ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୟାପଟେନ୍ ଗୋପୀନାଥଙ୍କ ଯୋଗୁ ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା ସହଜ ହୋଇପାରିଛି।

ଦିନ ଥିଲା ଯେତେବେଳେ ସାଧାରଣ ଲୋକଙ୍କ ପାଇଁ ବିମାନ ଯାତ୍ରା ସ୍ଵପ୍ନ ପରି ଲାଗୁଥିଲା। କାରଣ ଉଡ଼ାଜାହାଜରେ ଯିବା ଲାଗି ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ସେତେବେଳେ କେବଳ ଭିଆଇପି ଏବଂ ଧନୀ ଲୋକମାନେ ବିମାନରେ ଯାତ୍ରା କରୁଥିଲେ। କିନ୍ତୁ ସାଧାରଣ ଲୋକଙ୍କ ଏହି ସ୍ଵପ୍ନକୁ ପୂରା କରିବା ପାଇଁ ଆଗେଇ ଆସିଥିଲେ କ୍ୟାପଟେନ୍ ଜି.ଆର. ଗୋପୀନାଥ। ସେ ‘ଏୟାର ଡେକ୍କାନ’ ନାମରେ ଏକ ଏୟାରଲାଇନ୍ସ ପ୍ରତିଷ୍ଠା କରି ସୁଲଭ ଦରରେ ଟିକେଟ୍ ଉପଲବ୍ଧ କରାଇଲେ। ଫଳରେ ସାଧାରଣ ଲୋକମାନେ ମଧ୍ୟ ଉଡ଼ାଜାହାଜରେ ଯିବାକୁ ସମର୍ଥ ହେଲେ।

କ୍ୟାପଟେନ୍ ଜି.ଆର. ଗୋପୀନାଥ କିଏ?

ଗୋରୁର ରାମାସ୍ଵାମୀ ଅୟଂଗର ଗୋପୀନାଥ ୧୯୫୧ ନଭେମ୍ବର ୧୩ରେ କର୍ଣ୍ଣାଟକର ଗୋରୁର ନାମକ ଏକ ଛୋଟିଆ ଗାଁରେ ଜନ୍ମ ହୋଇଥିଲେ। ସେ ନିଜ ବାପା ମା’ଙ୍କ ୮ ସନ୍ତାନଙ୍କ ମଧ୍ୟରୁ ଦ୍ଵିତୀୟ ଥିଲେ। ତାଙ୍କ ବାପା ଜଣେ ଶିକ୍ଷକ ଓ କନ୍ନଡ଼ ଔପନ୍ୟାସିକ ଥିଲେ। ତେଣୁ ତାଙ୍କ ପିତା ଗୋପୀନାଥଙ୍କ ପ୍ରାରମ୍ଭିକ ଶିକ୍ଷା-ଦୀକ୍ଷା ସ୍କୁଲ ପରିବର୍ତ୍ତେ ଘରେ କରାଇଥିଲେ।ପାଠପଢ଼ା ଓ ଚାକିରି ଜୀବନ

କିଛି ବର୍ଷ ପରେ ଗୋପୀନାଥ ଏକ କନ୍ନଡ଼ ସ୍କୁଲରେ ପଞ୍ଚମ ଶ୍ରେଣୀରେ ନାମ ଲେଖାଇଲେ। ସେଠାରୁ ପଢ଼ା ସମାପ୍ତ ହେବା ପରେ ୧୯୬୨ ମସିହାରେ ବିଜାପୁର ସ୍ଥିତ ଏକ ସୈନିକ ସ୍କୁଲରେ ଭର୍ତ୍ତି ହେଲେ। ପରେ ସେ ରାଷ୍ଟ୍ରୀୟ ରକ୍ଷା ଏକାଡେମି(NDA) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସହ ଭାରତୀୟ ସୈନ୍ୟ ଏକାଡେମିରୁ ସ୍ନାତକ ଡିଗ୍ରୀ ହାସଲ କଲେ। ଏହାପରେ ଗୋପୀନାଥ ଭାରତୀୟ ସେନାରେ କ୍ୟାପଟେନ୍ ଭାବେ ୮ ବର୍ଷ ପର୍ଯ୍ୟନ୍ତ କାମ କରିଥିଲେ। ୧୯୭୧ ମସିହାରେ ହୋଇଥିବା ବାଂଲାଦେଶ ମୁକ୍ତି ଯୁଦ୍ଧରେ ମଧ୍ୟ ସେ ସାମିଲ ହୋଇଥିଲେ।

