ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଯୋଗୁଁ ଦୀର୍ଘ ପାଞ୍ଚ ମାସ ହେଲା ସ୍କୁଲ, କଲେଜ ବନ୍ଦ ରହିଛି। ତେଣୁ ବର୍ତ୍ତମାନ ଅନ୍‌ଲାଇନ୍‌ରେ ପାଠ ପଢ଼ା ହେଉଛି। ତେବେ ପିଲାମାନେ ଏହି କଠିନ ସମୟକୁ କିପରି ସାମ୍ନା କରୁଛନ୍ତି, ପାଠ ପଢ଼ା ସହ କିପରି ନିଜକୁ କଳାତ୍ମକ ଦିଗରେ ନିୟୋଜିତ କରିହେବ ସେ ସମ୍ପର୍କରେ କହୁଛନ୍ତି ମୟୂରଭଞ୍ଜ ଜିଲ୍ଲା ବାରିପଦାର ଅଷ୍ଟମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ବ୍ରହ୍ମା।

“କୋଭିଡ୍ ପୂର୍ବରୁ ଆମେ ବହୁତ ଖୁସିରେ ଥିଲୁ। ଆମେମାନେ ସ୍କୁଲ ଯାଉଥିଲୁ। ସାଙ୍ଗସାଥୀଙ୍କ ସହିତ ମଜା ମସ୍ତି କରୁଥିଲୁ। ଶିକ୍ଷକମାନଙ୍କ ସହ ସିଧାସଳଖ କଥା ହୋଇପାରୁଥିଲୁ। କିନ୍ତୁ କରୋନା ମହାମାରୀ ପରେ ଅନ୍‌ଲାଇନ୍ ପାଠ ପଢ଼ା ଦ୍ଵାରା ସେସବୁ ସମ୍ଭବ ହେଉନି। ଆମେ କେବଳ ପାଠ ପଢ଼ୁଛୁ। କିନ୍ତୁ କ୍ଲାସ୍ ଭିତରେ ଗୁରୁଜୀ ଗୁରୁମାଙ୍କ ସହିତ ଆମେ ଯେମିତି ସିଧାସଳଖ ଯୋଗାଯୋଗ କରିପାରୁଥିଲୁ, ପାଠ ପଢ଼ାକୁ ନେଇ କୌଣସି ସନ୍ଦେହ ଥିଲେ ସାଙ୍ଗେ ସାଙ୍ଗେ ସେମାନେ ଆମକୁ ବୁଝାଉଥିଲେ ସେଇଟା ଅନ୍‌ଲାଇନ୍‌ କ୍ଲାସ୍‌ରେ ହେଉନି”, କହିଛନ୍ତି ଶ୍ରୀ ସତ୍ୟସାଇ ବିଦ୍ୟାବିହାରର ଅଷ୍ଟମ ଶ୍ରେଣୀର ଛାତ୍ରୀ ଆଦ୍ୟାଶା ବ୍ରହ୍ମା।

ଓଡିଶାଲାଇଭ୍ ଓ ସ୍ଵାସ୍ଥ୍ୟ ପ୍ଲସ୍‌ର ମିଳିତ ଅଭିଯାନ ‘କେତେ ନୂଆ ବାଟ’ର ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘କାହାଣୀ ଜଣେ କରୋନା ଯୋଦ୍ଧାର’ରେ ଭାଗ ନେଇ ଆଦ୍ୟାଶା ଏହା କହିଛନ୍ତି।

ଆଦ୍ୟାଶା ନିଜ ବାପା, ମା ଏବଂ ଭାଇଙ୍କ ସହ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ରୁହନ୍ତି। ବର୍ତ୍ତମାନ ସ୍କୁଲ ବନ୍ଦ ଥିବାରୁ ଅନ୍ୟ ପିଲାଙ୍କ ପରି ଆଦ୍ୟାଶା ମଧ୍ୟ ଅନ୍‌ଲାଇନ୍ କ୍ଲାସ କରୁଛନ୍ତି।ନିଜର ପ୍ରତିଭା ବିକଶିତ କରିବାକୁ ବହୁତ ସମୟ ମିଳୁଛି

କରୋନା ମହାମାରୀ ପରେ ଆମକୁ ଅଧିକା ସମୟ ମିଳୁଛି। ନିଜର ପ୍ରତିଭା ଉପରେ ଗୁରୁତ୍ଵ ଦେବା ସହ ତାକୁ ଆଉ ଟିକେ ଆଗକୁ ନେବା ପାଇଁ ସୁଯୋଗ ମିଳୁଛି। ଯେହେତୁ ଆମକୁ ବହୁତ ସମୟ ମିଳୁଛି ତେଣୁ ମୁଁ ଅଲଗା ଅଲଗା କାମ କରିବାକୁ ବେଶୀ ଗୁରୁତ୍ଵ ଦେଉଛି ବୋଲି ଆଦ୍ୟାଶା କହିଛନ୍ତି।

