ଓଡ଼ିଶାଲାଇଭ୍ ବ୍ୟୁରୋ

ବିପଦ ପଥରେ ବିଶ୍ଵ ଗତି କରୁଛି। କ୍ରମାଗତ ତାପମାତ୍ରା ବଢିବା ଯୋଗୁ ଆଗାମୀ କିଛି ବର୍ଷ ମଧ୍ୟରେ ଘୋର ବିପର୍ଯ୍ୟୟ ଆସିପାରେ ବୋଲି ଆକଳନ କରାଯାଇଛି। ଏନେଇ ଅନ୍ୟ କେହି ନୁହେଁ ଜାତିସଙ୍ଘ ହିଁ ସତର୍କ କରାଇଛି। ଚଳିତ ଶତାବ୍ଦୀର ଶେଷ ଭାଗ ଆଡକୁ ବିଶ୍ଵରେ ତାପମାତ୍ରା ୨.୭ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେରିକା ଓ ୟୁରୋପରେ ଗ୍ରୀଷ୍ମ ଋତୁରେ ଜଙ୍ଗଲରେ ବ୍ୟାପକ ନିଆଁ ଲାଗିବା, ଚୀନ ଓ ଜର୍ମାନୀରେ ପ୍ରଳୟଙ୍କାରୀ ବନ୍ୟା ଆଦି ଏହାର ପୂର୍ବ ସଙ୍କେତ ବୋଲି କୁହାଯାଉଛି।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କଠାରୁ ଏହି ସତର୍କତା ଆସିଥିବାରୁ ଏହାକୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ବୈଜ୍ଞାନିକଙ୍କ ମତରେ ବିଶ୍ଵର ତାପମାତ୍ରା ନିର୍ଦ୍ଧାରିତ ସ୍ତରରେ ରହିବା ଦରକାର। ଏଥିଲାଗି ସମସ୍ତ ରାଷ୍ଟ୍ର ପଦେକ୍ଷେପ ନେବା ପାଇଁ ପ୍ୟାରିସ ରାଜିନାମାରେ ଗୃହିତ ହୋଇଥିଲା। ମାତ୍ର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜୀବନ ଓ ଜୀବିକା ଉପରେ ଗୁରୁତର ଭାବେ ପଡୁଛି।

୨୦୩୦ ସୁଦ୍ଧା ବିଶ୍ଵର ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ପରିମାଣ ୪୫ ପ୍ରତିଶତ ହ୍ରାସ କରିବା ଲାଗି ପଦକ୍ଷେପ ନିଆଯାଉଛି। ମାତ୍ର ଏହା ସମ୍ଭବ ହୋଇନାହିଁ। ବର୍ତ୍ତମାନର ଧାରାକୁ ଆକଳନ କଲେ ସ୍ପଷ୍ଟ ହେଉଛି ଯେ ୨୦୩୦ ବେଳକୁ ନିର୍ଗମନ ପରିମାଣ ୧୬ ପ୍ରତିଶତ ବୃଦ୍ଧି ପାଇବ। ଫଳରେ ବିଶ୍ଵ ତାପମାତ୍ରା ୨.୭ ଡିଗ୍ରୀ ସେଲସିୟସ ବଢିବାର ଆଶଙ୍କା ରହିଛି। ଉଦବେଗର ବିଷୟ ଏହି ଯେ ଅଙ୍ଗାରକାମ୍ଳ ହ୍ରାସ ନେଇ କୌଣସି ରାଷ୍ଟ୍ର ଗୁରୁତ୍ବ ଦେଉନାହାନ୍ତି। ଏନେଇ ବିଭିନ୍ନ ବିକାଶଶୀଳ ରାଷ୍ଟ୍ରଗୁଡିକୁ ଶିଳ୍ପୋନ୍ନତ ରାଷ୍ଟ୍ରଗୁଡିକ ସହାୟତା କରିବା ସହ ୧୦୦ ବିଲିୟନ ଡଲାରର ପ୍ରସ୍ତାବ କାର୍ଯ୍ୟକାରୀ କରିବା ଲାଗି ଗୁଟେରସ ଆହ୍ଵାନ ଦେଇଛନ୍ତି ।

ତେବେ ପ୍ୟାରିସ ରାଜିନାମାରେ ୧୯୧ଟି ରାଷ୍ଟ୍ର ସ୍ଵାକ୍ଷର କରିଥିବା ସତ୍ତ୍ଵେ ନିର୍ଗମନ ହ୍ରାସ ନେଇ ଗୁରୁତ୍ଵ ନଦେବା କ୍ଷୋଭର ବିଷୟ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ମିଥେନ ନିର୍ଗମନ ପରିମାଣ ୩୦ ପ୍ରତିଶତ ହ୍ରାସ କରିବା ଲାଗି ଆମେରିକା ଓ ୟୁରୋପୀୟ ରାଷ୍ଟ୍ରସଂଘ ଅଭିଯାନ କରିବେ ବୋଲି ଗତ ଶୁକ୍ରବାର ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ। ଏହି ସବୁ ଆଶା ଆଶଙ୍କା ଭିତରେ ମାନବ ସଭ୍ୟତା ଗତି କରୁଛି।

Comment