ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ କୁନି ଝିଅ ପରୀ ମୃତ୍ୟୁ ଘଟଣାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତ୍ୟୁ ପୂର୍ବରୁ ପରୀକୁ ଦୁଷ୍କର୍ମ କରାଯାଇଥିବା ବାବଦରେ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ ରହିଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ପରୀ ମାମଲାରେ କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ବୁଧବାର ହାଇକୋର୍ଟରେ ତଦନ୍ତର ପ୍ରାଥମିକ ରିପୋର୍ଟ ଦାଖଲ କରିଛି। ବନ୍ଦ ଲଫାପାରେ ଦାଖଲ କରାଯାଇଥିବା ଏହି ସତ୍ୟପାଠରେ ପରୀର ହତ୍ୟା ଏବଂ ତାହାର ହତ୍ୟାକାରୀ ବାବଦରେ ବଡ଼ ଖୁଲାସା ବିଷୟରେ ଉଲ୍ଲେଖ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ, ପରୀକୁ ହତ୍ୟା କରାଯିବା ପୂର୍ବରୁ ତା ସହ ଦୁଷ୍କର୍ମ କରାଯାଇଥିଲା। ଯଦୁପୁର ଗ୍ରାମର ହିଁ କେହି ପରୀକୁ ହତ୍ୟା କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତକୁ ମଧ୍ୟ ଚିହ୍ନଟ କରିସାରିଛି ତଦନ୍ତକାରୀ ଦଳ। ଏଥିସହ ପରୀ ମୃତଦେହକୁ ଯେଉଁ ବସ୍ତାରୁ ଜବତ କରାଯାଇଥିଲା, ସେଥିରେ ପରୀର ପୋଷାକ ରହିଥିଲା। ପରୀକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି ବୋଲି ଏହି ପୋଷାକରୁ ହିଁ ପ୍ରମାଣ ମିଳିଛି। ଆସନ୍ତା ୨୪ ତାରିଖରେ ପରୀ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ଜୁଲାଇ ୧୪ ତାରିଖରେ ନୟାଗଡ଼ ଯଦୁପୁରର କୁନି ଝିଅ ପରୀ କେଉଁଆଡ଼େ ନିଖୋଜ ହୋଇଯାଇଥିଲା। ଏହାର ୧୦ ଦିନ ପରେ ଏକ ପୋଖରୀ ପାଖରୁ ଖଣ୍ଡ ଖଣ୍ଡ ଅବସ୍ଥାରେ ପରୀର ମୃତଦେହ ମିଳିଥିଲା। ଏବାବଦରେ ପରୀର ବାପା-ମାଆ ପୋଲିସରେ ଅଭିଯୋଗ କରିଥିଲେ। ଘଟଣାକୁ ୪ ମାସ ବିତିଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।

ଯଦୁପୁର ଗାଁର ବାବୁଲି ନାୟକ ବୋଲି ଜଣେ ବ୍ୟକ୍ତି ପରୀକୁ ମାରିଛନ୍ତି ଏବଂ ମନ୍ତ୍ରୀ ଅରୁଣ ସାହୁ ଅଭିଯୁକ୍ତକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ପରୀର ବାପା-ମାଆ ଅଭିଯୋଗ କରିଥିଲେ। ଶେଷରେ ବାଧ୍ୟହୋଇ ପରୀର ବାପା-ମାଆ ବିଧାନସଭା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଏହି ଘଟଣା ପରେ ପରୀ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ବେଶ ଉଷ୍ମତା ଭରିଥିଲା। ବିରୋଧୀମାନେ ରାଜ୍ୟ ସରକରାଙ୍କୁ ଟାର୍ଗେଟ କରି ପରୀ ପାଇଁ ନ୍ୟାୟ ଦାବି କରିଥିଲେ।

Comment