ଓଡ଼ିଶାଲାଇଭ୍ ବ୍ୟୁରୋ

ମଣ୍ଡୁଳିରେ ବର୍ତ୍ତମାନ ୧୦ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ସ୍ତରରେ ଜଳ ପ୍ରବାହ ହେବ। ଏଠାରେ ଜଳ ପ୍ରବାହ ଆଉ ବେଶୀ ବଢ଼ିବନି ବୋଲି ସ୍ୱତନ୍ତ୍ର ରିଲିଫ୍ କମିସନର(ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରରୁ ଛତିଶଗଡ଼ରୁ ପାଣି ଆସିବା କମି ଯାଇଛି। ଗତକାଲି ହୀରାକୁଦରୁ ସାଢ଼େ ୯ ଲକ୍ଷ କ୍ୟୁସେକ୍ ଜଳ ଆସୁଥିବା ବେଳେ ଆଜି ୭ ଲକ୍ଷ କ୍ୟୁସେକ୍ ଜଳ ଆସୁଛି। ବର୍ତ୍ତମାନ ମୁଣ୍ଡୁଳି ଦେଇ ୧୦ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆସନ୍ତାକାଲି ସକାଳ ଯାଏଁ ଏହି ସ୍ତରରେ ଜଳ ପ୍ରବାହ ହେବ। ସକାଳ ପରେ ମୁଣ୍ଡୁଳିରେ ଧୀରେ ଧୀରେ ଜଳ ପ୍ରବାହ କମିବ ବୋଲି ସେ ସୂଚନା ଦେଇଛନ୍ତି।

ମୁଣ୍ଡୁଳିରେ ଜଳ ପ୍ରବାହ କମିବାର ୮ ଘଣ୍ଟା ପରେ କେନ୍ଦ୍ରାପଡ଼ାରେ ଏବଂ ୧୦ ଘଣ୍ଟା ପରେ ପୁରୀରେ ଜଳ ସ୍ତର ହ୍ରାସ ପାଇବ ବୋଲି ଏସ୍‌ଆର୍‌ସି କହିଛନ୍ତି। ବନ୍ୟା ପ୍ରଭାବରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହାକୁ ମୁକାବିଲା କରିବା ପାଇଁ ଓଡ୍ରାଫ୍, ଏନ୍‌ଡିଆର୍‌ଏଫ୍ ଟିମ୍ ସମେତ ପ୍ରଶାସନ ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି।BGUମୁଣ୍ଡୁଳିରେ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଲେ ଦୟା ଏବଂ ଭାର୍ଗବୀ ନଦୀ ସମସ୍ୟା ସୃଷ୍ଟି କରନ୍ତି। ତେଣୁ ଏବେ ଉଭୟ ନଦୀ ଯୋଗୁଁ କଣାସ ଓ ଡେଲାଙ୍ଗର ବହୁ ଗାଁ ଜଳମଗ୍ନ ହୋଇଛି। ଦୟା ନଦୀରେ ୨ଟି ଏବଂ ରାଜୁଆ ନଦୀରେ ଗୋଟିଏ ଘାଇ ସୃଷ୍ଟି ହୋଇଛି। ପାଣି କମିବା ମାତ୍ରେ ତୁରନ୍ତ ଘାଇଗୁଡ଼ିକୁ ମରାମତି କରାଯିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

Comment