ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚାଷୀ ଆନ୍ଦୋଳନ ସହିତ ଜଡ଼ିତ ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି ସୁପ୍ରିମକୋର୍ଟ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଆପୋଷ ବୁଝାମଣା ନେଇ କେନ୍ଦ୍ରର ଭୂମିକା ଉପରେ ଖପ୍ପା ହୋଇଛନ୍ତି କୋର୍ଟ।

ଦୀର୍ଘଦିନରୁ ଆନ୍ଦୋଳନ ଚାଲିଛି। ବୟସ୍କ ଲୋକ ଥଣ୍ଡା କାକରରେ ପଡ଼ି ଆନ୍ଦୋଳନ କରୁଛନ୍ତି। ଏଥିପାଇଁ କୌଣସି ରକ୍ତପାତ ହେଲେ ବା କାହାର ମୃତ୍ୟୁ ହେଲେ କୋର୍ଟ ଏହାକୁ ଗ୍ରହଣ କରିବା ନାହିଁ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍ ଏ ବୋବଡେ।

ଏହାସହିତ ଆଇନକୁ ସ୍ଥଗିତ ରଖି ଏକ ବିଶେଷଜ୍ଞ କମିଟି ଗଠନ ପାଇଁ କୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ନେଇ ସରକାର ନିଷ୍ପତ୍ତି ନନେବା ପର୍ଯ୍ୟନ୍ତ ଆଇନକୁ ସ୍ଥଗିତ ରଖାଯାଉ। କେନ୍ଦ୍ର ସରକାର କିଛି ନିଷ୍ପତ୍ତି ନନେଲେ କୋର୍ଟ ଏନେଇ ନିର୍ଦ୍ଦେଶ ପାସ୍‌ କରିବେ ବୋଲି କୁହାଯାଇଛି।

ସେହିପରି କେନ୍ଦ୍ର ସରକାର କମିଟି ଗଠନ କରିବା ପରେ ଚାଷୀମାନେ ଏହି କମିଟି ନିକଟରେ ଅଭିଯୋଗ କରିବେ। କମିଟି ରିପୋର୍ଟ ଦେଲେ କୋର୍ଟ ନିଷ୍ପତ୍ତି ଶୁଣାଇବେ ବୋଲି କହିଛନ୍ତି ମୁଖ୍ୟ ବିଚାରପତି।

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ୪୦ରୁ ଅଧିକ ଚାଷୀ ସଙ୍ଗଠନ ଦେଢ଼ ମାସ ହେଲା ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ସେମାନେ ଦିଲ୍ଲୀ ସୀମାରେ ଡେରା ପକାଇବା ସହିତ ଜାତୀୟ ରାଜପଥକୁ ଜାମ୍ କରି ବସିଛନ୍ତି। ଏହାକୁ ନେଇ ସାଧାରଣ ଲୋକେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ବହୁ ମାମଲା ଦାୟର ହୋଇଥିଲା। ଏହି ସବୁ ମାମଲାକୁ ଏକାଠି କରି ଏହାର ଶୁଣାଣି କରୁଛନ୍ତି କୋର୍ଟ।

Comment