ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକଙ୍କୁ କରୋନା ଭୂତାଣୁରୁ ବଞ୍ଚେଇବା ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ଯାହାଫଳରେ ବଜାରରେ ଏବେ ଅନେକ ପ୍ରକାରର ମାସ୍କ ଉପଲବ୍ଧ ହେଉଛି। କିନ୍ତୁ କରୋନା ପାଇଁ ସୁନାରେ ତିଆରି ମାସ୍କ ପିନ୍ଧିବା ନିହାତି ସମସ୍ତଙ୍କ ପାଇଁ ଆଶ୍ଚର୍ଯ୍ୟର କଥା।

ମହାରାଷ୍ଟ୍ରର ପୁଣେ ଜିଲ୍ଲାର ପିମ୍ପ୍ରି-ଚିଞ୍ଚୱାଡରେ ରହୁଥିବା ଶଙ୍କର କୁରାଡ ନିଜ ପାଇଁ ପ୍ରାୟ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନା ମାସ୍କ ତିଆରି କରିଛନ୍ତି। ତାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫଳରେ ସୁନା ପ୍ରେମୀ ଶଙ୍କରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି।

ତେବେ ଶଙ୍କର ଯେ କେବଳ ସୁନାରେ ତିଆରି ମାସ୍କ ପିନ୍ଧିଛନ୍ତି ତାହା ନୁହେଁ,  ତାଙ୍କ ଶରୀରରେ ସେ ପ୍ରାୟ ତିନି କିଲୋର ସୁନା ପିନ୍ଧିଛନ୍ତି। ତାଙ୍କ ବେକରେ ମୋଟା ସୁନା ଚେନ୍, ଦଶ ଆଙ୍ଗୁଠିରେ ସୁନା ମୁଦି ଏବଂ ହାତରେ ବ୍ରେସଲେଟ୍ ରହିଛି। ଏହା ତାଙ୍କର ସୁନା ପ୍ରତି ଥିବା ସଉକ ସୂଚିତ କରାଉଛି।

ପିଲାଦିନରୁ ଶଙ୍କର ସୁନାକୁ ଭଲ ପାଆନ୍ତି। ତାଙ୍କ କହିବା ଅନୁସାରେ ସେ ଟିଭିରେ ଜଣେ ବ୍ୟକ୍ତିଙ୍କୁ ରୂପା ମାସ୍କ ପିନ୍ଧିଥିବାର ଦେଖିଥିଲେ। ଏହାପରେ ସେ ସୁନାରେ ମାସ୍କ ତିଆରି କରିବାକୁ ଭାବିଥିଲେ।  ପ୍ରାୟ ଗୋଟିଏ ସପ୍ତାହରେ ମାସ୍କ ପ୍ରସ୍ତୁତ ହୋଇଯାଇଥିଲା।

ଶଙ୍କର କହିଛନ୍ତି, ‘‘ମୁଁ ଜାଣେ ନାହିଁ ସୁନା ମାସ୍କ ପିନ୍ଧିଲେ କରୋନା ମୋ ପାଖକୁ ଆସିବ କି ନାହିଁ, କିନ୍ତୁ ସାମାଜିକ ଦୂରତାର ସମସ୍ତ ନିୟମ ପାଳନ କରି  ମୁଁ କରୋନାରୁ ରକ୍ଷା ପାଇ ପାରିବି।’’

Comment