ଓଡ଼ିଶାଲାଇଭ୍ ବ୍ୟୁରୋ

୧୯୬୦ ଦଶକରେ ଜୟପ୍ରକାଶ ନାରାୟଣଙ୍କ ଛାତ୍ର ଆନ୍ଦୋଳନ ବେଳେ ବିହାରର ଯେଉଁ ଛାତ୍ର ନେତାମାନେ ଚର୍ଚ୍ଚାକୁ ଆସିଥିଲେ, ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ରାମ ବିଳାସ ପାଶ୍ୱାନ। ଦେଶର ଜରୁରିକାଳୀନ ସ୍ଥିତିରେ  ସରକାରଙ୍କୁ ବିରୋଧ କରି ଗିରଫ ହୋଇଥିଲେ। ଜନତା ପାର୍ଟିର ପରିଧି ଡେଇଁ ନିଜେ ଗଢ଼ିଥିଲେ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)।

ଛାତ୍ର ଆନ୍ଦୋଳନରୁ ପଡ଼ିଥିଲା ରାଜନୀତି ମୂଳଦୁଆ

୧୯୬୦ ଦଶକରେ ଜୟପ୍ରକାଶ ନାରାୟଣଙ୍କ ଛାତ୍ର ଆନ୍ଦୋଳନ ବେଳେ ବିହାରର ଯେଉଁ ଛାତ୍ର ନେତାମାନେ ଚର୍ଚ୍ଚାକୁ ଆସିଥିଲେ, ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ରାମ ବିଳାସ ପାଶ୍ୱାନ। ପାଟନା ବିଶ୍ୱବିଦ୍ୟାଳୟର ଛାତ୍ର ଥିବା ସମୟରୁ ଏହି ଛାତ୍ରନେତା ଜଣକ ସମାଜବାଦୀ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତି ମୈଦାନରେ ପାଦ ଦେଇଥିଲେ। ସେମାନଙ୍କ ସମସାମୟିକ ଛାତ୍ରନତା ଥିଲେ ଲାଲୁ ଯାଦବ, ନୀତୀଶ କୁମାର, ସୁଶୀଲ ମୋଦି। ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି ହେବା ପରେ ତାହାକୁ ବିରୋଧ କରି ପାଶଓ୍ୱାନ ଗିରଫ ହୋଇଥିଲେ।

୫ ଦଶନ୍ଧିର ରାଜନୈତିକ ଯାତ୍ରା

ଦେଶର ଜଣେ ଆଗଧାଡ଼ିର ନେତା ଥିଲେ ରାମବିଳାସ ପାଶଓ୍ୱାନ। ଦୀର୍ଘ ପାଞ୍ଚ ଦଶନ୍ଧି ଧରି ନିଜ ରାଜ୍ୟ ବିହାର ସହ ଭାରତୀୟ ରାଜନୀତିରେ ସେ ସକ୍ରିୟ ଥିଲେ। ୧୯୭୨ରେ ପ୍ରଥମେ ବିହାର ବିଧାନସଭାକୁ ନିର୍ବାଚିତ ହେବା ସହ ୧୯୭୭ରେ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ଲୋକସଭାକୁ ୮ ଥର ନିର୍ବାଚିତ ହେବା ସହ ଓ ରାଜ୍ୟସଭାକୁ ଥରେ ମନୋନୀତ ହୋଇଥିଲେ। ଜନତା ପାର୍ଟିରୁ ହାଜିପୁର ଆସନରୁ ୭ ଥର ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ ପାଶଓ୍ୱାନ। ଦେଶର ୬ ଜଣ ପ୍ରଧାନମନ୍ତ୍ରୀଙ୍କ ସମୟରେ ସେ କ୍ୟାବିନେଟ୍ ମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି। ବର୍ତ୍ତମାନ ସେ ମୋଦୀ କ୍ୟାବିନେଟ୍‌ରେ କେନ୍ଦ୍ର ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରୀ ଥିଲେ।

ଅଧୁରା ରହିଗଲା ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା

ପାର୍ଲାମେଣ୍ଟର ସର୍ବକନିଷ୍ଠ ଲୋକସଭା ସଦସ୍ୟ ହୋଇପାରିଥିବା ରାମବିଳାସ ପାଶ୍ୱାନଙ୍କୁ ରାଜ୍ୟ ରାଜନୀତିରୁ ବାହାର କରି ଫିଙ୍ଗିଦେବାରେ ରାଜ୍ୟର ଅନ୍ୟ ଜଣେ ସମସାମୟିକ ନେତା କାର୍ଯ୍ୟ କରିଥିଲେ। ସମ୍ଭବତଃ ତାଙ୍କରି ପାଇଁ ପାଶ୍ୱାନଙ୍କ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଅଧୁରା ରହିଗଲା। କିନ୍ତୁ ତାଙ୍କ ପୁଅ ଚିରାଗଙ୍କ ଆଶା ବିହାରରେ ମୁଖ୍ୟମନ୍ତ୍ରୀ ଆସନରେ ବସି ବାପାଙ୍କ ସ୍ୱପ୍ନକୁ ପୂରଣ କରିବେ। ସେଥିପାଇଁ ସେ ଫିଲ୍ମ ଦୁନିଆକୁ ଅଲବିଦା କରି ରୁପେଲି ପରଦାରୁ ସିଧା ଚଳିତ ନିର୍ବାଚନ ପାଇଁ ଓହ୍ଲାଇ ଆସିଛନ୍ତି ରାଜନୈତିକ ମଇଦାନକୁ। ରାମ ବିଳାସ ପୁତ୍ରର ରାଜନୈତିକ ଉଚ୍ଚାକାଂକ୍ଷା ଦେଖି ତାଙ୍କୁ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ର ରାଷ୍ଟ୍ରୀୟ ସଭାପତି ମଧ୍ୟ କରିଦେଇଥିଲେ।

Comment