ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି)ପକ୍ଷରୁ ଗୁରୁବାର ନିଗମର ମୁଖ୍ୟ କାର୍ଯ୍ୟଳୟ ପରିସରରେ ୪୧ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। କୋଭିଡ-୧୯ର ସମସ୍ତ କଟକଣା ସହ ଭର୍ଚୁଆଲ ମାଧ୍ୟମରେ ଦିବସଟିକୁ ନିରାଡ଼ମ୍ଵର ଭାବେ ପାଳନ କରାଯାଇଥିବା ସୂଚନା ମିଳିଛି। ଏହି ଉତ୍ସବରେ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ।“ରାଜ୍ୟରେ ପର୍ଯ୍ୟଟର ବିକାଶ ଯାତ୍ରାରେ ଓଟିଡିସି ୪୧ ବର୍ଷ ଧରି ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଏକ ଲାଭଦାୟକ ଅନୁଷ୍ଠାନ ହୋଇ ରାଜ୍ୟ ସରକାରଙ୍କ ରୌପ୍ୟ ବର୍ଗର ସରକାରୀ ଉଦ୍ୟୋଗ ହୋଇପାରିଛି। କରୋନା ମହାମାରୀ ପରିସ୍ଥିତି ମଧ୍ୟରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପ ସର୍ବାଧିକ ପ୍ରଭାବିତ ହୋଇଥିବା ବେଳେ ନିଗମ ନିଜର ୨୧ଟି ପାନ୍ଥନିବାସ ଓ ୨ଟି ପରିବହନ ୟୁନିଟ୍ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ଦୈନିକ ଖାଦ୍ୟ, ପାନୀୟ, ରହିବା ଓ ପରିବହନ ସୁବିଧା ଯୋଗାଇ ଦେଇ ପ୍ରଶଂସିତ ହୋଇଛି”, କହିଛନ୍ତି ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର।BGUପ୍ରତିଷ୍ଠା ଦିବସରେ ନନ୍ଦନକାନନର ଗୋଟିଏ ଧଳାବାଘ ‘ସ୍ପନ୍ଦନ’ର ଭରଣପୋଷଣ ଦାୟିତ୍ଵ ଓଟିଡିସି ନେଇଛି। ଏହା ସହିତ ‘ଅତିଥି ଦେବୋ ଭବଃ’ ସ୍ଲୋଗାନକୁ ଆଧାର କରି ଦେଶ ବିଦେଶର ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ କରିବା ପାଇଁ ନିଗମ ପକ୍ଷରୁ ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ଵତନ୍ତ୍ର ଅଡିଓ/ଭିଡିଓ ଉନ୍ମୋଚନ କରାଯାଇଛି। ଏହି ଅବସରରେ ଓଟିଡିସିର ପରିଚାଳନା ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇ ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି। ଏଥିସହ ଆଗାମୀ ଦିନମାନଙ୍କରେ ପର୍ଯ୍ୟଟନ ଶିଳ୍ପ ବିକାଶ କ୍ଷେତ୍ରରେ ନିଗମ ଯେପରି ପ୍ରମୁଖ ଭୂମିକା ଗ୍ରହଣ କରିବ ସେଥିପାଇଁ ସମସ୍ତେ ଯତ୍ନଶୀଳ ହେବାକୁ ପରାମର୍ଶ ଦେଇଛନ୍ତି।

Comment