ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଏବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି। ଆଜି ଅପରାହ୍ଣରେ ଏହା ସୁନ୍ଦରବନ ଅତିକ୍ରମ କରିବ। ଏହାର ପ୍ରଭାବରେ ଉତ୍ତର ଓ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଏହି ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ବର୍ତ୍ତମାନ ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି। ପାରାଦୀପଠାରୁ ପୂର୍ବ- ଉତ୍ତରପୂର୍ବ ଦିଗରେ ୨୦୦ କିଲୋମିଟର ଦୂରରେ ରହିଛି।

ଆଜି ମଧ୍ୟାହ୍ନରେ ଏହା ବାଂଲାଦେଶର ଖେପୁପାରାରେ ସୁନ୍ଦରବନ ଅତିକ୍ରମ କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ମୟୂରଭଞ୍ଜ, ଢେଙ୍କାନାଳ, କେନ୍ଦୁଝରରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comment