ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଭିନ୍ନ ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହୁଛନ୍ତି ‘ଲକଡାଉନ୍‌’ ଶେଷ ବିକଳ୍ପ ଭାବେ ଲାଗୁ କରାଯାଉ।

ଅଧିକାଂଶ ଲୋକଙ୍କ ଧାରଣା ଯେ, ରାଜନୀତି ଏକାଠି କରିବା ବଦଳରେ ବ୍ୟକ୍ତି, ଗୋଷ୍ଠୀ, ସମାଜ ଓ ଦେଶକୁ ବିଭକ୍ତ କରେ। କରୋନା ଭଳି ମହାମାରୀ ସମୟରେ ବି ସେଭଳି ବିଭାଜନ ରାଜନୀତିର ନମୁନା ଦେଖିବାକୁ ମିଳୁଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବା ପରେ ଲକଡାଉନକୁ ନେଇ ଭାରତ ରାଜନୀତି ଯେ, ଦି’ ଫାଳ ତାହା ଅନୁମାନ କରି ହେଉଛି। ବିଭିନ୍ନ ରାଜ୍ୟ କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଜାରି କରିଥିବା ବେଳେ ମୋଦୀ କିନ୍ତୁ ଏହାକୁ ଅନ୍ତିମ ବିକଳ୍ପ ଭାବେ ନେବାକୁ କହିଛନ୍ତି।

ଗତ ବର୍ଷେ ହେଲା କରୋନା ମହାମାରୀ ସହିତ ସାରା ଦେଶ ଲଢ଼ୁଛି। ପ୍ରଥମ ଲହରୀ ଅପେକ୍ଷା ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରତିଦିନ ଅଢ଼େଇ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମୃତ୍ୟୁ ସଂଖ୍ୟା ବି କିଛି କମ୍‌ ନାହିଁ। ଏହି ଦ୍ୱିତୀୟ ଲହରୀକୁ ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍‌, ସଟଡାଉନ, ରାତ୍ରୀ କାଳୀନ କର୍ଫ୍ୟୁ ଲଗାଇଛନ୍ତି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଲକଡାଉନକୁ ଶେଷ ଅସ୍ତ୍ର ଭାବେ ବ୍ୟବହାର କରିବା କହି ଅନ୍ୟ ରାଜ୍ୟମାନଙ୍କୁ କ’ଣ ବାର୍ତ୍ତା ଦବାକୁ ଚାହିଁଛନ୍ତି ତାକୁ ନେଇ ତର୍ଜମା ଚାଲିଛି। ମୋଟାମୋଟି ଭାବେ କହିବାକୁ ଗଲେ ଅର୍ଥ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଲକଡାଉନ ସପକ୍ଷରେ ନଥିବା ସୂଚନା ଦେଇଛନ୍ତି।

କେଉଁ ରାଜ୍ୟରେ ଲକ୍‌ଡାଉନ୍‌?

କରୋନାର ଦ୍ୱିତୀୟ ଲହରୀ ହୁ ହୁ ହୋଇ ମାଡ଼ି ଚାଲିଥିବାରୁ ବିଭିନ୍ନ ରାଜ୍ୟ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତର ରାଜଧାନୀ ଦିଲ୍ଲୀରେ ୭ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଥିବା ବେଳେ ଛତିଶଗଡ଼ରେ ପ୍ରାୟ ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ସେହିପରି ଝାଡ଼ଖଣ୍ଡରେ ୭ ଦିନିଆ ଲକଡାଉନ୍‌ ଲାଗୁ ହୋଇଥିବା ବେଳେ ରାଜସ୍ଥାନରେ ୧୫ ଦିନିଆ ଲକ୍‌ଡାଉନ୍‌ ଲାଗୁ ହୋଇଛି। ଏହିସବୁ ରାଜ୍ୟରେ ସ୍ଥିତି ସାଂଘାତିକ ରୂପ ନେଉଥିବାରୁ ସଂପୃକ୍ତ ରାଜ୍ୟ ସରକାରମାନେ ଲକଡାଉନ ଲାଗୁ କରିଛନ୍ତି। ଓଡ଼ିଶାରେ ବି ରାଜ୍ୟ ସରକାର ରାତ୍ରୀ କାଳୀନ କର୍ଫ୍ୟୁ ଏବଂ ସପ୍ତାହନ୍ତ ସଟଡାଉନ ଲାଗୁ କରିଛନ୍ତି।

ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ତେଲେଙ୍ଗାନା ସମେତ ଅନ୍ୟ ରାଜ୍ୟରେ ବି କରୋନା ଅସମ୍ଭାଳ ସ୍ଥିତିରେ ରହିଛି। ହେଲେ ସଂପୃକ୍ତ ରାଜ୍ୟରେ ଲକଡାଉନ ଲାଗୁ ହୋଇ ନାହିଁ। ଉତ୍ତରପ୍ରଦେଶର ୫ଟି ସହର ଆହ୍ଲାବାଦ, ଲକ୍ଷ୍ନୌ, କାନପୁର, ବାରାଣାସୀ ଏବଂ ଗୋରଖପୁରରେ ଲକଡାଉନ ଲାଗୁ କରିବାକୁ ଆହ୍ଲାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଉତ୍ତରପ୍ରଦେଶ ସରକାର ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମେକାର୍ଟରେ ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଖାରଜ ହୋଇଯାଇଛି।

ଅନ୍ୟପଟେ ମଧ୍ୟପ୍ରଦେଶରେ କରୋନା ତାର କରାଳ ରୂପ ଦେଖାଉଥିଲେ ମଧ୍ୟ ସେଠାକାର ରାଜ୍ୟ ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଲାଗୁ କରି ନାହାନ୍ତି। ମାତ୍ର ୩ଟି ଜିଲ୍ଲାରେ ଲକଡାଉନ ଲାଗୁ କରିଛନ୍ତି। ସେହିପରି ତେଲେଙ୍ଗାନାରେ ସ୍ଥିତି ଅଣାୟତ୍ତ ହେଉଥିବା ବେଳେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଲକଡାଉନ୍‌ ଲାଗୁ କରିବା ସମ୍ପର୍କରେ ନିଷ୍ପତ୍ତି ନେବାକୁ ୪୮ ଘଣ୍ଟା ସମୟ ଦେଇଛନ୍ତି।

ସବୁଠୁ ବଡ଼ କଥା ହେଉଛି, ଯେଉଁ ସବୁ ରାଜ୍ୟରେ ଲକ୍‌ଡାଉନ୍‌, କର୍ଫ୍ୟୁ, ସଟଡାଉନ ଲାଗୁ ହୋଇଛି ସେସବୁ ଅଣବିଜେପି ଶାସିତ ରାଜ୍ୟ। ରାଜସ୍ଥାନରେ କଂଗ୍ରେସ ସରକାର ରହିଥିବା ବେଳେ ଛତିଶଗଡ଼ରେ କଂଗ୍ରେସ ସରକାର ରହିଛି। ଦିଲ୍ଲୀରେ ଆମ୍‌ ଆଦମୀ ପାର୍ଟି ସରକାର ରହିଥିବା ବେଳେ ଝାଡ଼ଖଣ୍ଡରେ ଜେଏମଏମ-କଂଗ୍ରେସ ମେଣ୍ଟ ସରକାର ରହିଛି। ଓଡ଼ିଶାରେ ବିଜେଡି ସରକାର ଶାସନରେ ରହିଛି। ଏହିସବୁ ରାଜ୍ୟରେ ଲକଡାଉନ୍‌ ଲାଗୁ ହେବା ପରେ ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ଲକଡାଉନ୍‌ ଶେଷ ବିକଳ୍ପ କହିବା ରାଜନୀତିରେ ଉଷ୍ମତା ଭରିଛି।

ପ୍ରଥମ ଦଫାରେ ମାଇଲେଜ?

ପ୍ରଥମ ଦଫା କରୋନା ମହାମାରୀ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭଲ ଶ୍ରେୟ ନେଇଥିବା କୁହାଯାଉଛି। ମହାମାରୀକୁ ନିୟନ୍ତ୍ରଣ ପାଇଁ ୨୦୨୦ ମାର୍ଚ୍ଚ ୨୨ରେ ପ୍ରଥମେ ଜନତା କର୍ଫ୍ୟୁ ଲାଗୁ କରିଥିଲେ। ମୋଦୀଙ୍କ ଏହି ଅନୁରୋଧ ରକ୍ଷା କରି ଜନତା କର୍ଫ୍ୟୁ କଡ଼ାକଡ଼ି ପାଳନ ହୋଇଥିଲା। ହେଲେ ଜନତା କର୍ଫ୍ୟୁ ଶେଷ ହେଉ ହେଉ ସାରା ଦେଶକୁ ଲକଡାଉନ୍‌ ଲାଗୁ କରି ଦେଇଥିଲେ ପ୍ରଧାନମନ୍ତ୍ରୀ। କେବଳ ଅତ୍ୟାବଶ୍ୟକ ଜରୁରୀ ସେବାକୁ ଛାଡ଼ିଦେଲେ ଆଉ ସବୁ ସେବା ବନ୍ଦ ରହିଥିଲା। ରୋଜଗାର ହରାଇ ପ୍ରବାସୀମାନେ ଭିଟାମାଟିକୁ ଫେରି ଆସିଥିଲେ। କର୍ଫ୍ୟୁ, ଲକ୍‌ଡାଉନ୍‌ ସାଙ୍ଗରେ ଚଳିବାରେ ଅଭ୍ୟସ୍ତ ନଥିବା ଦେଶ ବାସୀ ଅସୁବିଧାରେ ପଡ଼ିଥିଲେ। ମୋଦୀଙ୍କର ଏହି ନିଷ୍ପତ୍ତିକୁ ସମସ୍ତ ରାଜ୍ୟ ସରକାର କଡ଼ାକଡ଼ି ପାଳନ କରିଥିଲେ।

