ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣିଥରେ କରୋନା ତା’ର କାୟା ବିସ୍ତାର କରିବା ଆରମ୍ଭ କରିଦେଲାଣି। ମହାରାଷ୍ଟ୍ରରେ ବିଗତ ଦୁଇ ଦିନ ମଧ୍ୟରେ ୧୦ ହଜାର ନୂଆ କରୋନା ରୋଗୀ ଚିହ୍ନଟ ହେବା ପରେ ଓଡ଼ିଶା ସରକାର ସତର୍କ ହୋଇପଡ଼ିଛନ୍ତି। ମହାରାଷ୍ଟ୍ରରେ ଗୋଟିଏ ଦିନରେ ୬ ହଜାର ନୂଆ ମାମଲା ଆସିବା ପରେ ପ୍ରାୟ ସବୁ ରାଜ୍ୟ କରୋନା ଉପରେ ନଜର ରଖିବା ଆରମ୍ଭ କରିଛନ୍ତି।

ଏନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଏସପି ଙ୍କୁ ଚିଠି ଲେଖାଯାଇଛି। ନୂଆ କରୋନା ମାମଲା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିବା ସହ କରୋନା ନିୟମ କଡ଼ାକଡ଼ି ପାଳନ କରିବା ପାଇଁ କୁହାଯାଇଛି।

ସମସ୍ତ ଜିଲ୍ଲାପାଳ ଓ ଏସପିମାନଙ୍କ ପାଖକୁ ଚିଠି ଲେଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, କିଛି ରାଜ୍ୟରେ କରୋନା ପୁଣି ମୁଣ୍ଡ ଟେକୁଛି। ଦେଶ ଭିତରେ ଲୋକଙ୍କ ଯାତାୟାତକୁ ଲକ୍ଷ୍ୟ କଲେ ଓଡ଼ିଶାରେ ମଧ୍ୟ ନୂଆ ମାମଲା ସାମ୍ନାକୁ ଆସିପାରେ। ଏଥିପାଇଁ ଆମକୁ ସତର୍କତା ଅବଲମ୍ବନ କରିବା ପାଇଁ ହେବ। ଏଣୁ ନିଜ ନିଜ ଅଞ୍ଚଳରେ କୋଭିଡ ନିୟମ ମାନିବା ଅତ୍ୟନ୍ତ ଜରୁରୀ।

ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଯେପରି ନବଢ଼େ, ସେଥିପାଇଁ ଆବଶ୍ୟକ ସଂଖ୍ୟକ ନମୁନା ପରୀକ୍ଷା କରିବାକୁ କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ। ବିଶେଷ କରି ହାଟ, ବଜାର, ରେଷ୍ଟୁରାଣ୍ଟ ଯେଉଁଠି ଲୋକ ଭିଡ଼ ହୋଇଥାଏ ସେଠି ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବା ଦରକାର ବୋଲି ସେ କହିଛନ୍ତି।

Comment