ଓଡ଼ିଶାଲାଇଭ୍ ବ୍ୟୁରୋ

ganesh ram kunjam-3

ବିବାହ ସ୍ଥିର ହୋଇସାରିଥିଲା, କିଛି ଦିନ ହେବ ସଞ୍ଚିଥିବା ପୁଞ୍ଜିରୁ ଦଶ ଲକ୍ଷ ଖର୍ଚ୍ଚ କରି ଗାଁରେ ଘର ତିଆରି କରିଦେଇଯାଇଥିଲେ ଗଣେଶ ଯାହା ଏବେ ପରିବାର ଲୋକଙ୍କ ପାଇଁ ଗଣେଶଙ୍କ ଶେଷ ସ୍ମୃତି। ଗତ ସୋମବାର ଗଲଓ୍ୱାନ ହିଂସାରେ ଦେଶ ପାଇଁ ଜୀବନ ଦେଇ ସହିଦ ହୋଇଯାଇଛନ୍ତି ଗଣେଶ ରାମ କୁଞ୍ଜମ।

ଗତ ଜୁନ୍ ୧୫ ତାରିଖରେ ଲଦାଖର ଗଲଓ୍ୱାନରେ ହୋଇଥିବା ଭାରତ-ଚୀନ ସଂଘର୍ଷରେ ପ୍ରାଣ ହରାଇଥିଲେ ଭାରତର ୨୦ ଜଣ ବୀର ଯବାନ। ଏଥିରେ ସାମିଲ୍ ଅଛନ୍ତି ଛତିଶଗଡ଼ କଲକେରର ଗଣେଶ ରାମ କୁଞ୍ଜମ। ଗଣେଶଙ୍କ ବୟସ ଥିଲା ୨୭ ବର୍ଷ। ୨୦୧୧ରେ ସେ ଭାରତୀୟ ସେନାରେ ଯୋଗ ଦେଇଥିଲେ।

ପରିବାର ଅଛନ୍ତି ବାପା, ମାଆ, ଦୁଇ ଭଉଣୀ। ସାଥିରେ କାକା ମଧ୍ୟ ରୁହନ୍ତି। ଗଣେଶଙ୍କ ଗୋଟିଏ ଭଉଣୀଙ୍କ ବାହାଘର ହୋଇସାରିଛି। ଆଉ ଜଣେ ପୁନେଃରେ ରୁହନ୍ତି। କାକାଙ୍କ ସହ ସବୁବେଳେ କଥା ହୁଅନ୍ତି ଗଣେଶ। ଘରର ହାଲଚାଲଠାରୁ ଆରମ୍ଭ କରି ଟିକିନିକି ଖବର ବୁଝନ୍ତି। ହେଲେ କାକା ତିହାରୁ ରାମ କୁଞ୍ଜମଙ୍କ କହିବା ଅନୁସାରେ ପ୍ରାୟ ମାସେ ହେବ ଗଣେଶଙ୍କ ସହ ସେ ଫୋନରେ କଥା ହୋଇପାରିନଥିଲେ।

ganesh ram kunjam-2

ଶେଷ ଥର ଫୋନରେ କହିଥିଲେ ତାଙ୍କ ପୋଷ୍ଟିଂ ଅନ୍ୟ କେଉଁଠି ହେବାକୁ ଯାଉଛି ବୋଲି। ତା ପରେ ତିହାରୁ ସବୁଦିନ ତାଙ୍କ ଫୋନକୁ କଲ କରନ୍ତି କିନ୍ତୁ କଲ୍ ଲାଗେନାହିଁ।

ଏହି ବର୍ଷ ଜାନୁଆରି ମାସରେ ଘରକୁ ଆସିଥିଲେ ଗଣେଶ। ସେହି ସମୟରେ ଘରଲୋକେ ତାଙ୍କ ବିବାହ ସ୍ଥିର କରିଥିଲେ। ପରବର୍ତ୍ତୀ ସମୟରେ ଛୁଟି ନେଇ ଆସିଥିଲେ ତାଙ୍କର ବିବାହ ହୋଇଥାନ୍ତା ବୋଲି ସୂଚନା ଦେଇଥିଲେ ଗଣେଶଙ୍କ ଜଣେ ସାଙ୍ଗ ।

ଭାରତୀୟ ସେନାଙ୍କ ତରଫରୁ କଲ କରାଯାଇ ଗଣେଶଙ୍କ ସହିଦ ହେବା ଖବର ପରିବାରକୁ ଦିଆଯାଇଥିଲା ଏବଂ ଟିଭି ଦେଖିବାକୁ କହିଥିଲେ ସେନାର ଅଫିସର। ଏହା ଶୁଣି ଯେତେବେଳେ ଘରଲୋକେ ଟିଭି ଖୋଲିଲେ ସେତେବେଳେ କେବଳ ତିନି ଜଣଙ୍କ ସହିଦ ଖବର ଦେଖିଥିଲେ ତିହାରୁ ଯେଉଁଥିରେ ଗଣେଶଙ୍କ ନାମ ନଥିଲା। ପରେ ସେନା ତରଫରୁ ଜଣାଗଲା ଯେ ତାଙ୍କ ପାର୍ଥିବ ଶରୀର ବୁଧବାର ସଂଧ୍ୟା ସୁଦ୍ଧା କନକେରରେ ପହଞ୍ଚିବ। ଗତକାଲି ତାଙ୍କୁ ଜନ୍ମଭୂମିରେ ସସମ୍ମାନ ସହ ଅନ୍ତିମ ବିଦାୟ ଦିଆଗଲା।

ganesh kunjam-4

ଛତିଶଗଡ଼ର ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ୍ ସିଂ ଦେଓ ଗଣେଶଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଟ୍ୱିଟ୍ କରିଛନ୍ତି, “ଛତିଶଗଡ଼ କନକେରର ଶ୍ରୀ ଗଣେଷ ରାମ କୁଞ୍ଜନଙ୍କୁ ମୁଁ ଶ୍ରଦ୍ଧାଞ୍ଜଲି ଦେଉଛି ଯିଏ ଦେଶ ପାଇଁ ସଂଘର୍ଷ କରି ଲଦାଖରେ ଅନ୍ୟ କୋଡ଼ିଏ ଜଣ ବୀର ଯବାନଙ୍କ ସହ ନିଜ ଜୀବନ ଦେଇଛନ୍ତି। ଏହି ଦୁଃଖ ସମୟରେ ମୋର ଚିନ୍ତା ତାଙ୍କ ପରିବାର ସହ ଅଛି।”

ସୋମବାର ରାତିରେ ହୋଇଥିବା ଏହି ସଂଘର୍ଷରେ ୨୦ ଯବାନ ସହିଦ ହେବାସହ ୭୬ ଜଣ ଯବାନ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଭାରତୀୟ ସେନା କହିଛି। ଲେହର ଏକ ହସ୍ପିଟାଲରେ ଗୁରୁତର ଯବାନ ଚିକିତ୍ସିତ ହେଉଥିବାବେଳେ ଅନ୍ୟାନ୍ୟ ହସ୍ପିଟାଲରେ ୫୮ ଆହତ ସୈନ୍ୟଙ୍କର ଚିକିତ୍ସା ଚାଲିଛି।

Comment