ସେ ଆହୁରି କହିଛନ୍ତି, “ମୋର ବହୁତ ସାଙ୍ଗ ମୋବାଇଲ୍‌ରେ ଗେମ୍ ଖେଳି ସମୟ ବିତାଉଛନ୍ତି। ସେମାନେ ନିଜ ପ୍ରତିଭା ଉପରେ ଧ୍ୟାନ ଦେଉନାହାନ୍ତି। କିନ୍ତୁ ମୁଁ ମୋ ସମୟର ସଦୁପଯୋଗ କରିବା ପାଇଁ ଗୁରୁତ୍ଵ ଦେଇଛି। ଏଥିପାଇଁ ବାପା ମୋତେ ବହୁତ ସହଯୋଗ କରିଛନ୍ତି।ପାଠ ପଢ଼ା ସହିତ କଳାତ୍ମକ ଦିଗ ପ୍ରତି ଗୁରୁତ୍ଵ ଦେବା ଦରକାର

ପୂର୍ବରୁ କ୍ଲାସ, ଟ୍ୟୁସନ ଆଦିରେ ବହୁତ ସମୟ ଯାଉଥିଲା। ତେଣୁ ଆମ ଭିତରେ ଯେଉଁ ପ୍ରତିଭା ରହିଛି ତାକୁ ଆମେ ଉନ୍ନତ କରିପାରୁନଥିଲୁ। କିନ୍ତୁ ଏବେ ଆମର ମାତ୍ର ତିନିରୁ ଚାରି ଘଣ୍ଟା କ୍ଲାସ୍ ହେଉଛି। ତେଣୁ ବର୍ତ୍ତମାନ ସମୟରେ ବିଭିନ୍ନ କାମରେ ନିଜକୁ ନିୟୋଜିତ କରିବା ଉଚିତ। କିନ୍ତୁ ତା ମାନେ ନୁହେଁ ଯେ ଆମେ ପାଠକୁ ଛାଡ଼ିଦେବା। ପାଠ ପଢ଼ା ସହିତ ନାଚ, ଗୀତ, ଚିତ୍ରାଙ୍କନ କିମ୍ବା ଅନ୍ୟ କିଛି କରି ନିଜ ପ୍ରତିଭାର ବିକାଶ କରିବା ଦରକାର।

ୟୁଟ୍ୟୁବ୍ ଚ୍ୟାନେଲରେ ବିଭିନ୍ନ ଭିଡିଓ ସେୟାର କରୁଛନ୍ତି ଆଦ୍ୟାଶା

ଅନ୍ୟ ପିଲାମାନଙ୍କୁ ସମୟର ସଦୁପଯୋଗ କରିବାକୁ ବୁଝେଇବା ଲାଗି ଆଦ୍ୟାଶା ଏକ ୟୁଟ୍ୟୁବ୍ ଚ୍ୟାନେଲ ଖୋଲିଛନ୍ତି। ସେ ନିଜର ପଢ଼ା ବିଷୟକୁ ଅନ୍‌ଲାଇନ୍‌ କ୍ଲାସ୍ ମାଧ୍ୟମରେ ବୁଝିବା ପରେ ନିଜ ୟୁଟ୍ୟୁବ୍ ଚ୍ୟାନେଲ ଜରିଆରେ ଅନ୍ୟ ପିଲାମାନଙ୍କୁ ମଧ୍ୟ ବୁଝାଇଥାନ୍ତି। ଗତ ଏପ୍ରିଲ ମାସରୁ ୟୁଟ୍ୟୁବ୍ ମାଧ୍ୟମରେ ପାଠ ପଢ଼ା ସହିତ ଆଦ୍ୟାଶା ନାଚ, କ୍ରାଫ୍ଟ ଭିଡିଓ ଆଦି ସେୟାର କରୁଛନ୍ତି। ଏହାଦ୍ଵାରା ସେ ନିଜ ବଳକା ସମୟର ସଦୁପଯୋଗ କରିବା ସହିତ ଅନ୍ୟ ପିଲାଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ପରିବାର ସହ ମିଶି ଯୋଗ ଓ ବ୍ୟାୟାମ କରୁଛୁ

ଲକ୍‌ଡାଉନ୍ ଯୋଗୁଁ ଏବେ ଆମେ ଘରେ ରହୁଛୁ। ତେଣୁ ଶାରୀରିକ ପରିଶ୍ରମ ହେଉନି। ସେଥିପାଇଁ ବାପା ମା’ଙ୍କ ସହ ମିଶି ମୁଁ ଯୋଗ, ବ୍ୟାୟାମ କରେ। ଏହାଛଡ଼ା ମୁଁ ପ୍ରତିଦିନ ନାଚ ଅଭ୍ୟାସ କରେ। ଏହାଦ୍ଵାରା ଶାରୀରିକ ପରିଶ୍ରମ ବି ହେଇଯାଏ ବୋଲି ଆଦ୍ୟାଶା କହିଛନ୍ତି।ପରିବାର ସଦସ୍ୟଙ୍କୁ କାମରେ ସାହାଯ୍ୟ କରିବା ଉଚିତ

