ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୋଗୁଁ ଚାକିରି ହରାଇ ପାଇଲଟରୁ ରୋଷେୟା ହେଲେ ମାଲେସିଆର ଅଜ୍ରିନ ମହମ୍ମଦ।

କରୋନା ମହାମାରୀ କାରଣରୁ ଚାକିରି ହରାଇ ଜଣେ ପାଇଲଟ ରୋଷେୟା ସାଜିଛନ୍ତି। ବିମାନ ଉଡ଼ାଇବା ପରିବର୍ତ୍ତେ ସେ ଏବେ ରାସ୍ତକଡ଼ରେ ଷ୍ଟଲ ଲଗାଇ ଲୋକଙ୍କୁ ଖାଇବା ପରଷୁଛନ୍ତି। ମାଲେସିଆରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଗତ କିଛି ଦିନ ହେବ ଏହି ପାଇଲଟଙ୍କର ଏକ ଭିଡିଓ ଭାଇରାଲ ହେବାରେ ମଧ୍ୟ ଲାଗିଛି। ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ହଜାର ହଜାର ଲୋକ ଦେଖି ସାରିଲେଣି।

ଏହି ପାଇଲଟ ଜଣକ ହେଲେ ୪୪ ବର୍ଷୀୟ ଅଜ୍ରିନ ମହମ୍ମଦ। ସେ ମାଲେସିଆନ ଏୟାରଲାଇନ୍ସରେ ସେ ପାଇଲଟ ଭାବେ କାମ କରୁଥିଲେ। କିନ୍ତୁ ଲକଡାଉନ୍‌ ସମୟରେ କମ୍ପାନି ବହୁ କର୍ମଚାରୀଙ୍କୁ  ଦରମା ଦେଇନପାରି ଚାକିରିରୁ ବାହାର କରି ଦେଇଥିଲା। ଚାକିରି ହରାଇ ଅଜ୍ରିନ ଚିନ୍ତାରେ ପଡ଼ିଥିଲେ। ୪ ପିଲାଙ୍କୁ ନେଇ ସେ କିପରି ଚଳିବେ ତାକୁ ନେଇ ବାଟ ଖୋଜୁଥିଲେ। ଶେଷରେ କୁଆଲାଲମପୁର ଅଞ୍ଚଳରେ ଏକ ଷ୍ଟଲ ଖୋଲିଥିଲେ।  ସବୁଠୁ ମଜାଦାର କଥା ହେଉଛି ଗ୍ରାହକୁ ଆକୃଷ୍ଟ କରିବା ପାଇଁ ସେ ଏକ ଭିନ୍ନ ପନ୍ଥା ଚିନ୍ତା କରିଥିଲେ।

ପାଇଲଟ ପୋଷାକରେ ସେ ରୋଷେଇ କରିବା ସହିତ ଗ୍ରାହକଙ୍କୁ ଖାଦ୍ୟ ପରଷୁଛନ୍ତି। ଅଜ୍ରିନଙ୍କୁ ଏମିତି ପୋଷାକରେ ଦେଖି ଗ୍ରାହକ ବି ତାଙ୍କ ଷ୍ଟଲ ଆଡ଼କୁ ଟାଣି ହୋଇ ଆସୁଛନ୍ତି। ପାଇଲଟ ପୋଷାକ ଓ ଟୋପିରେ ଗ୍ରାହକ ତାଙ୍କୁ ଦେଖି ଖୁସି ହେବା ସହ ତାଙ୍କ ରୋଷେଇ ପଦ୍ଧତିକୁ ବି ପ୍ରଶଂସା କରୁଛନ୍ତି। ଅଜ୍ରିନ ତାଙ୍କ ଷ୍ଟଲର ନାଁ ‘କ୍ୟାପଟେନ କର୍ଣ୍ଣର’ ରଖିଛନ୍ତି।

ସେହିପରି ଆଉ କିଛି ଲୋକ ଏହି ଭିଡିଓ ଦେଖି ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି। ଅଜ୍ରିନ ପାଇଲଟ ପୋଷାକରେ ଖାଦ୍ୟ ବିକ୍ରି କରିବା ଠିକ ନୁହେଁ କେହି କେହି କହିଛନ୍ତି। ଅନ୍ୟପଟେ ନିଜର ପରିବାର ଚଳାଇବା ପାଇଁ ଅଜ୍ରିନଙ୍କ ଏଭଳି ପଦକ୍ଷେପକୁ ଏୟାରଲାଇନ୍ସ କର୍ତ୍ତୃପକ୍ଷ ସମର୍ଥନ ଜଣାଇଛନ୍ତି।

Comment