ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଲଦାଖର ଗଲଓ୍ୱାନ ଘାଟିରେ ଭାରତ ଏବଂ ଚୀନ୍‌ର ସେନା ମୁହାଁମୁହିଁ ହେଉଛନ୍ତି। ଏହି ଉପତ୍ୟକା ଅକସାଇ ଚୀନ ଅଞ୍ଚଳରେ ଅଛି, ଯାହା ଉପରେ ଗତ ୬୦ ବର୍ଷ ଧରି ଚୀନର ନଜର ରହିଛି। ୧୯୬୨ରୁ ୧୯୭୫ ମଧ୍ୟରେ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧରେ ଗଲଓ୍ୱାନ ଘାଟି କେନ୍ଦ୍ରବିନ୍ଦୁ ପାଲିଟିଛି। ଆସନ୍ତୁ ଜାଣିବା ଏହି ଘାଟି ସମ୍ପର୍କରେ କିଛି କଥା…

ଲଦାଖର ମେଷପାଳକ ଗୁଲାମ ରସୁଲ ଗଲଓ୍ୱାନଙ୍କ ନାମରେ ଏହି ଘାଟି ନାମିତ ହୋଇଥିଲା। ଗୁଲାମ ରସୁଲ ଗଲଓ୍ୱାନ ୧୮୭୮ରେ ଜନ୍ମ ହୋଇଥିଲେ। ପିଲାଦିନରୁ ନୂଆ ସ୍ଥାନ ଖୋଜିବା ପାଇଁ ଗୁଲାମ ରସୁଲଙ୍କର ଆଗ୍ରହ ଥିଲା। ଏହି ଉତ୍ସାହ ହେତୁ ଗୁଲାମ ରସୁଲ ବ୍ରିଟିଶମାନଙ୍କର ପ୍ରିୟ ହୋଇଯାଇଥିଲେ।

ବ୍ରିଟିଶମାନେ ମଧ୍ୟ ଲଦାଖ ଅଞ୍ଚଳକୁ ଭଲ ପାଉଥିଲେ। ଗୁଲାମ ରସୁଲ ୧୮୯୯ ମସିହାରେ ଲେହରୁ ଟ୍ରେକିଂ ଆରମ୍ଭ କରି ଲଦାଖର ଚାରିପାଖରେ ଅନେକ ନୂତନ ଅଞ୍ଚଳରେ ପହଞ୍ଚିଥିଲେ। ଏହି କ୍ରମରେ ଗୁଲାମ ରସୁଲ ଗଲଓ୍ୱାନ ଘାଟି ଓ ଗଲଓ୍ୱାନ ନଦୀ ନିକଟରେ ପହଞ୍ଚିପାରିଥିଲେ। ଯେଉଁଥିପାଇଁ ତାଙ୍କ ନାଁରେ ଏହି ସ୍ଥାନକୁ ନାମିତ କରାଗଲା। 

ଲେହର ଚାମ୍ସପା ୟର୍ଟଙ୍ଗ ସର୍କୁଲାର୍ ରୋଡରେ ଗୁଲାମ ରସୁଲଙ୍କ ପୂର୍ବପୁରୁଷଙ୍କ ଘର ରହିଛି।  ତାଙ୍କ ନାମରେ ଏକ ଏଠାରେ ଗେଷ୍ଟ ହାଉସ୍ ମଧ୍ୟ ଅଛି। ଗୁଲାମ ରସୁଲଙ୍କ ସମ୍ପର୍କୀୟମାନେ ଏଠାକୁ ଆସୁଥିବା ଲୋକଙ୍କୁ ତାଙ୍କ କାହାଣୀ ମଧ୍ୟ କହନ୍ତି।

ଗୁଲାମ ରସୁଲ ଏକ ପୁସ୍ତକରେ ତାଙ୍କ ଯାତ୍ରାର ସମ୍ପୂର୍ଣ୍ଣ କାହାଣୀ ଏବଂ ଅନୁଭୂତି ବର୍ଣ୍ଣନା କରିଛନ୍ତି। ଯାହାର ନାମ ଥିଲା ‘Servants of Sahibs’।

ଭାରତ ପାଇଁ କାହିଁକି ଜରୁରୀ ଗଲଓ୍ୱାନ ଭ୍ୟାଲି?

  • ଗଲଓ୍ୱାନ ଘାଟି ଲଦାଖ ଏବଂ ଆକସାଇ ଚିନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ରହିଛି।
  •  ଗଲଓ୍ୱାନ ଘାଟିରେ ପ୍ରକୃତ ନିୟନ୍ତ୍ରଣ ରେଖା ଅକସାଇ ଚୀନକୁ ଭାରତଠାରୁ ପୃଥକ କରେ। ୧୯୬୨ ଯୁଦ୍ଧରେ ଆକସାଇ ଚିନ୍ ଉପରେ ଚୀନ୍ କବ୍‌ଜା କରିଥିଲା।
  • ଚୀନ୍‌ର ଆକ୍ରମଣକୁ ରୋକିବା ପାଇଁ ଭାରତୀୟ ଯବାନମାନେ ମଧ୍ୟ ନିୟମିତ ଭାବେ ଗାଲଓ୍ୱାନ ନଦୀରେ ପାଟ୍ରୋଲିଂ କରନ୍ତି।
  • ଗାଲଓ୍ୱାନ ଘାଟି ଭାରତର ଲଦାଖରୁ ଚୀନର ଦକ୍ଷିଣ ଜିନଜିଆଙ୍ଗ ପର୍ଯ୍ୟନ୍ତ ବ୍ୟାପିଛି। ଏହି ଅଞ୍ଚଳ ଭାରତ ପାଇଁ ସାମରିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ଉଭୟ ପାକିସ୍ଥାନ ଏବଂ ଚୀନ୍‌ର ଜିନଜିଆଙ୍ଗ ସହିତ ଜଡିତ। ଏଠାରେ ଭାରତର ଉପସ୍ଥିତି ଚୀନର ଚିନ୍ତା ବଢ଼ାଉଛି।

Comment