ଓଡିଶାଲାଇଭ ବ୍ୟୁରୋ

କରୋନା ସଙ୍କଟ ବେଳେ ପିଲାଙ୍କ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ଘରେ ଘରେ ଅରୁଣିମା କିପରି ସଫଳତା ହାସଲ କରିଛି ସେ ସମ୍ପର୍କରେ କହିଛନ୍ତି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ।

କରୋନା ସଙ୍କଟ ବେଳେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହୋଇଗଲା। ଅଙ୍ଗନବାଡ଼ି ଯାଉଥିବା ୩ରୁ ୬ ବର୍ଷ ବୟସର ପିଲାମାନଙ୍କୁ ଘରେ ରହିବାକୁ ପଡ଼ିଲା। ତେବେ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କ ଶାରିରୀକ ଏବଂ ମାନସିକ ବିକାଶ ପାଇଁ ପ୍ରତିଦିନ ଯେଉଁ କାର୍ଯ୍ୟକ୍ରମ ଚାଲିଥିଲା ତାହା କିପରି ଚାଲୁ ରହିବ ସେଥିପାଇଁ ୟୁନିସେଫ୍‌ ସହାୟତାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା। କରୋନା ସଙ୍କଟ କାଳରେ ପରିବାର ଭିତରେ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଅନେକ ସଫଳତା ମିଳିଛି ବୋଲି କହିଛନ୍ତି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ।

ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କ୍ୟାମ୍ପେନ ‘କେତେ ନୂଆ ବାଟ’ରେ ଭାଗନେଇ ଅନୁ ଗର୍ଗ ଆହୁରି କହିଥିଲେ ଯେ, ଶିଶୁ ଏବଂ କିଶୋର କିଶୋରୀମାନଙ୍କୁ କରୋନା ସମୟରେ କଳାତ୍ମକ ଓ ସୃଜନାତ୍ମକ ଦିଗ ପ୍ରତି ଆକୃଷ୍ଟ କରିବା ଲାଗି ଆରମ୍ଭ କରାଯାଇଥିବା ‘ମୋ ପ୍ରତିଭା’ କାର୍ଯ୍ୟକ୍ରମକୁ ବିଶେଷ ସଫଳତା ମିଳିଛି। ଏହାସହ କୋଭିଡ୍‌ ସଙ୍କଟ ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପକୁ ବି ସେ ପ୍ରଶଂସା କରିଛନ୍ତି।

‘‘କରୋନା ସଙ୍କଟ ବେଳେ ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ହୋଇଗଲା। ପିଲାମାନେ ଘରେ ରହିଲେ। ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାମାନଙ୍କୁ ଯେଉଁ ଖାଦ୍ୟ ମିଳୁଥିଲା ସେସବୁ କେମିତି ପିଲାମାନଙ୍କ ଘରେ ପହଞ୍ଚଯିବ ସେନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଗଲା। ଡାଲି, ଚାଉଳ, ପରିବା, ତେଲ ସହ ସପ୍ତାହେ ପାଇଁ ୫ଟି ଲେଖାଏଁ ଅଣ୍ଡା ଦିଆଗଲା ପ୍ୟାକେଟ ଘରେ ପିଲାମାନଙ୍କ ଘରେ ପହଞ୍ଚାଇଲେ ଅଙ୍ଗନବାଡ଼ି କର୍ମୀ। କେବଳ ଖାଦ୍ୟ ସାମଗ୍ରୀ ନୁହେଁ, ପିଲାମାନଙ୍କୁ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କରେ ଯେଉଁ ଶିକ୍ଷା ଦିଆଯାଉଥିଲା ତାହା ଚାଲୁ ରଖିବା ପାଇଁ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଗଲା’’, କହିଛନ୍ତି ମହିଳା, ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ।

‘ଘରେ ଘରେ ଅରୁଣିମା’

କରୋନା ସଙ୍କଟ ବେଳେ ପିଲାମାନେ ଘରେ ଏକ ପ୍ରକାର ବନ୍ଦୀ ଜୀବନ ବିତାଉଛନ୍ତି। ପିଲାମାନେ ଘରୁ ବାହାରି ପାରୁ ନାହାନ୍ତି। ପିଲାମାନଙ୍କର ବୁଝିବା ଶକ୍ତି କମ୍‌ ଥିବାରୁ ସେମାନେ ମାନସିକ ଚାପରେ ରହିବା ସ୍ୱାଭାବିକ। ଏହାସହ ଅଙ୍ଗନବାଡ଼ିମାନଙ୍କରେ ପିଲାମାନଙ୍କ ସଜନାତ୍ମକ ଦିଗର ବିକାଶ ପାଇଁ ଯେଉଁ କାର୍ଯ୍ୟକ୍ରମ କରାଯାଉଥିଲା ତାହା କେମିତି କରୋନା ବେଳେ ଜାରି ରହିବ ସେଥିପାଇଁ ଆମ ବିଭାଗ ତରଫରୁ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ କରିବାକୁ ଖସଡ଼ା ପ୍ରସ୍ତୁତ କରାଗଲା ବୋଲି କହିଛନ୍ତି ଅନୁ ଗର୍ଗ।

‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ ପାଇଁ କ୍ୟାଲେଣ୍ଡର ପ୍ରସ୍ତୁତ କରାଗଲା। ପିଲାମାନେ ଘରେ ପ୍ରତିଦିନ କ’ଣ କରିବେ ସେନେଇ ଏହି କ୍ୟାଲେଣ୍ଡରରେ ଦର୍ଶାଯାଇଛି। ଅଙ୍ଗନବାଡ଼ି କର୍ମୀମାନେ ପିଲାଙ୍କ ଘରେ ଏହି କ୍ୟାଲେଣ୍ଡର ପହଞ୍ଚାଇଥିଲେ। ପ୍ରତି ମାସରେ ଗୋଟିଏ ଥିମ୍‌ ରହୁଛି। ଏହି ଥିମ୍‌କୁ ନେଇ ଦୈନନ୍ଦିନର କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଉଛି।

ପିଲାମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ

ଅଙ୍ଗନବାଡ଼ି ଚାଲୁଥିବା ବେଳେ ପିଲାମାନଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ। ପିଲାମାନଙ୍କୁ ପାଠପଢ଼ା ସହିତ ନାଚ, ଗୀତ, ଗପ, ଖେଳକୁଦ ଆଦିରେ ସାମିଲ କରାଯାଇଥାଏ। ହେଲେ କରୋନା ସମୟରେ ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ ମାଧ୍ୟମରେ ଏହିସବୁ କାର୍ଯ୍ୟକ୍ରମ କରାଯାଉଛି। ପାଠପଢ଼ା ସହିତ ବିଭିନ୍ନ ନାଚ ଗୀତ ମାଧ୍ୟମରେ ପିଲାମାନଙ୍କୁ ଅନେକ ଶିକ୍ଷଣୀୟ କଥା ଶିଖାଯାଉଛି। କରୋନା ସମୟରେ ସିଧାସଳଖ ଯୋଗାଯୋଗ ହୋଇପାରୁ ନଥିବାରୁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅଭିଭାବକମାନଙ୍କୁ ହ୍ୱାଟସ୍‌ଆପ୍‌ ଜରିଆରେ ସୂଚନା ଦିଆଯାଉଛି।

ଅଭିଭାବକଙ୍କ ତତ୍ତ୍ୱାବଧାନରେ ଚିତ୍ର ଆଙ୍କିବାଠାରୁ ଗୀତ ନାଚ କରିବା ଆଦି କାମ କରୁଛନ୍ତି। କୋଭିଡ୍‌ ମହାମାରୀ ସମ୍ପର୍କରେ ମଧ୍ୟ ପିଲାମାନଙ୍କୁ ସଚେତନ କରାଯାଉଛି। କେମିତି ହାତ ଧୋଇବେ, ନିଜକୁ ଏବଂ ଆଖପାଖ ପରିବେଶକୁ କେମିତି ପରିସ୍କାର ରଖିବେ, ଘର କାମରେ ବାପା, ମା’ଙ୍କୁ ସହଯୋଗ କରିବା ଆଦି ସମ୍ପର୍କରେ ଶିକ୍ଷା ଦିଆଯାଉଛି। ଏହି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଛନ୍ତି।

ବାପା, ମା’ଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

ପିଲାମାନଙ୍କ ପାଇଁ କେବଳ ପାଠ ସବୁକିଛି ନୁହଁ। ପିଲାମାନଙ୍କର ବୌଦ୍ଧିକ ଏବଂ ମାନସିକ ସ୍ତରର ବିକାଶ ପାଇଁ ଚିତ୍ର ଆଙ୍କିବା, ନାଚ, ଗୀତ ପରିବେଷଣ କରିବା ନିହାତି ଜରୁରୀ ବୋଲି ଏବେ ବାପା, ମା’ମାନେ ବୁଝିଲେଣି। ‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମରେ ବାପା, ମା’ମାନେ ଯୋଡ଼ି ହେଉଛନ୍ତି। ସକାଳୁ ଉଠିବା ପରେ ପିଲାମାନେ କ’ଣ କରିବେ ସେନେଇ ମା’ ବାପାମାନେ କ୍ୟାଲେଣ୍ଡର ଅନୁସାରେ ନିଜକୁ ପ୍ରସ୍ତୁତ କରୁଛନ୍ତି। ଜେଜେ ବାପା ଓ ଜେଜେ ମା’ଙ୍କ ପାଖରୁ ପିଲାମାନେ ଗପ ଶୁଣୁଛନ୍ତି।

