ଓଡ଼ିଶାଲାଇଭ ବ୍ୟୁରୋ

ଜୁଲାଇରେକଲବଲ କଲାଣି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୫୨୬।

ଓଡ଼ିଶାରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ରୂପ ଧାରଣ କରୁଛି। ଗୋଟିଏପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ଅନ୍ୟପଟେ ତାଳଦେଇ ମୃତ୍ୟୁ ସଂଖ୍ୟା ବି ବଢୁଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଡେଇଁଥିବା ବେଳେ ମୃତ୍ୟୁ ସଂଖ୍ୟା ୩୮ ଛୁଇଁଛି। କରୋନା ଗ୍ରାଫ୍‌ ପ୍ରତିଦିନ ବଢୁଥିବାରୁ ସବୁଠି ଚହଳ ପଡ଼ିଛି।

ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାରୁ ପ୍ରଥମ କେରାନା ରୋଗୀ ଚିହ୍ନଟ ହୋଇଥିଲେ। ଏହାପରେ କରୋନା ଗ୍ରାଫ୍‌ ବଢ଼ିଥିଲା। ଜିଲ୍ଲାରୁ ଜିଲ୍ଲାକୁ ଡେଇଁଥିଲା ଆକ୍ରାନ୍ତଙ୍କ ସଂଖ୍ୟା। କିନ୍ତୁ ମାର୍ଚ୍ଚ ଓ ଏପ୍ରିଲ ମାସରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲା। ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲା, ହେଲେ ବିସ୍ଫୋରକ ରୂପ ଧାରଣ କରି ନଥିଲା।

ମେ’ ମାସରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଓଡ଼ିଆ ନିଜ ଗାଁକୁ ଆସିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିଲା। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମେ’ ମାସ ଯାଏ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଜୁନ ମାସରେ ତାହା ଦୁଇ ଗୁଣ ବଢ଼ି ଯାଇଥିଲା। ଏବେ ଜୁଲାଇ ମାସ ଆରମ୍ଭରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲମ୍ବି ଚାଲିଛି।

ଆଜି ଓଡ଼ିଶାରୁ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଣେ ଗଞ୍ଜାମରୁ ଏବଂ ଆଉ ଜଣେ ଯାଜପୁରରୁ ପ୍ରାଣ ହରାଇଥିବା କୁହାଯାଉଛି। ୪୫୬ ଆକ୍ରାନ୍ତଙ୍କ ଭିତରୁ ୩୦୯ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରିଥିବା ବେଳେ ୧୪୭ ସ୍ଥାନୀୟ ସଂକ୍ରମଣ ଥିବା କୁହାଯାଉଛି।

କଟକ କ୍ୟାନ୍‌ସର ହସ୍ପିଟାଲ ଏବଂ ଏସ୍‌ସିବି ମେଡିକାଲରୁ କରୋନା ରୋଗୀ ଚିହ୍ନଟ ପରେ ଶିଶୁଭବନ ଆଉଟଡୋରକୁ ବନ୍ଦ କରାଯାଇଛି। ଏପଟେ କଟକ ସହରରୁ ମଧ୍ୟ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏସବୁ ଭିତରେ ନୀଳଗିରି ବିଧାୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଚିନ୍ତା ବଢ଼ିଛି।

ଆଜି ଅନୁଗୁଳରୁ ୧, ବାଲେଶ୍ୱରରୁ ୧୪, ବରଗଡ଼ରୁ ୩୩, ଭଦ୍ରକରୁ ୧୨, ବଲାଙ୍ଗିରରୁ ୬, କଟକରୁ ୧୩, ଢେଙ୍କାନାଳରୁ ୧, ଗଜପତି ୧, ଗଞ୍ଜାମ ୧୬୬, ଜଗତସିଂହପୁରରୁ ୨୩, ଯାଜପୁରରୁ ୫୭, କଳାହାଣ୍ଡିରୁ ୧, କନ୍ଧମାଳରୁ ୩, କେନ୍ଦ୍ରାପଡ଼ାରୁ ୫, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨୧, କୋରାପୁଟରୁ ୧୦, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୨୪, ନୟାଗଡ଼ରୁ ୪, ପୁରୀରୁ ୩, ରାୟଗଡ଼ାରୁ ୧୩, ସମ୍ବଲପୁରରୁ ୧୫, ସୁନ୍ଦରଗଡ଼ରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି।

Comment