ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପୋଲିସ ଏଥର ଖୁବ ମଜଭୁତ ସ୍ଥିତିରେ ରହିଛି। କାରଣ ଦ୍ୱିତୀୟ ଲହର କରୋନା ସଂକ୍ରମଣରେ ରାଜ୍ୟରେ ପୋଲିସ କର୍ମଚାରୀ ଏତେ ସଂକ୍ରମିତ ହୋଇନାହାନ୍ତି। ଯେତିକି ବି ସଂକ୍ରମିତ ହୋଇଛନ୍ତି ତାହାର ସଂଖ୍ୟା ବେଶୀ ନୁହେଁ।

ଗତ ବର୍ଷ ପ୍ରଥମେ ଯେତେବେଳେ କରୋନା ଆସିଲା ପ୍ରାୟ ୧୦ ହଜାର ପୋଲିସ କର୍ମଚାରୀ ଏଥିରେ ସଂକ୍ରମିତ ହୋଇଥିଲେ ଓ ପାଖାପାଖି ୫୦ ଜଣଙ୍କର ଜୀବନ ନେଇଥିଲା ଏହି ମହାମାରୀ।

ଏଥର କିନ୍ତୁ ପୋଲିସ ବିଭାଗର କମ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ପୋଲିସ ବିଭାଗର ଜଣେ ଉଚ୍ଚ ପଦସ୍ତ ଅଧିକାରୀଙ୍କ କହିବା ଅନୁଯାୟୀ ଯଦି ଏଥର ପୋଲିସ କର୍ମଚାରୀ କରୋନାକୁ ମାତ୍ ଦେଇ ପାରିଛନ୍ତି ତାହାର ମୁଖ୍ୟ କାରଣ ଟିକା।

ଯେଉଁ ୬୩ ହଜାର ସୁରକ୍ଷା କର୍ମଚାରୀ ଟିକା ପାଇଁ ପଞ୍ଜୀକରଣ କରିଥିଲେ ସେମାନଙ୍କ ମଧ୍ୟରୁ ୬୦ ହଜାର ପ୍ରଥମ ଡୋଜ ନେଇ ସାରିଥିବା ବେଳେ ୫୪ ହଜାର ଦ୍ଵିତୀୟ ଡୋଜ ନେଇ ସାରିଛନ୍ତି।

ଆଇନ ଶୃଙ୍ଖଳା ରକ୍ଷା ଦାୟିତ୍ୱରେ ଥିବା ଅତିରିକ୍ତ ପୋଲିସ ମହା ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା କହିଛନ୍ତି ଯେ ବ୍ୟାପକ ଟିକାରଣ ଯୋଗୁଁ ପୋଲିସ କର୍ମଚାରୀ କମ ସଂକ୍ରମିତ ହେଉଛନ୍ତି। ଟିକା ନେବା ସତ୍ତ୍ୱେ କୋଭିଡ ନିୟମକୁ ପୂରାପୂରି ମାନିବା ପାଇଁ କର୍ମଚାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ସାପ୍ତାହାନ୍ତ ବନ୍ଦ ଓ ରାତି କର୍ଫୁ ବେଳେ ସଜାଗ ରହିବା ପାଇଁ ପୋଲିସ କର୍ମଚାରୀଙ୍କୁ କୁହାଯାଇଛି।

Comment