ଓଡିଶାଲାଇଭ୍ ବ୍ୟୁରୋ

ଫେମ୍ ଇଣ୍ଡିଆ-ଏସିଆ ପୋଷ୍ଟ ୨୦୨୦ ବର୍ଷ ପାଇଁ ୫୦ ଜଣ ଶ୍ରେଷ୍ଠ ବିଧାୟକଙ୍କ ତାଲିକା ପ୍ରସ୍ତୁତ କରିଛି। ଏହି ତାଲିକାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତି ଦେଶର ସର୍ବଶ୍ରେଷ୍ଠ ବିଧାୟକ ଭାବେ ସ୍ଥାନ ପାଇଛନ୍ତି। ଲୋକସମ୍ପର୍କ ରକ୍ଷା କ୍ଷେତ୍ରରେ ତାଙ୍କୁ ଏହି ସମ୍ମାନ ମିଳିଛି।

ଫେମ ଇଣ୍ଡିଆ-ଏସିଆ ପୋଷ୍ଟ ନାମକ ସଂସ୍ଥା ପକ୍ଷରୁ ୨୦୨୦ ବର୍ଷ ପାଇଁ ୫୦ ଜଣିଆ ଶେଷ୍ଠ ବିଧାୟକଙ୍କ ତାଲିକା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ବିଧାୟକମାନଙ୍କ ଲୋକପ୍ରିୟତା, କାର୍ଯ୍ୟଶୈଳୀ, ଜନସମ୍ପର୍କ, ଜନତାଙ୍କ ସ୍ୱାର୍ଥ, ବିଧାନସଭାରେ ପ୍ରଶ୍ନୋତ୍ତର, ନିର୍ବାଚନ ମଣ୍ଡଳିରେ କାର୍ଯ୍ୟଦକ୍ଷତା, ବିଧାୟକ ପାଣ୍ଠିର ଉପଯୋଗ ଆଦି ୫୦ଟି ବର୍ଗକୁ ଧ୍ୟାନ ଦିଆଯାଇଥିଲା।

ଏଥିପାଇଁ ଅନଲାଇନ୍ ସର୍ଭେ କରାଯାଇଥିଲା। ଏହି ସର୍ଭେରେ ୧୫୦୦ ଜଣ ବିଧାୟକ ମନୋନିତ ହୋଇଥିଲେ। ଏହାପରେ ବିଭିନ୍ନ ଷ୍ଟେକ୍ ହୋଲ୍ଡରମାନଙ୍କ ଜରିଆରେ ୧୫୦ ଜଣଙ୍କୁ ଫାଇନାଲ୍ ରାଉଣ୍ଡକୁ ନିଆଯାଇଥିଲା। ପରେ ବିଧାନସଭା, ଜନମତ, ଗଣମାଧ୍ୟମ ରିପୋର୍ଟ, ସାମାଜିକ କ୍ଷେତ୍ରରେ ଥିବା ବୁଦ୍ଧିଜୀବିମାନଙ୍କ ମତାମତ ନିଆଯାଇଥିଲା। ଏହିପରି ପ୍ରାୟ ୫୦ଟି ବର୍ଗରେ ସମୀକ୍ଷା ପରେ ଦେଶରେ ମାତ୍ର ୫୦ ଜଣ ବିଧାୟକଙ୍କୁ ଚୟନ କରାଯାଇଛି।ଜୟପୁର ବିଧାୟକ ତାରା ପ୍ରସାଦ ବାହନିପତିଙ୍କୁ ୧୬ ନମ୍ବରରେ ଯୋଗାଯୋଗ ସମ୍ପର୍କିତ ଦକ୍ଷତା ନିମନ୍ତେ ଚୟନ କରାଯାଇଛି। ଆସନ୍ତା ଜାନୁଆରୀ ମାସରେ ତାଙ୍କୁ ଏହି ସଂସ୍ଥା ପକ୍ଷରୁ ପୁରସ୍କୁତ କରାଯିବ।

ଏହି ତାଲିକା ପ୍ରକାଶ ହେବା ପରେ ବିଧାୟକ ବାହିନିପତି ଖୁସି ବ୍ୟକ୍ତ କରିଛନ୍ତି। ଫେମ୍ ଇଣ୍ଡିଆ-ଏସିଆ ପୋଷ୍ଟର ଏଭଳି ପଦକ୍ଷେପ ତାଙ୍କୁ ଆହୁରି ଲୋକାଭିମୁଖୀ କରାଇବ ବୋଲି ସେ କହିଛନ୍ତି। ଏଥିସହ ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ଯାଏ ଲୋକଙ୍କ ସ୍ୱାର୍ଥ ପାଇ ଲଢ଼େଇ କରିବି ବୋଲି ତାରା କହିଛନ୍ତି।

କୋରାପୁଟରେ ୨ ଥର ଓ ଜୟପୁର ନିର୍ବାଚନ ମଣ୍ଡଳିରେ ୨ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଲୋକଙ୍କ ପ୍ରିୟଭାଜନ ହୋଇଥିବା ବାହିନିପତି ଏବେ ଶେଷ୍ଠ ବିଧାୟକ ସମ୍ମାନ ପାଇବା ପରେ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି।BGUଫେମ୍ ଇଣ୍ଡିଆ-ଏସିଆ ପୋଷ୍ଟ ପକ୍ଷରୁ ସାରା ଦେଶର ବିଧାୟକମାନଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଧାୟକମାନଙ୍କ କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ସହିତ ସେମାନଙ୍କୁ ସମ୍ମାନ ଦେବା, ଯାହାଦ୍ଵାରା ସେମାନଙ୍କର ସାମାଜିକ ଦାୟିତ୍ଵ ବୋଧ ରହିବ ଏବଂ ସେମାନେ ଲୋକଙ୍କ ସୁଖ ଦୁଃଖରେ ସାମିଲ ହେବେ।

Comment