ଓଡିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣ ବାୟୁବାହିତ ବୋଲି ସ୍ଵୀକାର କରିଛି ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ। ପୂର୍ବରୁ ୩୨ଟି ଦେଶର ୨୩୯ ଜଣ ବୈଜ୍ଞାନିକ କରୋନା ଭୂତାଣୁ ବାୟୁ ଦ୍ଵାରା ବ୍ୟାପୁଛି ବୋଲି ଦାବି କରିଥିଲେ। ଏଥିସହ ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଜାରି କରିଥିବା ସଂକ୍ରମଣ ପରାମର୍ଶବଳୀରେ ପରିବର୍ତ୍ତନ କରିବାକୁ ସେମାନେ ମତ ଦେଇଥିଲେ। ବୈଜ୍ଞାନିକମାନଙ୍କର ଏହି ଦାବିକୁ ଡବ୍ଲ୍ୟୁଏଚଓ ଏବେ ସ୍ଵୀକାର କରିଛି।

ଡବ୍ଲ୍ୟୁଏଚଓରେ କୋଭିଡ୍-୧୯ର ବୈଷୟିକ ମୁଖ୍ୟ ଥିବା ମାରିୟା ଓ୍ଵା କରଖୋବ କହିଛନ୍ତି,”କରୋନା ଭାଇରସ୍ ବାୟୁମଣ୍ଡଳରେ ଥିବାର ପ୍ରମାଣ ମିଳିଛି, କିନ୍ତୁ ବର୍ତ୍ତମାନ ଏ ବିଷୟରେ ସ୍ପଷ୍ଟ ଭାବେ କିଛି କହି ହେବନାହିଁ। ତଥାପି ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ବନ୍ଦ ଜାଗାରେ ବାୟୁ ଜରିଆରେ ଭାଇରସ୍ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।”ଏହା ଉପରେ କରାଯାଉଥିବା ଅଧ୍ୟୟନ ଆସନ୍ତା ସପ୍ତାହ ‘ସାଇଣ୍ଟିଫିକ୍ ଜର୍ଣ୍ଣାଲ’ରେ ପ୍ରକାଶ ପାଇବାର ସମ୍ଭାବନା ରହିଛି। କୋଭିଡ୍-୧୯ ପରି ସଂସର୍ଗଜନିତ ସଂକ୍ରମଣ ଭିନ୍ନ ଭିନ୍ନ ଆକାରର ଜଣକଣା ମାଧ୍ୟମରେ ବ୍ୟାପିଥାଏ। ୫-୧୦ ମାଇକ୍ରନରୁ ବଡ଼ କଣିକାକୁ ସଂସର୍ଗଜନିତ ଜଳକଣା ବୋଲି ବିଚାର କରାଯାଏ। ୫ ମାଇକ୍ରନରୁ ଛୋଟ କଣିକାଗୁଡ଼ିକୁ ଅତି କ୍ଷୁଦ୍ର ଜଳକଣା କୁହାଯାଏ।

ଡବ୍ଲ୍ୟୁଏଚଓ ଅନୁସାରେ ଦେଖିଲେ, କୋଭିଡ୍-୧୯ ଭୂତାଣୁ ମୁଖ୍ୟତଃ ସଂସର୍ଗଜନିତ ଏବଂ ସଂସ୍ପର୍ଶଜନିତ ମାଧ୍ୟମ ସାହାଯ୍ୟରେ ବ୍ୟାପିଥାଏ। ଜଣେ ସଂକ୍ରମିତ ବ୍ୟକ୍ତି କଥା କହିବା, କାଶିବା କିମ୍ବା ଛିଙ୍କିବାବେଳେ ଏହି ଭୂତାଣୁ ବାହାରକୁ ଆସିଥାଏ ଏବଂ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ପାଖାପାଖି ୧ ମିଟର ଦୂର ଯିବା ପରେ ମାଟି ଉପରେ ପଡ଼ିଥାଏ। ଏହାପରେ ଭୂତାଣୁ ବାୟୁମଣ୍ଡଳରେ ବ୍ୟାପିବାର ପ୍ରଶ୍ନ ଉଠୁନି।କିନ୍ତୁ ସମ୍ପୃକ୍ତ ବୈଜ୍ଞାନିକମାନଙ୍କ କହିବା ଅନୁସାରେ, କରୋନା ଭୂତାଣୁ ବାୟୁ ଜରିଆରେ ମଧ୍ୟ ସଂକ୍ରମଣ କରିଥାଏ। ୫ ମାଇକ୍ରନରୁ ଛୋଟ ଏହି ଭୂତାଣୁଗୁଡ଼ିକ ବାୟୁମଣ୍ଡଳରେ ୧ ମିଟରରୁ ଅଧିକ ଦୂର ପର୍ଯ୍ୟନ୍ତ ବ୍ୟାପିଥାଏ ଏବଂ ବହୁତ ସମୟ ପର୍ଯ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ।

ବର୍ତ୍ତମାନ ଡବ୍ଲ୍ୟୁଏଚଓ ବୈଜ୍ଞାନିକଙ୍କ ଦାବିକୁ ସ୍ଵୀକାର କରିବା ସହ ଏ ଦିଗରେ ଆହୁରି ଅଧିକ ଗବେଷଣା ଜାରି ରଖିଛି।

Comment