ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ବ୍ୟବଧାନ ପରେ ଜାତି ରାଜନୀତି ପୁଣି ସାମ୍ନାକୁ ଆସିଛି। ସମଗ୍ର ଦେଶରେ ଓବିସିଙ୍କୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ବିହାରରେ ମଧ୍ୟ ଏହାକୁ ନେଇ ସ୍ୱର ଉଠିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ୧୦ଟି ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ଦେଶରେ ଜାତି ଆଧାରରେ ଜନଗଣନା ହେଉ ବୋଲି ଦାବି ଜଣାଇଛନ୍ତି।

ନୀତିଶଙ୍କ କହିବା କଥା, ଦେଶର ଜନସାଧାରଣ ଚାହାନ୍ତି ଜାତି ଗଣନା ହେଉ। ଏହା ହେଲେ ଜାତିଗୁଡିକର ସଠିକ ତଥ୍ୟ ସମସ୍ତଙ୍କ ସାମନାକୁ ଆସିପାରିବ।ବିଗତ କିଛି ଦିନ ଧରି ନୀତିଶ କୁମାର ଦେଶରେ ଜାତି ଭିତ୍ତିକ ଗଣନା ହେଉ ବୋଲି ଦାବି କରିଆସୁଛନ୍ତି। ନିକଟରେ ଲୋକସଭାର ମୌସୁମୀ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମତ ଦେଇ କହିଥିଲେ, ଦେଶରେ ଜାତିଭିତ୍ତିକ ଗଣନା ସପକ୍ଷରେ  କେନ୍ଦ୍ର ନାହିଁ। ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ କଥାକୁ ଗୁରୁତ୍ୱ ଦେଇ ଜାତି ଗଣନା ପାଇଁ ସକାରାତ୍ମକ ପଦକ୍ଷେପ ନେବେ ବୋଲି ନେତାମାନେ ଆଶା ପୋଷଣ କରିଛନ୍ତି।

ଏପଟେ ଜାତିଭିତ୍ତିକ ଜନଗଣନାକୁ ନେଇ ସୋମବାର ଦିନ ଯେଉଁ ଏକତାର ଚିତ୍ର ଦୃଷ୍ଟିରେ ପଡ଼ିଛି ତାହା ବିରଳ। ବିହାର ରାଜନୀତିର ଦୁଇ ପରସ୍ପର ବିରୋଧୀ ଦଳ ଜେଡିୟୁ ଓ ଆରଜେଡି ଏକାଠି ହେବା ତାତ୍ପର୍ଯ୍ୟପୂର୍ଣ୍ଣ। ଜାତିଭିତ୍ତିକ ଜନଗଣନା ପ୍ରସଙ୍ଗରେ ହରଡ଼ଘଣାରେ ପଡ଼ିଛି ବିଜେପି। ଏହି ଜନଗଣନାକୁ ନେଇ ବିହାର ବିଜେପି ନେତାମାନଙ୍କ ମଧ୍ୟରେ ମତ ପାର୍ଥକ୍ୟ ରହିଛି। ବିହାର ଓ ଉତ୍ତରପ୍ରଦେଶରେ ଜାତିଭିତ୍ତିକ ଗଣନା ପାଇଁ ପ୍ରାୟ ସବୁ ଦଳ ଦାବି କରୁଥିବାବେଳେ ଯଦି ବିଜେପି ଏହାକୁ ଗ୍ରହଣ ନକରେ ଓବିସି ବିରୋଧୀ ବୋଲି ଏକ ଧାରଣା ସୃଷ୍ଟି ହୋଇପାରେ। ୨୦୧୪ ନିର୍ବାଚନ ପରଠାରୁ ବିଜେପି ଯେଉଁଭଳି ଯାଦବ ଭୋଟକୁ ହାତେଇ ଚାଲିଛି ଆଗାମୀ ନିର୍ବାଚନରେ ଦଳ ପାଇଁ ଓବିସି ଭୋଟ ଏକ ବଡ଼ ଚ୍ୟାଲେଞ୍ଜ ହେବ।

Comment