ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଓଲିଉଡର ଚର୍ଚ୍ଚିତ ଷ୍ଟାର୍‌ ଦମ୍ପତି ଅନୁଭବ-ବର୍ଷାଙ୍କ ବିବାହ ବିବାଦ ମାମଲାରେ ନଭେମ୍ବର ୧୫ରୁ ୩୦ ତାରିଖ ଭିତରେ ଆପୋସ ବୁଝାମଣା ପାଇଁ ମଧ୍ୟସ୍ଥତା କମିଟି ପ୍ରସ୍ତାବ ଦେଇଛନ୍ତି। ଏହି ସମୟ ମଧ୍ୟରେ ଗୋଟିଏ ଦିନ ସ୍ଥିର ହେବ। ସେହିଦିନ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉଭୟ ନିଜ ନିଜ ମତ ରଖିବେ। ଉଭୟଙ୍କ ମତକୁ ବିଚାର କରି ମଧ୍ୟସ୍ଥତା କମିଟି ତାଙ୍କ ନିଷ୍ପତ୍ତି ଶୁଣାଇବେ ବୋଲି ଜଣାପଡ଼ିଛି।

ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍‌ସ୍ଥିତ ପାରିବାରିକ କୋର୍ଟରେ ବର୍ଷାଙ୍କ ବିରୋଧରେ ଛାଡ଼ପତ୍ର ମାମଲା ରୁଜୁ କରିଛନ୍ତି, ଯାହାକୁ କଟକକୁ ସ୍ଥାନାନ୍ତର କରିବାକୁ ବର୍ଷା ସୁପ୍ରିମ୍‌କୋର୍ଟକୁ ଯାଇଥିଲେ। ସୁପ୍ରିମ୍‌କୋର୍ଟ ଏହି ମାମଲାର ଶୁଣାଣି କରି ଉଭୟଙ୍କ ମଧ୍ୟରେ ଆପୋସ ଆଲୋଚନା କରି ବିବାଦ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ସୁପ୍ରିମ୍‌କୋର୍ଟର ମଧ୍ୟସ୍ଥତା କମିଟି ଏବେ ପ୍ରସ୍ତାବ ଦେଇଛନ୍ତି।ଅନ୍ୟପଟେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ବିଚାରଧୀନ ଥିବା ଛାଡ଼ପତ୍ର ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୧୦ ତାରିଖକୁ ଧାର୍ଯ୍ୟ ହୋଇଛି।

ବର୍ଷା ସ୍ୱାମୀ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି। ଏଥିସହ ଅନୁଭବଙ୍କଠାରୁ ୧୫ କୋଟି ଟଙ୍କାର ଭରଣପୋଷଣ ରାଶି ଦାବି କରି ସେ କଟକ ଏସ୍‌ଡିଜେଏମ୍‌ ଅଦାଲତରେ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ଜବାବ ଦାଖଲ ଲାଗି ଅନୁଭବଙ୍କୁ ନୋଟିସ୍ ଜାରି କରାଯାଇଛି।

ସେହିପରି କଟକ ପରିବାର ଅଦାଲତରେ ବର୍ଷା ଆଉ ଏକ ମାମଲା ରୁଜୁ କରି ହିନ୍ଦୁ ମ୍ୟାରେଜ୍ ଆକ୍ଟ ଧାରା ୯ ଅନୁସାରେ ‘ବିବାହକୁ ସୁରକ୍ଷା ଦେବାକୁ, ସଂରକ୍ଷିତ ରଖିବାକୁ’, ବିବାହ-ବିଚ୍ଛେଦ ନକରାଇବାକୁ ଏକ ସ୍ୱତନ୍ତ୍ର ପିଟିସନ୍ ଦାଏର କରିଛନ୍ତି। ଏଥିରେ ମଧ୍ୟ ଅନୁଭବଙ୍କୁ ନୋଟିସ୍ ଜାରି କରାଯାଇଛି।

Comment