ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁଲିସ ବିଭାଗର ଅଜବ କାରନାମା। ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇସାରିଛି କିନ୍ତୁ ବଦଳି ଅର୍ଡରରେ ତାଙ୍କ ନାଁ ରହିଛି। ଏଥିପାଇଁ ବିଭାଗକୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡ଼ିଛି। ଏଭଳି ଘଟଣା କୋରାପୁଟ ରିଜର୍ଭ ପୋଲିସ ଷ୍ଟେସନରେ ଦେଖିବାକୁ ମିଳିଛି।

କୋରାପୁଟ ରିଜର୍ଭ ପୋଲିସରେ କାର୍ଯ୍ୟରତ ସୁବେଦାର କାମ ପାଳ ନାୟକଙ୍କର ଗତବର୍ଷ ମୃତ୍ୟୁ ହୋଇଯାଇଥିଲା। କିନ୍ତୁ ତାଙ୍କ ସମେତ ଆଉ ୧୨ଜଣ କର୍ମଚାରୀଙ୍କୁ ଅନ୍ୟ ବାଟାଲିୟନକୁ ବଦଳି କରାଯାଇଥିବା ଅର୍ଡର ଉଲ୍ଲେଖ ରହିଛି। ସବୁଠୁ ବଡ଼ କଥା ହେଲା, ଏହି ଆଦେଶ ରାଜ୍ୟ ପୋଲିସ ହେଡକ୍ୱାର୍ଟରରୁ ଆସିଛି। ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ମୁଖ୍ୟାଳୟର ଦକ୍ଷତା କେତେ ତାହା ପଦାରେ ପଡ଼ିଛି।ପୋଲିସର ଏହି ବିଭାଗଟି ଜଣେ ଆଇଜିଙ୍କ ଅଧୀନରେ ରହିଛି। ସୋସିଆଲ ମିଡ଼ିଆରେ ଏହି ଘଟଣା ଭାଇରାଲ ହେବାପରେ ଆଦେଶକୁ ସଂଶୋଧନ କରାଯାଇଛି। ତେବେ, କଟକ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ଥିବା ବଦଳି ଓ ନିଯୁକ୍ତି ବିଭାଗ କିଭଳି ଏହି ତ୍ରୁଟି କଲେ ତାହା ଆଲୋଚନାର ବିଷୟ ପାଲଟିଛି।

ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ମୟୂରଭଞ୍ଜ ଜିଲ୍ଲାର ଗର୍ଭବତୀ ମହିଳାଙ୍କୁ ହେଲମେଟ୍‌ ପିନ୍ଧିନଥିବା ହେତୁ ୩ କିମି ଚଲେଇବା ଘଟଣାରେ ନିଲମ୍ବିତ ହୋଇଥିବା ମହିଳା ସବଇନ୍ସପେକ୍ଟର ରୀନା ବାକ୍ସଲାଙ୍କୁ ପଦୋନ୍ନତି ଦିଆଯାଇଥିବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ଏସଆଇ ଇନ୍ସପେକ୍ଟର ପଦବୀ ପାଇବାର କିଛି ଘଣ୍ଟା ପରେ ସେହି ଅର୍ଡରକୁ ସଂଶୋଧନ କରାଯାଇଥିଲା।

Comment