ, ଗବେଷଣା ନିବନ୍ଧ ଏବଂ ସେମି-ଆକାଡେମିକ ସନ୍ଦର୍ଭ ସ୍ଥାନ ପାଇଛି’’, କହିଛନ୍ତି ଆଇଆଇଏମ୍‍ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ।

BGUସେହିପରି ଭାରତରେ ଗଣମାଧ୍ୟମ ଶିକ୍ଷାର ୧୦୦ ବର୍ଷ ଅବସରରେ ଅପରାହ୍‌ଣ ସାଢ଼େ ୪ଟାରେ ଅନୁଷ୍ଠିତ ‘ଡିଜିଟାଲ ଯୁଗରେ ଗଣମାଧ୍ୟମ ଶିକ୍ଷା’ ଶୀର୍ଷକ ଏକ ଇ-ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗଦେଇ ଆଇଆଇଏମ୍‍ସିର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ବି.ପି. ସଞ୍ଜୟ କହିଛନ୍ତି, ‘‘ବର୍ତ୍ତମାନର ଡିଜିଟାଲ ଯୁଗରେ ଉଭୟ ସାମ୍ବାଦିକ ତଥା ଗଣମାଧ୍ୟମ ଶିକ୍ଷକଙ୍କ ପାଇଁ ଅନେକ ଆହ୍ୱାନ ରହିଛି। ବିଶେଷତଃ ଆଜିକାଲି ଫେକ୍‍ ନିଉଜ୍‍ ବା ଜାଲି ଖବରକୁ ନେଇ ସମସ୍ତେ ଚିନ୍ତିତ। ତେବେ ଖବର କେବେ ଜାଲି ହୋଇନପାରେ ଆଉ ଯାହା ଜାଲି ତାହା କେବେ ଖବର ହୋଇନପାରେ। ଦୁଃଖର କଥା, ବର୍ତ୍ତମାନର ଡିଜିଟାଲ ଜ୍ଞାନକୌଶଳ ଯୋଗୁଁ କିଛି ଲୋକ ଏହିପରି ଜାଲି ସୂଚନା ଓ ତଥ୍ୟ ପ୍ରସ୍ତୁତ କରୁଛନ୍ତି ଏବଂ ତାକୁ ପ୍ରସାର କରୁଛନ୍ତି। ଏସବୁ ନିଶ୍ଚିତଭାବେ ଆମ ସମାଜ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।’’

ଏନ୍‍ଡିଟିଭିର ବରିଷ୍ଠ ସାମ୍ବାଦିକ ମନିଦୀପା ବାନାର୍ଜୀ କହିଛନ୍ତି ଯେ, ସାମ୍ବାଦିକତାରେ ରାଜା ହେଉଛି କଣ୍ଟେଣ୍ଟ ବା ବିଷୟବସ୍ତୁ। ମୁଦ୍ରିତ, ଟେଲିଭିଜନ, ରେଡିଓ, ଡିଜିଟାଲ ସେ ଯେକୌଣସି ମଞ୍ଚ ହୋଇଥାଉନା ତେଣିକି, ତଥ୍ୟ ହିଁ ସବୁବେଳେ ସବୁଠି ସବୁଠୁଁ ଅଧିକ ଗୁରୁତ୍ୱ ବହନକରେ। ତେବେ ସାମ୍ବାଦିକମାନେ ଇଣ୍ଟରନେଟ୍‍ରେ ଦେଖୁଥିବା ସବୁ ତଥ୍ୟ ବା ସୂଚନାକୁ ଆଖିବୁଜି ଭରସା କରିଦେବା ଉଚିତ ନୁହେଁ। ତାକୁ ଭଲଭାବେ ବିଭିନ୍ନ ସୂତ୍ରରୁ ପରଖିବା ଦରକାର। ଆବଶ୍ୟକସ୍ଥଳେ ଲାଇବ୍ରେରୀ ଯାଇ ମଧ୍ୟ ତଥ୍ୟ ଖୋଜିପାରିବେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୁନେସ୍ଥିତ ଏସ୍‍ପିପି ବିଶ୍ୱବିଦ୍ୟାଳୟର ପ୍ରଫେସର ଉଜ୍ଜ୍ୱାଲା ବାର୍ଭି,  ଗୌହାଟୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଙ୍କୁରନ୍‍ ଦତ୍ତ ଭାଗ ନେଇଥିଲେ।

ଇ-ଆଲୋଚନାଚକ୍ରକୁ ସଞ୍ଚାଳନ କରିଛନ୍ତି ଆଇଆଇଏମ୍‍ସି ଢେଙ୍କାନାଳର ସହକାରୀ ପ୍ରଫେସର ସମ୍ବିତ ପାଲ। ଆଲୋଚନା ପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା।  ଆଇଆଇଏମ୍‍ସି, ଢେଙ୍କାନାଳ କ୍ୟାମ୍ପସରେ ପ୍ରତିଷ୍ଠା ଦିବସ ପତାକା ଉତ୍ତୋଳନ କରିଥିଲେ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ।

Comment