୨୮ ବର୍ଷ ବୟସରେ ସେ ଭାରତୀୟ ସେନାରୁ ଅବସର ଗ୍ରହଣ କଲେ। ଏହାପରେ ଡାଇରି ଫାର୍ମ, ରେଶମ ଉତ୍ପାଦନ, କୁକୁଡ଼ା ଫାର୍ମ, ହୋଟେଲ, ଏନ୍‌ଫିଲ୍ଡ ବାଇକ୍ ଡିଲ୍, ଷ୍ଟକ୍‌ବ୍ରୋକର ଭାବେ ଭାଗ୍ୟ ପରଖିବା ପରେ ଶେଷରେ ବିମାନ ଇଣ୍ଡଷ୍ଟ୍ରି ସହ ଯୋଡ଼ି ହୋଇଥିଲେ।ବିମାନ ଉଦ୍ୟୋଗୀ ଭାବେ ଜୀବନ

କ୍ୟାପଟେନ୍ ଗୋପୀନାଥ ୧୯୯୬ରେ ବିମାନ ଉଦ୍ୟୋଗ ଆରମ୍ଭ କଲେ। ପ୍ରଥମେ ସେ ଭିଆଇପିମାନଙ୍କ ପାଇଁ ‘ଡେକ୍କାନ ଏଭିଏସନ୍’ ନାମକ ଚାଟାର୍ଡ ହେଲିକପ୍ଟର ସେବା ଆରମ୍ଭ କଲେ। ସେତେବେଳେ ଅନେକ ବଡ଼ ବଡ଼ ରାଜନେତା ଏଥିରେ ଯାତ୍ରା କରୁଥିଲେ।

ନିଜ ପ୍ରଥମ ଉଦ୍ୟୋଗରେ ସଫଳ ହେବା ପରେ ଗୋପୀନାଥ ମଧ୍ୟବିତ୍ତ ପରିବାର ପାଇଁ ବିମାନ ସେବା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଲେ। ସେତେବେଳେ ଏହା ସ୍ଵପ୍ନ ପରି ଲାଗୁଥିଲା। କାରଣ ଉଡ଼ାଜାହାଜରେ ଯାତ୍ରା କରିବା ବ୍ୟହବହୁଳ ଥିବାରୁ ସାଧାରଣ ବର୍ଗର ଲୋକେ ଏଥିପାଇଁ ଏକପ୍ରକାର ଅସମର୍ଥ ଥିଲେ।

ତଥାପି ନିଜ ନିଷ୍ପତ୍ତିକୁ ବାସ୍ତବ ରୂପ ଦେବା ପାଇଁ ସେ ୨୦୦୩ ମସିହାରେ ‘ଏୟାର ଡେକ୍କାନ’ ନାମକ ଏକ ଏୟାରଲାଇନ୍ସ ଲଞ୍ଚ୍ କଲେ। ଏଥିରେ ବେଙ୍ଗାଳୁରୁ ଓ ହୁବଲିରୁ ଯାତ୍ରୀମାନେ ଯାତ୍ରା କରିବାର ସୁବିଧା ରହିଲା। ଏହି ଏୟାରଲାଇନ୍ସ ପାଇଁ ଗୋପୀନାଥ ୫ କୋଟି ଟଙ୍କା ନିବେଶ କରିଥିଲେ।୨୦୦୬ ସୁଦ୍ଧା ‘ଏୟାର ଡେକ୍କାନ’ ୭ଟି ଏୟାରପୋର୍ଟ ବେସ୍‌ରୁ ଚଳାଚଳ କଲା। ସେତେବେଳେ ଅନ୍ୟ ଏୟାରଲାଇନ୍ସ ତୁଳନାରେ କ୍ୟାପଟେନ୍ ଗୋପୀନାଥ ଅଧା ଦରରେ ଟିକେଟ୍ ଉପଲବ୍ଧ କରାଇଲେ।

