ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ବିଫଳ ହେଲା ଚାଷୀ ଓ ସରକାରଙ୍କ ଆଲୋଚନା। ଶୁକ୍ରବାର ଚାଷୀ ଆନ୍ଦୋଳନ ଓ ନୂଆ କୃଷି ଆଇନକୁ ନେଇ ବସିଥିବା ବୈଠକରେ କୌଣସି ସମାଧାନର ବାଟ ବାହାରିପାରିନି। ଅନ୍ୟପଟେ ଜାନୁଆରି ୧୯ରେ ପୁଣି ଦୁଇ ପକ୍ଷଙ୍କୁ ନେଇ ବୈଠକ ବସିବ ବୋଲି ଦିନ ଧାର୍ଯ୍ୟ ହୋଇଛି।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ସରକାର କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ଚାହୁଁଛନ୍ତି। ଚାଷୀମାନେ କିନ୍ତୁ ନିଜ ଜିଦରେ ଅଟଳ ଅଛନ୍ତି। ଆମେ ନୂଆ ଆଇନରେ ସଂଶୋଧନ ପାଇଁ ପ୍ରସ୍ତୁତ ଅଛୁ। ସୁପ୍ରିମକୋର୍ଟଙ୍କ କମିଟି ଗଠନ କଥାକୁ ମଧ୍ୟ କେନ୍ଦ୍ରମନ୍ତ୍ରୀ ସ୍ୱାଗତ ଜଣାଇଛନ୍ତି।ଅନ୍ୟପଟେ ଚାଷୀ ନେତା ରାକେଶ ଟିକାୟତ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ସରକାର ଓ ଚାଷୀଙ୍କ ସହ ଆଲୋଚନା ହୋଇ ହିଁ ଏହି ବିବାଦର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାର ଗତ ସେପ୍ଟେମ୍ବର ମାସରେ ସଂସଦର ଉଭୟ ସଦନରେ ନୂଆ କୃଷି ବିଲକୁ ପାରିତ କରିଦେଇଥିଲେ। ଏହାପରେ କିନ୍ତୁ ଏହି ନୂଆ ଆଇନକୁ ନେଇ ବିବାଦ ଜନ୍ମ ନେଇଥିଲା। ଚାଷୀମାନେ ଏହାକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇବା ସହିତ ଏହାର ସମ୍ପୂର୍ଣ୍ଣ ଉଚ୍ଛେଦ ଦାବି କରିଥିଲେ।

ଏହାପରେ ଚାଷୀମାନେ ଦିଲ୍ଲୀ ଚାଲୋ ଡାକରା ଦେଇଥିଲେ। ଦିଲ୍ଲୀରେ କିନ୍ତୁ ସେମାନଙ୍କୁ ପ୍ରଶାସନ ପ୍ରବେଶ କରିବାକୁ ବାରଣ କରିଥିଲା। ଏହାପରେ ସେମାନେ ସିଙ୍ଘୁ ସୀମାରେ ହିଁ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେବେଠାରୁ ଏହି ଆନ୍ଦୋଳନକୁ ରୋକିବାକୁ କେନ୍ଦ୍ର ସରକାର ଅନେକ ଥର ବୈଠକ ଡାକିସାରିଛନ୍ତି; ହେଲେ କୌଣସି ନିଷ୍କର୍ସ ବାହାରିପାରିନି।

Comment