ଓଡିଶାଲାଇଭ୍ ବ୍ୟୁରୋ

କଟକ: ଭୌଗଳିକ ସ୍ଥିତି ଦୃଷ୍ଟିରୁ କଟକର ଅନେକ ଗୁରୁତ୍ୱ ରହିଛି। ଜିଲ୍ଲାର ଚାରି ପାଖରେ ଜଳଉତ୍ସ ରହିଛି, ଯାହାକି ଜିଲ୍ଲାକୁ ଆକର୍ଷଣୀୟ କରିଛି। ତେବେ ଏହି ଭୂଖଣ୍ଡକୁ ପର୍ଯ୍ୟଟନ କ୍ଷେତ୍ରରେ ବିନିଯୋଗ କରିବାକୁ ଦୀର୍ଘ ଦିନ ଧରି ଦାବି ହେଉଥିବା ବେଳେ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇଛନ୍ତି। ଯାହାଫଳରେ କଟକକୁ ୱାଟର୍ ସ୍ପୋର୍ଟସ୍ ଏବଂ ଇକୋ-ଟୁରିଜିମ୍ ମ୍ୟାପ୍‌ରେ ସ୍ଥାନ ମିଳିଛି।

ଏହି ମ୍ୟାପ୍‌ରେ ସ୍ଥାନ ପାଇବା ଫଳରେ ଜିଲ୍ଲାକୁ ପର୍ଯ୍ୟଟନ ବିକାଶରେ ସାମିଲ୍ କରାଯିବ। ଏନେଇ ନିକଟରେ ପର୍ଯ୍ୟଟନ ବିଭାଗର ସଚିବ ବିଶାଲ ଦେବ କଟକ ଆସି ସ୍ଥିତି ସମୀକ୍ଷା କରି ଫେରିଛନ୍ତି।

କଟକ ଜିଲ୍ଳାରେ ୨୬ଟି ପର୍ଯ୍ୟଟନସ୍ଥଳୀ ରହିଛି। ସେଥିରେ କେବଳ ଅଂଶୁପା ଓ ସାତକୋଶିଆକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ପର୍ଯ୍ୟଟନସ୍ଥଳୀ ମନ୍ଦିର ଏବଂ ପ୍ରତ୍ନତତ୍ତ୍ଵ ଉପାଦାନ ସହ ଜଡିତ। ସମୟ ଅନୁଯାୟୀ ଲୋକଙ୍କ ରୁଚି ବଦଳୁଥିବାରୁ ଲୋକେ ଆଡ୍‌ଭେନ୍‌ଚର୍ସ ଟୁରିଜିମ୍ ପ୍ରତି ଆକୃଷ୍ଟ ହେଉଛନ୍ତି। ସେଥିପାଇଁ ମନାଲି, ଲୋନାୱାଲା, ଗୋଆ, ଲଦାଖ ଭଳି ଅଞ୍ଚଳର ପର୍ଯ୍ୟଟନ ଶିଳ୍ପ ବୃଦ୍ଧି ହେଉଛି।ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶା ମଧ୍ୟ ଭାରତୀୟ ଟୁରିଜିମ୍‌ର ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ନେଇଛି। ତେଣୁ ପର୍ଯ୍ୟଟକଙ୍କୁ ମନ୍ଦିର ଏବଂ ପ୍ରତ୍ନତାତ୍ତ୍ଵିକ ଗୁରୁତ୍ୱ ଥିବା ସ୍ଥାନ ଦେଖାଇବା ସହିତ କିଛି ନିଆରା ଭେଟି ଦେବାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ନିକଟରେ କୋଣାର୍କ ଚନ୍ଦ୍ରଭାଗା ମେରାଇନ୍ ଡ୍ରାଇଭ୍‌ରେ ‘ଇକୋ ରିଟ୍ରିଟ୍‌’ ବେଶ୍ ପ୍ରଶଂସା ସାଉଁଟିଛି। ସମୂଦ୍ର କୂଳରେ ପର୍ଯ୍ୟଟକଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିଛି ପର୍ଯ୍ୟଟନ ବିଭାଗ। ତେବେ ସାମୂଦ୍ରିକ ପରିବେଶକୁ ନେଇ ଯୋଜନା ସଫଳ ହେବା ପରେ ରାଜ୍ୟ ସରକାର ନଦୀର ସୌନ୍ଦର୍ଯ୍ୟକୁ ନେଇ ଯୋଜନା ଆରମ୍ଭ କରିଛନ୍ତି। ଏ ନେଇ ପ୍ରସ୍ତୁତ ୱାଟର୍ ସ୍ପୋର୍ଟସ୍ ଏବଂ ଇକୋ-ଟୁରିଜିମ୍‌ ମ୍ୟାପ୍‌ରେ କଟକ ଜିଲ୍ଲା ସବୁଠାରୁ ଆଗରେ ରହିଛି।