ଅନ୍‌ଲାଇନ୍‌ରେ ବେଶି ସମୟ ନିଜକୁ ନିୟୋଜିତ ରଖିବା କିମ୍ବା ମୋବାଇଲରେ ଗେମ୍ ଖେଳିବା ଦ୍ଵାରା ଉଭୟ ଶାରୀରିକ ଏବଂ ମାନସିକ ପ୍ରଭାବ ପଡ଼ିଥାଏ। ତେଣୁ ପିଲାମାନଙ୍କୁ ଏସବୁରୁ ନିବୃତ୍ତ ରହିବା ପାଇଁ ଆଦ୍ୟାଶା ପରାମର୍ଶ ଦେଇଛନ୍ତି। ଏନେଇ ସେ କହିଛନ୍ତି, “ଯେତିକି ସମୟ ଆମେ ଅନ୍‌ଲାଇନ୍‌ ଗେମ୍ କିମ୍ବା ମୋବାଇଲରେ ବିତାଉଛନ୍ତି ସେତିକି ସମୟ ଆମେ ଆମ ପରିବାର ଲୋକଙ୍କୁ ସାହାଯ୍ୟ କରିବା। ବାପା ମା’ଙ୍କୁ କାମରେ ସାହାଯ୍ୟ କରିବା। ଏହାଛଡ଼ା ନିଜର ଯେଉଁ ପ୍ରତିଭା ଅଛି ତା ଉପରେ ଗୁରୁତ୍ଵ ଦେବା। ଏହା ଫଳରେ ଲକ୍‌ଡାଉନ୍ ଖୋଲିବା ବେଳକୁ ଆମର ସେହି ପ୍ରତିଭା ଆହୁରି ଉନ୍ନତ ହୋଇଯାଇଥିବ।”

ପ୍ରକୃତିର ବହୁତ ବଡ଼ ଅବଦାନ ରହିଛି

ଆଜିକାଲି ଲୋକମାନେ ପ୍ରକୃତିର ଅବଦାନକୁ ବୁଝୁନାହାନ୍ତି। ଗଛ କାଟିଦେଲେ ଖାଲି ଗଛର କ୍ଷତି ହେବ ବୋଲି ସେମାନେ ଭାବୁଛନ୍ତି। କିନ୍ତୁ ଗଛ ଯଦି ନ ରହିବ ତେବେ ଆମେ ବି ରହିବୁନି। ତେଣୁ କରୋନା ମହାମାରୀ ଜରିଆରେ ଭଗବାନ ଆମକୁ ଗୋଟିଏ ଶିକ୍ଷା ଦେଇଛନ୍ତି। ପ୍ରକୃତିର ଆମମାନଙ୍କ ପ୍ରତି ବହୁତ ବଡ଼ ଅବଦାନ ରହିଛି, ତେଣୁ ତାକୁ ଆମେ ଯେମିତି ନଷ୍ଟ କରିବା ନାହିଁ ସେକଥା ଭଗବାନ ଆମକୁ ବୁଝାଇଛନ୍ତି।କରୋନା ଯୋଗୁଁ ପ୍ରଦୂଷଣ କମିଛି

କରୋନା କଟକଣା ଯୋଗୁଁ ପ୍ରଦୂଷଣର ମାତ୍ରା ଅନେକ ପରିମାଣରେ କମିଯାଇଛି। ତେଣୁ ମହାମାରୀ ପରେ ପ୍ରକୃତି ଉପରେ ଏହାର ଏକ ସକରାତ୍ମକ ପ୍ରଭାବ ମଧ୍ୟ ପଡ଼ିଛି ବୋଲି ଆଦ୍ୟାଶା କହିଛନ୍ତି।BGUକରୋନା ଆରମ୍ଭ ହେବା ସମୟରେ ଆଦ୍ୟାଶା ନିଜ ବାପା ଏବଂ ଭାଇଙ୍କ ସହ ମିଶି ଏକ ନାଟକ କରିଥିଲେ। ସାମାଜିକ ଦୂରତା, ମାସ୍କ ଆଦି ଉପରେ ବିଭିନ୍ନ ଚିତ୍ର କରି ସୋସିଆଲ ମିଡିଆରେ ସେୟାର କରିଥିଲେ। ଏଥିସହ ପ୍ରାୟ ୧୦ଟି ପରିବାରର ଲୋକଙ୍କୁ ସେ କରୋନା ସଚେତନତା ବାର୍ତ୍ତା ଦେବା ସହ ନିଜ ସାଙ୍ଗମାନଙ୍କୁ ମଧ୍ୟ ସଚେତନ କରାଇଛନ୍ତି।

Comment