ଚିତ୍ର ଆଙ୍କି, ଗୀତ ଗାଇ ଫଟୋ, ଅଡିଓ ବା ଭିଡିଓ ପଠାଉଛନ୍ତି। ଏଥିପାଇଁ ଡିଏସଡବ୍ଲ୍ୟୁଓ, ସିଡିପିଓ ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଟ୍ରେନିଂ ଦିଆଯାଇଛି ବୋଲି ଅନୁ ଗର୍ଗ କହିଛନ୍ତି।

ଡିଜିଟାଲ କ୍ୟାଲେଣ୍ଡର

‘ଘରେ ଘରେ ଅରୁଣିମା’ କାର୍ଯ୍ୟକ୍ରମ ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଡିଜିଟାଲ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି। ଏହି କ୍ୟାଲେଣ୍ଡର ସମ୍ପର୍କରେ ବିଭାଗ ତରଫରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଥମେ ଡିଏସ୍‌ଡବ୍ଲ୍ୟୁଓ, ସିଡିପିଓମାନଙ୍କୁ ଅବଗତ କରାଯାଇଥିଲା। ସେମାନେ ଅଙ୍ଗନବାଡ଼ି କର୍ମୀଙ୍କୁ ଏହାର କାର୍ଯ୍ୟକ୍ରମ ସମ୍ପର୍କରେ ବୁଝାଇଥିଲେ। ଅଙ୍ଗନବାଡ଼ି କର୍ମୀମାନେ ଏହାକୁ ହ୍ୱାଟସ୍‌ଆପ୍‌ ମାଧ୍ୟମରେ ଅଭିଭାବକମାନଙ୍କୁ ପଠାଇଥିଲେ। ଯେଉଁ ମାନଙ୍କର ହ୍ୱାଟ୍ସ୍‌ଆପ୍‌ ନାହିଁ ସେମାନଙ୍କ ଘରେ ଏହି କ୍ୟାଲେଣ୍ଡର ପହଞ୍ଚାଯାଇଥିଲା।

ଚିତ୍ର, ଗଳ୍ପ, କବିତା ମାଧ୍ୟମରେ କରୋନା ଅନୁଭୂତି

ପିଲାମାନଙ୍କୁ କଳାତ୍ମକ ଦିଗରେ ବ୍ୟସ୍ତ ରଖିବାକୁ  ମହିଳା ଓ ଶିଶୁ ବିକାଶ ବିଭାଗ, କ୍ରୀଡ଼ା ଓ ଯୁବସେବା ବିଭାଗ ତଥା ୟୁନିସେଫ୍ ସହାୟତାରେ ଆରମ୍ଭ କରାଯାଇଥିବା ‘ମୋ ପ୍ରତିଭା’ କାର୍ଯ୍ୟକ୍ରମକୁ ବିପୁଳ ସମର୍ଥନ ମିଳିଛି। ଏଥିରେ ୫ ରୁ ୧୮ ବର୍ଷର ପିଲାମାନେ ଭାଗ ନେଇ ଗଳ୍ପ, କବିତା ଓ ଚିତ୍ରାଙ୍କନ ମାଧ୍ୟମରେ କୋଭିଡ୍-୧୯ ସମୟରେ ନାଗରିକ ଭାବେ ସେମାନଙ୍କର କର୍ତ୍ତବ୍ୟ ଓ କରୋନାକୁ ନେଇ ସେମାନଙ୍କର ଅନୁଭୂତିକୁ ପ୍ରକାଶ କରିଛନ୍ତି।

ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ମାଧ୍ୟମରେ ପରିଚାଳିତ ମୋ ପ୍ରତିଭା ପ୍ରତିଯୋଗିତାରେ ୧୪ ହଜାରରୁ ଅଧିକ ଲେଖା ଓ ଚିତ୍ର ଆସି ପହଞ୍ଚିଛି। ଏଗୁଡ଼ିକୁ ଲଳିତ କଳା ଏକାଡେମୀ ସହଯୋଗିତାରେ ପ୍ରଦର୍ଶନ କରାଯିବ।

