ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆର୍‌ଟି-ପିସିଆର ରିପୋର୍ଟ ନେଗେଟିଭ୍‌ ଥାଇ ବି ଜଣେ ବ୍ୟକ୍ତି କରୋନା ପଜିଟିଭ୍‌। ବିଭିନ୍ନ ସ୍ଥାନରୁ ଏଭଳି ମାମଲା ଆସିବା ପରେ ଏବେ କରୋନା ପରୀକ୍ଷା ପାଇଁ ସିଟି ସ୍କାନ କରାଯାଉଛି। କିନ୍ତୁ ସିଟି ସ୍କାନ ସୁରକ୍ଷିତ ନୁହେଁ ବୋଲି ଦିଲ୍ଲିସ୍ଥିତ ଏମ୍‌ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।

କରୋନାର ସାମାନ୍ୟ ଲକ୍ଷଣ ଦେଖାଗଲେ ସିଟି ସ୍କାନ କରନ୍ତୁ ନାହିଁ। କାରଣ ଥରେ ସିଟି ସ୍କାନ କରିବା ୩୦୦ରୁ ୪୦୦ ଥର ଛାତି ଏକ୍ସ ରେ’ କରିବା ସହିତ ସମାନ। ଏହାସହିତ ସିଟିସ୍କାନ ପରବର୍ତ୍ତୀ ସମୟରେ କର୍କଟର ଆଶଙ୍କା ସୃଷ୍ଟି କରୁଛି। ବିଶେଷ କରି ଯୁବକଙ୍କ କ୍ଷେତ୍ରରେ ଏହାର ଅଧିକ ସମ୍ଭାବନା ରହିଛି। ତେଣୁ ସିଟି ସ୍କାନ ବଦଳରେ ଆପଣ ଏକ୍ସ-ରେ କରିପାରିବେ ବୋଲି କହିଛନ୍ତି ଡାକ୍ତର ଗୁଲେରିଆ।

ଏକ ସର୍ଭେରୁ ଜଣାଯାଇଛି ଯେ, ୩୦ରୁ ୪୦ ପ୍ରତିଶତ ସଂକ୍ରମିତଙ୍କଠାରେ କରୋନାର ଲକ୍ଷଣ ନଥାଏ। ଏପରି ସଂକ୍ରମିତ ବ୍ୟକ୍ତି ନିଜର ସିଟି ସ୍କାନ କରାଉଥିବା ଦେଖାଯାଉଛି। ତେଣୁ ସିଟି ସ୍କାନ ପ୍ରତି ସତର୍କ କରାଇଛନ୍ତି ଡାକ୍ତର ଗୁଲେରିଆ।

ଅନ୍ୟପଟେ ଅତ୍ୟଧିକ ଷ୍ଟେରୋଏଡ୍‌ ନେବା ପାଇଁ ମଧ୍ୟ ସେ ମନା କରିଛନ୍ତି। କାରଣ ଏହାଦ୍ୱାରା ନିମୋନିଆ ହୋଇପାରେ, ଯାହା ପରବର୍ତ୍ତୀ ସମୟରେ ଫୁସଫୁସ୍‌କୁ ପ୍ରଭାବିତ କରିପାରେ ବୋଲି କହିଛନ୍ତି ଡାକ୍ତର ଗୁଲେରିଆ।

LEAVE A REPLY

Please enter your comment!
Please enter your name here