ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ହରିଶଙ୍କର’ ପ୍ରାକୃତିକ ଶୋଭାରାଜିରେ ପୂରି ଉଠେ। ଏହି ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଏଠାକୁ ଆସିଥାନ୍ତି। ଏଠାରେ ଭଗବାନ ଶିବ ଓ ବିଷ୍ଣୁଙ୍କୁ ଏକାଠି ପୂଜା କରାଯାଏ, ଯାହାକି ହରିଶଙ୍କରର ଅନ୍ୟତମ ମୁଖ୍ୟ ଆକର୍ଷଣ। ଯଦି ଆପଣ ଏଠାକୁ ଯିବାକୁ ଚାହୁଁଛନ୍ତି ତେବେ ସେଠାରେ ଆଉ କ’ଣ ଦେଖିବାକୁ ପାଇବେ ଜାଣିନିଅନ୍ତୁ।

ଅବସ୍ଥିତି

ବଲାଙ୍ଗିର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ହରିଶଙ୍କର ଅବସ୍ଥିତ। ଏହି ସ୍ଥାନଟି ବଲାଙ୍ଗିର ସଦର ମହକୁମାଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ରହିଛି।

ଇତିହାସ

୧୪୦୦ ଶତାବ୍ଦୀରେ ପଶ୍ଚିମ ଓଡ଼ିଶାର ଚୌହାନ ବଂଶର ରାଜାଙ୍କୁ ଏହି ସ୍ଥାନରେ ଭଗବାନ ଶଙ୍କର ଓ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଥିବା ନେଇ ସୂଚନା ମିଳିଥିଲା। ଏହା ପରଠାରୁ ବିଷ୍ଣୁ ଓ ଶଙ୍କର ଭଗବାନଙ୍କୁ ଏଠାରେ ଏକତ୍ର ପୂଜା କରାଯାଇଆସୁଛି ଏବଂ ଭଗବାନଙ୍କ ନାମାନୁସାରେ ଏହି ସ୍ଥାନକୁ ହରିଶଙ୍କର ନାମରେ ନାମିତ କରାଯାଇଛି।

କ’ଣ ଦେଖିବେ?

ବଲାଙ୍ଗିରର ଏହି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଗଲେ ଆପଣ ହରିଶଙ୍କର ମନ୍ଦିର, ପାପହାରିଣୀ ଝରଣା, ସଲ୍‌ଡେନ୍ ପଥର ଆଦି ଦେଖିବା ସହ ସେଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିପାରିବେ।ହରିଶଙ୍କର ମନ୍ଦିର

ହରିଶଙ୍କରର ମୁଖ୍ୟ ଆକର୍ଷଣ ହେଉଛି ହରିଶଙ୍କର ମନ୍ଦିର। ମନ୍ଦିରରେ ଶିବ ଓ ବିଷ୍ଣୁ ଏକାଠି ପୂଜା ପାଉଥିବାରୁ ଏହାର ଅନ୍ୟ ମନ୍ଦିରଠାରୁ ସ୍ଵତନ୍ତ୍ର। ଏହା ଛଡ଼ା ମନ୍ଦିରର ଗଠନ ଶୈଳୀ ଓଡ଼ିଶାର ଅନ୍ୟ ମନ୍ଦିରଗୁଡ଼ିକର ଗଠନ ଶୈଳୀଠାରୁ ଭିନ୍ନ, ଯାହାକି ଦେଖିବାକୁ ଖୁବ୍ ସୁନ୍ଦର ଲାଗିଥାଏ।

ପାପହାରିଣୀ ଝରଣା

ଗନ୍ଧମାର୍ଦ୍ଦନ ପର୍ବତରୁ ବାହାରିଥିବା ଏକ ଝରଣା ଏହି ମନ୍ଦିର ଦେଇ ବହିଯାଇଛି। ଏହାକୁ ସ୍ଥାନୀୟ ଲୋକେ ପାପହାରିଣୀ ଝରଣା ବୋଲି କହିଥାନ୍ତି। ଏହି ଝରଣାର ଶୀତଳ ଜଳରେ ସ୍ନାନ କରି ହରିଶଙ୍କରଙ୍କୁ ପୂଜା କଲେ ସମସ୍ତ ପାପରୁ ମୁକ୍ତି ମିଳେ ବୋଲି ବିଶ୍ଵାସ ରହିଛି। ତେଣୁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଲୋକ ନିଜ ମନୋବାଞ୍ଛା ପୂରଣ କରିବା ପାଇଁ ଏଠାକୁ ଆସିଥାନ୍ତି।ହରିଣ ଉଦ୍ୟାନ

ଗନ୍ଧମାର୍ଦ୍ଦନ ପାହାଡ଼ର ପାଦ ଦେଶରେ ଏକ ସୁନ୍ଦର ହରିଣ ଉଦ୍ୟାନ ରହିଛି। ଏଠାକୁ ମଧ୍ୟ ଆପଣ ଯାଇପାରିବେ।

