ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ନିଆଯାଇଛି। ଏଥିପାଇଁ ମଙ୍ଗଳବାର କଟକ ଅଶ୍ୱିନୀ ହସ୍ପିଟାଲରୁ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚାଇବା ପାଇଁ ଏକ ଗ୍ରୀନ କରିଡର ସୃଷ୍ଟି କରାଯାଇଥିଲା।

୧୯୯୧ ବ୍ୟାଚର ଆଇପିଏସ ଦେବାଶିଷ ପାଣିଗ୍ରାହୀଙ୍କ ସହ ଏକ ଚାରି ଜଣିଆ ଡାକ୍ତରୀ ଟିମ ମଧ୍ୟ କୋଲକାତା ଯାଇଛନ୍ତି। ପାଣିଗ୍ରାହୀଙ୍କୁ ଏକମୋ ମେସିନ ସାହାଯ୍ୟରେ କୋଲକାତାର ଏକ ସୁପର ସ୍ପେସିଆଲିଟି ହସ୍ପିଟାଲକୁ ନିଆଯାଇଛି। ସେଠି ତାଙ୍କୁ ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା କରାଯିବ।

କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଡିସିପି ପ୍ରତୀକ ସିଂହ ସମଗ୍ର ଏୟାର ଲିଫଟିଂ ପ୍ରକ୍ରିୟାର ତଦାରଖ କରିଥିଲେ।ସାମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲାପାଳ କହିଥିଲେ ଯେ ଅଶ୍ୱିନୀ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ସୁବ୍ରତ ଜେନା, ଡାକ୍ତର ମାନସ ନାୟକ ଓ ଡାକ୍ତର ମାୟା ଗନ୍ତାୟତଙ୍କ କହିବା ଅନୁଯାୟୀ ଦେବାଶିଷ ପାଣିଗ୍ରାହୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି।

କରୋନା ପଜିଟିଭ ଜଣାପଡିବା ପରେ ମେ’ ୨୯ ତାରିଖରେ ତାଙ୍କୁ ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠି ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତରିତ କରାଯାଇଥିଲା। ଏପ୍ରିଲ ମାସରେ କୋଭିଡ ଟିକାର ଦୁଇଟି ଡୋଜ୍ ନେବାପରେ ବି ତାଙ୍କର ଅବସ୍ଥା ଗୁରୁତର ହେବାରୁ ସେ ଭେଣ୍ଟିଲେଟରରେ ଥିଲେ।ଅଶ୍ୱିନୀ ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି ଯେ ଭେଣ୍ଟିଲେଟରରେ ରଖା ଯାଇଥିଲେ ହେଁ ତାଙ୍କର ଅକ୍ସିଜେନ ସାଚୁରେସନ ସ୍ତର ସ୍ଥିର ରହୁନଥିଲା।

ଆଇପିଏସ ପାଣିଗ୍ରାହୀ ଜଣେ ମଧୁମେହ ରୋଗୀ ହୋଇଥିବାରୁ ତାଙ୍କ ପାଇଁ ଏକମୋ ମେସିନ ନିହାତି ଆବଶ୍ୟକ କାରଣ ସେଥିରେ ହିଁ ତାଙ୍କର ଶ୍ୱାସ ପ୍ରକ୍ରିୟାରେ ସ୍ଥିରତା ଆଣିହେବ। ଫୁସ୍‌ଫୁସକୁ ଛାଡ଼ି ତାଙ୍କର ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଠିକ ଥିବା କଥା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Comment