ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜ୍ୟ ସରକାରଙ୍କ ସହମତି ବିନା ସଂପୃକ୍ତ ରାଜ୍ୟର କୌଣସି ମାମଲାରେ ସିବିଆଇ ତଦନ୍ତ କରିପାରିବନି। ଏପରିକି କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରଙ୍କ ସହମତି ବିନା ସେହି ରାଜ୍ୟରେ ସିବିଆଇର କ୍ଷମତା ପରିସରକୁ ବୃଦ୍ଧି କରିପାରିବେ ନାହିଁ। ବୁଧବାର ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି।

ବିଚାରପତି ଏଏମ୍‌ ଖାନଓ୍ଵିଲକର୍ ଏବଂ ବି ଆର୍ ଗଭାଇଙ୍କ ମିଳିତ ଖଣ୍ଡପୀଠରେ ଏହି ରାୟ ପ୍ରକାଶ ପାଇଛି। ଦିଲ୍ଲୀ ସ୍ପେଶାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟର ଧାରା ୫ ଏବଂ ୬ ବିଷୟକୁ ଆଧାର କରି ଅଦାଲତ କହିଛନ୍ତି ଯେ, ଧାରା ୫ରେ କେନ୍ଦ୍ର ସରକାରଙ୍କୁ ଯେକୌଣସି କେନ୍ଦ୍ରଶାସିତ ଅଞ୍ଚଳ କିମ୍ଵା ରାଜ୍ୟରେ ସିବିଆଇର କ୍ଷମତା ପରିସରକୁ ବୃଦ୍ଧି କରିବାର କ୍ଷମତା ଦିଆଯାଇଥିବା ବେଳେ ଧାର ୬ ଅନୁଯାୟୀ ରାଜ୍ୟ ସରକାରଙ୍କ ବିନା ସହମତିରେ କେନ୍ଦ୍ର ସରକାର ଏପରି କରିପାରିବେ ନାହିଁ। ଏହା ଆମ ସଂଘୀୟ ଏବଂ ସାମ୍ଵିଧାନିକ ବ୍ୟବସ୍ଥାର ଏକ ଅଂଶ ଅଟେ। ତେଣୁ କୌଣସି ରାଜ୍ୟର ଅନୁମତି ବିନା ସିବିଆଇ ସଂପୃକ୍ତ ରାଜ୍ୟ ସମ୍ପର୍କିତ କୌଣସି ମାମଲାରେ ତଦନ୍ତ କରିପାରିବ ନାହିଁ।

ଉତ୍ତରପ୍ରଦେଶର କେତେକ ସରକାରୀ ଏବଂ ଘରୋଇ କର୍ମଚାରୀଙ୍କ ଦ୍ଵାରା କରାଯାଇଥିବା ଆବେଦନର ବିଚାର କରି ଅଦାଲତ ଏହି ରାୟ ଦେଇଛନ୍ତି। ସୂଚନା ଅନୁସାରେ ଫେର୍ଟିକା ଇନଭେଷ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ ଉପରେ ସିବିଆଇ ଅଚାନକ ଚଢ଼ାଉ କରିଥିଲା। ଏହି ତଦନ୍ତରୁ ଜଣା ପଡ଼ିଥିଲା ଯେ, ସଂପୃକ୍ତ କମ୍ପାନି କୋଲ ଇଣ୍ତିଆ ଲିମିଟେଡ ଦ୍ଵାରା ଯୋଗାଇ ଦିଆଯାଉଥିବା କୋଇଲାକୁ ବେଆଇନ ଭାବେ ଖୋଲାବଜାରରେ ବିକ୍ରି କରୁଛି। ତେଣୁ ସିବିଆଇ ପକ୍ଷରୁ ସଂପୃକ୍ତ କମ୍ପାନିର କର୍ମଚାରୀମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଏହାପରେ ସେହି କର୍ମଚାରୀମାନେ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଅଦାଲତ ଏହି ମାମଲାର ବିଚାର କରି ରାଜ୍ୟ ସରକାରଙ୍କ ସହମତି ବିନା ସିବିଆଇର ତଦନ୍ତକୁ ନାମଞ୍ଜୁର କରିଥିବା ବେଳେ ସଂପୃକ୍ତ କର୍ମଚାରୀଙ୍କ ଆବେଦନକୁ ଖାରଜ କରିଛନ୍ତି।

Comment