ଯୋଜନା ମୁତାବକ, ସାତକୋଶିଆ ଏବଂ ଅଂଶୁପାକୁ ଫୋକସ୍ ପଏଣ୍ଟ କରାଯାଇଛି। ସାତକୋଶିଆ ବାଲିପୁଟଠାରେ ଏଥିପାଇଁ ଜାଗା ଚିହ୍ନଟ କରାଯାଇଛି। ଏଠାରେ ଇକୋ-ଟୁରିଜିମ୍‌ର ବିକାଶ କରାଯିବ। କଟେଜ୍ ସାଙ୍ଗକୁ ରେଷ୍ଟୁରାଣ୍ଟ ବ୍ୟବସ୍ଥା କରାଯିବ।ସେହିପରି ୱାଟର୍ ସ୍ପୋର୍ଟସ୍ କଥା ମଧ୍ୟ ଚିନ୍ତା କରାଯାଉଛି। ଫଳରେ ପର୍ଯ୍ୟଟକ ବୋଟିଂ କରିବାକୁ ସୁଯୋଗ ପାଇବେ। ଏମିତିକି ଭାସମାନ ଡଙ୍ଗାରେ ପର୍ଯ୍ୟଟକଙ୍କୁ ଖାଦ୍ୟ ସାମଗ୍ରୀ ପରସା ଯିବାକୁ ମଧ୍ୟ ଯୋଜନା କରାଯାଉଥିବା ପର୍ଯ୍ୟଟନ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ଅଂଶୁପାକୁ ନେଇ ମଧ୍ୟ ଯୋଜନା କରାଯାଉଛି। ନିକଟରେ ଏଠାରେ ଓଟିଡିସି ତରଫରୁ ଏକ ରେଷ୍ଟୁରାଣ୍ଟ କରାଯାଇ ଜଙ୍ଗଲ ଓ ପରିବେଶ ବିଭାଗକୁ ହସ୍ତାନ୍ତର କରାଯାଇଛି।

ସେହିପରି ଏଠାରେ ଆଉ କ’ଣ ଉପାଦାନ ଯୋଡ଼ି ହେବ ସେ ଦିଗରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ମାତାମଠରେ ବନ୍ଦ ପଡ଼ିଥିବା ଜଳକ୍ରୀଡ଼ାକୁ ପୁଣିଥରେ ଆରମ୍ଭ କରାଯିବ। ଯଦିଓ ଏଠାରେ କାର୍ଯ୍ୟକାରୀ ହେଉଥିବା ‘ବର୍‌ଫି’ ଯୋଜନାରେ ୱାଟର୍‌ ସ୍ପୋର୍ଟସ୍‌କୁ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ଏହି କାମ ସ୍ୱତନ୍ତ୍ର ଭାବେ ପର୍ଯ୍ୟଟନ ବିଭାଗ କରିବ ବୋଲି ସୂଚନା ମିଳିଛି। ପର୍ଯ୍ୟଟନ ସଚିବ ନିଜେ ବ୍ୟକ୍ତିଗତ ଭାବେ ୪ ଦିନ ତଳେ ଏଠାକାର ସ୍ଥିତି ଦେଖି ଫେରିଛନ୍ତି।ସେହିପରି ନରାଜ ରିଂରୋଡ୍ ପାର୍ଶ୍ଵ କାଠଯୋଡ଼ି ନଦୀ ଅବବାହିକାକୁ ମଧ୍ୟ ୱାଟର୍ ସ୍ପୋର୍ଟସ୍ କ୍ଷେତ୍ରରେ ବିନିଯୋଗ କରିବାକୁ ନେଇ ଯୋଜନା କରାଯାଉଛି। ସାତକୋଶିଆ, ମାତାମାଠ ପରେ ତୃତୀୟ ଯୋଜନାରେ ନରାଜ ଭ୍ୟୁ ପଏଣ୍ଟକୁ ଏହି ପ୍ରକଳ୍ପରେ ସାମିଲ କରାଯିବ ବୋଲି ସୂଚନା ମିଳିଛି।

Comment