ସଲ୍‌ଡେନ୍ ପଥର

ହରିଶଙ୍କର ମନ୍ଦିର ପାଖ ଦେଇ ଯାଇଥିବା ଝରଣାର ପାଣି ଗଡ଼ାଣିଆ ପଥର ଶଯ୍ୟା ଉପରେ ପ୍ରବାହିତ ହୋଇଥାଏ। ଏହି ପଥର ଶଯ୍ୟାକୁ ଲୋକମାନେ ‘ସଲ୍‌ଡେନ୍ ପଥର’ ବୋଲି କହିଥାନ୍ତି। ସବୁଦିନ ପାଣି ପ୍ରବାହିତ ହେଉଥିବାରୁ ପଥର ଶଯ୍ୟାଟି ଖୁବ୍ ଚିକ୍କଣ। ଏହି ପଥର ଶଯ୍ୟାରେ ଗାଧୋଇବା ଓ ଜଳକ୍ରୀଡ଼ା କରିବା ପାଇଁ ସବୁ ପ୍ରକାର ସୁବିଧା ରହିଛି। ଏଣୁ ସଲ୍‌ଡେନ୍ ପଥର ପର୍ଯ୍ୟଟକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିଥାଏ।

ନୃସିଂହନାଥ ମନ୍ଦିର

ଗନ୍ଧମାର୍ଦ୍ଦନ ପାହାଡ଼ର ଉତ୍ତର ଦିଗରେ ରହିଛି ନୃସିଂହନାଥ ମନ୍ଦିର। ହରିଶଙ୍କର ଓ ନୃସିଂହନାଥ ମନ୍ଦିର ଗୋଟିଏ ପର୍ବତର ଦୁଇ ବିପରୀତ ଦିଗରେ ରହିଛି। ତେଣୁ ଏହି ଦୁଇ ପୀଠ ମଧ୍ୟରେ ୧୬ କିଲୋମିଟର ବିଶିଷ୍ଟ ଏକ ପାଦଚଲା ରାସ୍ତା ରହିଛି। ଏହି ରାସ୍ତା ଦେଇ ଲୋକମାନେ ଚାଲି ଚାଲି ଗୋଟିଏ ପୀଠରୁ ଅନ୍ୟ ପୀଠକୁ ଯାଇଥାନ୍ତି।

ପ୍ରାକୃତିକ ଶୋଭାରାଜି

ହରିଶଙ୍କରରେ ବିଭିନ୍ନ ପ୍ରକାର ଉଦ୍ଭିଦ ଓ ଜୀବଜନ୍ତୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଥାଏ। ଯଦି ଆପଣ ପ୍ରକୃତିକୁ ଅତି ନିକଟରୁ ଉପଭୋଗ କରିବାକୁ ଚାହୁଁଛନ୍ତି ତେବେ ହରିଶଙ୍କରରେ ଆପଣଙ୍କ ଇଚ୍ଛା ପୂରଣ ହୋଇଯିବ।

କେମିତି ଯିବେ?

ରାଜଧାନୀ ଭୁବନେଶ୍ଵରଠାରୁ ହରିଶଙ୍କରର ଦୂରତା ହେଉଛି ୩୨୪ କିଲୋମିଟର। ଯଦି ଆପଣ ଓଡ଼ିଶା ବାହାରୁ ବିମାନରେ ଆସିବାକୁ ଚାହୁଁଛନ୍ତି ତେବେ ଭୁବନେଶ୍ଵରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇ ସେଠାରୁ ଟ୍ରେନ୍ କିମ୍ବା ବସରେ ବଲାଙ୍ଗିର ଯାଇପାରିବେ। ଏହାଛଡ଼ା ଆପଣ ଝାରସୁଗୁଡ଼ା ବିମାନ ବନ୍ଦରରୁ ମଧ୍ୟ ଟାକ୍ସି କିମ୍ବା ବସ୍‌ରେ ଏଠାକୁ ଯାଇପାରିବେ। ହରିଶଙ୍କରର ରୋଡରେ ଥିବା ରେଳ ଷ୍ଟେସନଠାରୁ ଏହି ମନ୍ଦିରର ଦୂରତା ହେଉଛି ୩୨ କିଲୋମିଟର। ଆପଣ ଷ୍ଟେସନରେ ଓହ୍ଲାଇ ଟାକ୍ସିରେ କିମ୍ବା ଗାଡ଼ି ଭଡ଼ା କରି ହରିଶଙ୍କର ଯାଇପାରିବେ। ଯଦି ଆପଣ ସଡ଼କ ପଥରେ ଯିବାକୁ ଚାହୁଁଛନ୍ତି ତେବେ ବସରେ ମଧ୍ୟ ଯାତ୍ରା କରିପାରିବେ।

Comment