‘‘କରୋନା ସମୟରେ ଘରେ ବସି ବସି ପିଲାମାନେ ବୋର୍‌ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପିଲାମାନଙ୍କ କଳାତ୍ମକ ଦିଗକୁ ବିକଶିତ କରିବା ଲାଗି ଅନଲାଇନ୍‌ ମାଧ୍ୟମରେ ‘ମୋ ପ୍ରତିଭା’ କାର୍ଯ୍ୟକ୍ରମ ପରିକଳ୍ପନା କରାଯାଇଥିଲା। ପିଲାମାନେ ଯେଉଁ ଚିତ୍ର ଆଙ୍କୁଛନ୍ତି, ଗୀତ ଗାଉଛନ୍ତି ଏବଂ ଗପ ଲେଖୁଛନ୍ତି ତାକୁ ସେମାନେ ଅନଲାଇନ୍‌ ମାଧ୍ୟମରେ ପଠାଇବାକୁ ବ୍ୟବସ୍ଥା କରାଗଲା। ବିଭିନ୍ନ ବୟସର ପିଲାମାନଙ୍କୁ ନେଇ ତିନୋଟି ବର୍ଗରେ ବିଭକ୍ତ କରାଗଲା। ୫ରୁ ୧୦ ବର୍ଷ ବୟସ, ୧୦ରୁ ୧୫ ଏବଂ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ନେଇ ଅଲଗା ଅଲଗା ଗ୍ରୁପ୍‌ ଗଠନ କରାଗଲା।  ଅନଲାଇନରେ ବିଚାରକମାନେ ରହି ବିଭିନ୍ନ ବିଭାଗରରେ ଶ୍ରେଷ୍ଠ ତିନି ଜଣଙ୍କୁ ବାଛିଲେ। ଏମାନଙ୍କୁ ବିଭାଗ ପକ୍ଷରୁ ପ୍ରମାଣପତ୍ର ଦିଆଗଲା’’, କହିଛନ୍ତି ଅନୁ ଗର୍ଗ।

ମହିଳାଙ୍କ କାମକୁ ପ୍ରଶଂସା

କରୋନା ମହାମାରୀ ସମୟରେ ମହିଳାମାନଙ୍କ କାର୍ଯ୍ୟକୁ ଅନୁ ଗର୍ଗ  ପ୍ରଶଂସା କରି କହିଛନ୍ତି। ସେ କହିଛନ୍ତି ଯେ, “କରୋନା ମହାମାରୀର ଏହି ଯୁଦ୍ଧରେ ମହିଳାମାନଙ୍କର ବହୁମୂଲ୍ୟ ଯୋଗଦାନ ରହିଛି। ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ମାସ୍କ ତିଆରି କରିବାଠାରୁ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିରଗୁଡ଼ିକୁ ରନ୍ଧା ଖାଦ୍ୟ ପହଞ୍ଚାଇବା ପର୍ଯ୍ୟନ୍ତ ସବୁଥିରେ ସହଯୋଗ କରିଆସୁଛନ୍ତି।”

ଅଙ୍ଗନବାଡ଼ି କର୍ମୀ, ଏଏନଏମ ଦିଦି ଏବଂ ଆଶାକର୍ମୀମାନେ ମଧ୍ୟ ବିଭିନ୍ନ ସ୍କିମର ପ୍ରଚାର ପ୍ରସାର ସମେତ କରୋନାକୁ ନେଇ ସଚେତନତା ବାର୍ତ୍ତା ପ୍ରଚାର କରୁଛନ୍ତି ବୋଲି ସେ ଏହି କାର୍ଯ୍ୟକ୍ରମରେ କହିଛନ୍ତି।

‘‘ରାଜ୍ୟରେ ପ୍ରାୟ ୬ ଲକ୍ଷରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅଛନ୍ତି। ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି। କୋଭିଡ୍‌ ସମୟରେ ମହିଳାମାନେ ମାସ୍କ ତିଆରି କରିଛନ୍ତି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଆଗଧାଡ଼ିର କରୋନା ଯୋଦ୍ଧା ସାଜି ଲୋକଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି’’, କହିଛନ୍ତି ମହିଳା, ଶିଶୁବିକାଶ ଏବଂ ମିଶନ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ।

ଶିଶୁ ଏବଂ କିଶୋର କିଶୋରୀଙ୍କ ସ୍ୱାସ୍ଥ୍ୟ, ନିରନ୍ତର ଶିକ୍ଷା ଏବଂ ସୁରକ୍ଷାକୁ ନେଇ ଓଡ଼ିଶା ସରକାର, ୟୁନିସେଫ୍ ଏବଂ ଅନ୍ୟ ଅଂଶୀଦାରମାନେ ଏ ବାବଦରେ କ’ଣ ସବୁ ପଦକ୍ଷେପ ନେଉଛନ୍ତି ତା’ର ଏକ ବ୍ୟାପକ ଚିତ୍ର ଉପସ୍ଥାପନ କରୁଛି ‘କେତେ ନୂଆ ବାଟ’। ପ୍ରତି ରବିବାର ସକାଳ ୧୦ଟା୩୦ ମିନିଟରେ ଏହି ରେଡିଓ ଧାରାବାହିକ ଓଡ଼ିଶା ସମସ୍ତ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହେଉଛି।

Comment