ପରେ ପରେ ଗୋପୀନାଥଙ୍କର ୪୩ଟି ବିମାନ ଚଳାଚଳ କଲା। ଭାରତୀୟ ବିମାନ ଇଣ୍ଡଷ୍ଟ୍ରିରେ କ୍ୟାପଟେନ୍ ଗୋପୀନାଥ ଏକ ଅତି ପରିଚିତ ନାଁ ପାଲଟିଗଲେ। ସେ ନିଜ ବିମାନର ଭିତରେ ଓ ବାହାରେ ଲଗାଯାଉଥିବା ବିଜ୍ଞାପନରୁ ମଧ୍ୟ ବିପୁଳ ରାଜସ୍ଵ ଅର୍ଜନ କରୁଥିଲେ। ଏଥିସହ ଯାତ୍ରୀମାନେ ସହଜରେ ଏବଂ ସବୁ ସମୟରେ ଯେପରି ଟିକେଟ୍ ବୁକିଂ କରିପାରିବେ ସେଥିପାଇଁ ୨୪ ଘଣ୍ଟିଆ କଲ୍‌ ସେଣ୍ଟର ସେବା ମଧ୍ୟ ଉପଲବ୍ଧ କରାଇଥିଲେ।

କିନ୍ତୁ ୨୦୦୭ ମସିହାରେ ‘ଏୟାର ଡେକ୍କାନ’ ଓ ଅନ୍ୟ ଏୟାରଲାଇନ୍‌ ମଧ୍ୟରେ କଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଗଲା। ମାତ୍ରାଧିକ କ୍ଷତି ସହିବା ପରେ ବାଧ୍ୟ ହୋଇ କ୍ୟାପଟେନ୍‌ ଗୋପୀନାଥ ଏହାକୁ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ବିକ୍ରି କରିଦେଲେ। ଏହିପରି ଭାବେ ‘ଏୟାର ଡେକ୍କାନ’, ‘କିଙ୍ଗଫିସର ଏୟାରଲାଇନ୍ସ’ରେ ମିଶିଗଲା ଏବଂ ‘କିଙ୍ଗଫିସର ରେଡ୍’ ନାମରେ ନାମିତ ହେଲା।ଏବେ କ’ଣ କରୁଛନ୍ତି ଗୋପୀନାଥ?

‘ଏୟାର ଡେକ୍କାନ’ ବିକ୍ରି କରିବା ପରେ ୨୦୧୪ରେ ଗୋପୀନାଥ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ପରାଜୟ ସ୍ଵୀକାର କରିବାକୁ ପଡ଼ିଥିଲା।

ଏହାପରେ ସେ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପାଇଁ ସ୍ତମ୍ଭ ଲେଖୁଥିଲେ। ୨୦୧୭ରେ ସେ ତାଙ୍କ ଦ୍ଵିତୀୟ ପୁସ୍ତକ ‘ୟୁ ମିସ୍ ନଟ୍ ଦିସ୍ ଫ୍ଲାଇଟ୍: ଏସେଜ୍ ଅନ୍ ଇମର୍ଜିଂ ଇଣ୍ଡିଆ’ ପ୍ରକାଶିତ ହୋଇଥିଲା। ୬୮ ବର୍ଷୀୟ କ୍ୟାପଟେନ୍ ଗୋପୀନାଥ ଏବେ ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ବେଙ୍ଗାଳୁରୁରେ ରହୁଛନ୍ତି।

ସାଉଥ୍ ସୁପରଷ୍ଟାର ସୁର୍ଯ୍ୟାଙ୍କ ଫିଲ୍ମ ‘ସୋରାରଇ ପୋଟରୁ’ ଆସନ୍ତା ନଭେମ୍ବର ୧୨ ତାରିଖରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି କ୍ୟାପଟେନ୍ ଜି. ଆର. ଗୋପୀନାଥଙ୍କ ଆତ୍ମଜୀବନୀ ‘ସିମ୍ପ୍ଲି ଫ୍ଲାଇ’ ଉପରେ ଆଧାରିତ।

Comment