ଦ୍ୱିତୀୟ ଲହରୀରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ଭିତରେ ଦ୍ୱିତୀୟ ଲହରୀର ଭୟ ବଢ଼ି ଚାଲିଥିଲା। ବଡ଼ ବଡ଼ ରାଲି, ସଭାରେ ବ୍ୟସ୍ତ ଥିବା ମୋଦୀ କିଛି ବଡ଼ ପଦକ୍ଷେପ ନେବା ଆଗରୁ ଅଣ ବିଜେପି ଶାସିତ ରାଜ୍ୟମାନେ ବିଭିନ୍ନ କଟକଣା ଜାରି କରି ଶ୍ରେୟ ନେଇ ଯାଇଥିବା କୁହାଯାଉଛି। ମୋଦୀ ଲକଡାଉନ୍‌ ଏବଂ କର୍ଫ୍ୟୁ ଉପରେ ବିଶେଷ ଗୁରୁତ୍ୱ ନଦେଇ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଉପରେ ଗୁରୁତ୍ୱ ଦେଇଛନ୍ତି।

କ’ଣ କହିଲେ ମୋଦୀ

ଦେଶବାସୀଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ଧୈର୍ଯ୍ୟ ହରା ନହେବାକୁ କହିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ସମସ୍ତେ ଏକାଠି ହେବାକୁ ସେ ଆହ୍ୱାନ ଦେଇଛନ୍ତି। ପ୍ରବାସୀମାନଙ୍କୁ ଘରକୁ ନଫେରିବାକୁ ମୋଦୀ ପରାମର୍ଶ ଦେଇଛନ୍ତି।

‘‘ସାରା ଦେଶ କରୋନା ମହାମାରୀ ସହିତ ଲଢ଼େଇ କରୁଛି। ପ୍ରଥମ ଦଫାରେ ଆମ ପାଖରେ ଭିତ୍ତିଭୂମିର ଅଭାବ ଥିଲା। ହେଲେ ଏବେ କରୋନା ମୁକାବିଲା ପାଇଁ ଆମ ପାଖରେ ସାଧନ ଅଛି। ବଡ଼ ବଡ଼ ଔଷଧ କମ୍ପାନି ଦିନ ରାତି ଏକ କରି ଦେଇଛନ୍ତି। ତେଣୁ ସମସ୍ତଙ୍କୁ ଧୈର୍ଯ୍ୟର ସହ କରୋନା ବିରୋଧରେ ଲଢ଼ିବାକୁ ପଡ଼ିବ। କରୋନା ଗାଇଡଲାଇନ ମାନିବାକୁ ପଡ଼ିବ’’, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଟିକା ଉପରେ ଗୁରୁତ୍ୱ

ପ୍ରଧାନମନ୍ତ୍ରୀ ମୋଦୀ ଟିକା ଉପରେ ଗୁରୁତ୍ୱ ଦେଇଛନ୍ତି। ମୋ’ ୧ରୁ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତି ଟିକା ନେଇ ପାରିବେ ବୋଲି ମୋଦୀ କହିଛନ୍ତି। ହେଲେ ସବୁଠୁ ବଡ଼ କଥା ହେଉଛି, ବର୍ତ୍ତମାନ ଯେଉଁ ଟିକା ସଙ୍କଟ ଦେଖାଦେଇଛି ସେଥିରେ ମୋଦୀଙ୍କ ଲକ୍ଷ୍ୟ କିପରି ପୂରଣ ହେବ ବୋଲି ଚର୍ଚ୍ଚା ହେଉଛି। ବର୍ତ୍ତମାନ ୪୫ରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯାଉଛି। ଟିକାକରଣକୁ ସଫଳ କରିବା ପାଇଁ କେନ୍ଦ୍ର ସରକାର ଟିକା ଉତ୍ସବ ପାଳନ କରୁଛନ୍ତି। ହେଲେ ଟିକା ସଙ୍କଟ ଏହି ଉତ୍ସବକୁ ଫିକା କରିଦେଇଛି। ଟିକା ଉତ୍ସବକୁ ସଫଳ କରିବାକୁ ହେଲେ ପ୍ରଥମେ ଟିକା ସଙ୍କଟ ଦୂର କରିବାକୁ ପଡ଼ିବ।

Comment