ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଷୀ ଆନ୍ଦୋଳନର ସମାଧାନ ପାଇଁ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ।

ଚାଷୀ ଆନ୍ଦୋଳନ ସମ୍ପର୍କିତ ମାମଲାର ବିଚାର କରି ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍ ଉପରେ ରୋକ୍ ଲଗାଇଛନ୍ତି। ଏଥିସହ ଏକ ଚାରି ଜଣିଆ କମିଟି ଏସଂକ୍ରାନ୍ତରେ ରିପୋର୍ଟ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ଏପରି ନିଷ୍ପତ୍ତିରେ ଖୁସି ନାହାନ୍ତି ଚାଷୀ ସଙ୍ଗଠନ।

ଚାଷୀ ନେତା ରାକେଶ ଟିକାୟତଙ୍କ କହିବା ମୁତାବକ, ସେମାନେ କୌଣସି କମିଟି ଗଠନ କରିବାକୁ କହିନଥିଲେ। କୋର୍ଟ କିନ୍ତୁ ଏହାର ସମାଧାନ କରିବାକୁ ଏହି କମିଟି ଗଠନ କରିଛନ୍ତି। ଚାଷୀମାନେ କୃଷି ଆଇନର ଉଚ୍ଛେଦ ନେଇ ଦାବି କରିଆସୁଛନ୍ତି। ଯେତେ ପର୍ଯ୍ୟନ୍ତ ଏହି ଆଇନ୍ ଉଚ୍ଛେଦ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚାଷୀନେତାମାନେ କହିଛନ୍ତି।ସେହିପରି ଚାଷୀ ନେତା ଯୋଗେନ୍ଦ୍ର ଯାଦବ ମଧ୍ୟ କମିଟି ଗଠନ କଥାକୁ ନାପସନ୍ଦ କରିବା ସହିତ ଚାଷୀ ଆନ୍ଦୋଳନ ପୂର୍ବଭଳି ଜାରି ରହିବ ବୋଲି କହିଛନ୍ତି। ତା’ସହିତ ଜାନୁଆରି ୨୬ ତାରିଖରେ ପୂର୍ବ ଘୋଷଣା ମୁତାବକ ଚାଷୀମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବେ ବୋଲି ମଧ୍ୟ ସେ କହିଛନ୍ତି।

ଅନ୍ୟପଟେ ଆନ୍ଦୋଳନରେ ବସିଥିବା ଚାଷୀ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ କିଛି ଫାଇଦା ନାହିଁ। ଆନ୍ଦୋଳନ ବନ୍ଦ କରିବାକୁ ସରକାର ଏହା ଏକ ପ୍ରୟାସ। ଯେଉଁମାନେ ଏହି ଆଇନ୍ ତିଆରି କରିଛନ୍ତି କୋର୍ଟ ତାଙ୍କୁ ହିଁ ଏହି କମିଟିରେ ରଖିଛି ବୋଲି ସେ କହିଛନ୍ତି। ଏପଟେ ପୂର୍ବ ଘୋଷଣା ମୁତାବକ ଜାନୁଆରି ୨୬ ତାରିଖ ଗଣତନ୍ତ୍ର ଦିବସ ଅବସରରେ ଚାଷୀମାନେ ଦିଲ୍ଲୀରେ ପୂର୍ବ ଘୋଷଣା ଅନୁଯାୟୀ ଟ୍ରାକ୍ଟର ରାଲି କରିବେ ବୋଲି ଖୋଲା ଚେତାବନୀ ଦେଇଛନ୍ତି।ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ଗତ ସେପ୍ଟେମ୍ବର ମାସରେ ସଂସଦରେ କୃଷି ବିଲକୁ ପାରିତ କରିଦେଇଥିଲେ। ଏହାପରେ ଏହି ନୂଆ ଆଇନକୁ ନେଇ ଚାରିଆଡେ ବିରୋଧର ସ୍ୱର ଦେଖିବାକୁ ମିଳିଥିଲା। ପଞ୍ଜାବ ଓ ହରିୟାଣା ଚାଷୀମାନେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିବାବେଳେ ଦିଲ୍ଲୀ ଚାଲୋ ଡାକରା ଦେଇଥିଲେ। ଏହାକୁ ଅନ୍ୟ କିଛି ଚାଷୀ ସଙ୍ଗଠନ ମଧ୍ୟ ସମର୍ଥନ ଜଣାଇଥିଲେ।

ଚାଷୀମାନଙ୍କୁ କିନ୍ତୁ ଦିଲ୍ଲୀରେ ଆନ୍ଦୋଳନ ପାଇଁ ଅନୁମତି ମିଳିନଥିଲା। ଏହାପରେ ସରକାରଙ୍କ ଉପରେ କ୍ଷୁବ୍ଧ ଚାଷୀ ସିଙ୍ଘୁ ସୀମାକୁ ଜାମ୍ କରିବା ସହିତ ରାଜପଥ ଉପରେ ହିଁ ଆନ୍ଦୋଳନ ଜାରି ରଖିଥିଲେ। ଏହା ଭିତରେ ଚାଷୀ ଆନ୍ଦୋଳନକୁ ୫୦ ଦିନ ପୂରିବାକୁ ବସିଲାଣି, ଚାଷୀ ଓ ସରକାରଙ୍କ ଭିତରେ ୮ ଥର ଆଲୋଚନା ଶେଷ ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନି। ଶେଷରେ ସୁପ୍ରିମକୋର୍ଟ ଏହି ମାମଲାର ବିଚାର କରି ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚାଷୀମାନେ କିନ୍ତୁ ଏହି କମିଟି ଗଠନ କଥାକୁ ନେଇ ଖୁସି ନଥିବା କହିଛନ୍ତି।

Comment