ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ସେବା ଓ ଶାନ୍ତିର ପ୍ରତୀକ ବୋଲାଉଥିବା ପଦ୍ମଶ୍ରୀ ଶାନ୍ତି ଦେବୀଙ୍କର ପରଲୋକ ହୋଇଛି। ରବିବାର ବିଳମ୍ଵିତ ରାତିରେ ରାୟଗଡ଼ା ଗୁଣପୁରସ୍ଥିତ ସେବା ସମାଜରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ସ୍ଥାନୀୟ ବଂଶଧାରା ନଦୀତଟ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କ ମର ଶରୀରକୁ ସତ୍କାର କରାଯାଇଛି।

ରବିବାର ବିଳମ୍ବିତ ରାତିରେ ଶାନ୍ତିଦେବୀଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଅଚେତ ହୋଇ ପଡିଥିଲେ। ଏହାପରେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରୁ ଡାକ୍ତର ରମେଶ ଚନ୍ଦ୍ର ସାହୁ ସେବା ସମାଜରେ ପହଞ୍ଚି ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ତାଙ୍କ ପରଲୋକରେ ରାୟଗଡ଼ା ଜିଲ୍ଲା ସମେତ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।

ପଦ୍ମଶ୍ରୀ ଶାନ୍ତିଦେବୀଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିବା ସହିତ ସମାଜସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଭୂମିକାକୁ ପ୍ରଶଂସା କରିଛନ୍ତି। ଏଥିସହିତ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା ସହ ଶୋକସନ୍ତପ୍ତ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି।

ସ୍ୱର୍ଗତ ଶାନ୍ତି ଦେବୀଙ୍କ ସମାଜସେବା କ୍ଷେତ୍ରରେ ଅତୁଳନୀୟ ଅବାଦନ ତାଙ୍କୁ କେବଳ ରାୟଗଡ଼ା ଜିଲ୍ଲାରେ ସୀମତି ନରଖି ସାରା ଦେଶରେ ପରିଚିତ କରିଥିଲା। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦଳିତ, ନିଷ୍ପେସିତ, ଅନାଥ ପିଲାମାନଙ୍କୁ ସେବାସମାଜ ପ୍ରତି ଆକୃଷ୍ଟ କରି ଶିକ୍ଷା ଦାନ କରିବା ସହ ସେମାନଙ୍କୁ ଭବିଷ୍ୟତରେ ସ୍ୱାବଲମ୍ବୀ କରିବାକୁ ସ୍ୱର୍ଗତ ଶାନ୍ତିଦେବୀ ଅହରହ ଉଦ୍ୟମ ଜାରି ରଖିଥିଲେ।ଏଥିସହିତ ସେ ୬୦ ଦଶକରେ ଭୂଦାନ ଆନ୍ଦୋଳନ, ଜମିଦାର ବିରୋଧୀ ଆନ୍ଦୋଳନ ଓ ଗୋପାଳନ କାର୍ଯ୍ୟରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ। ପରେ ଗୁଣୁପୁର, ପଦ୍ମପୁର ବ୍ଲକର ଜବରଗୁଡା ଓ ରାୟଗଡ଼ା ସହର ନୂଆ ବସଷ୍ଟାଣ୍ଡଠାରେ ସେବା ସମାଜ ଗଢି ଅସହାୟ ପିଲାଙ୍କ ଭବିଷ୍ୟତ ଗଢିବାରେ ନିଃସ୍ୱାର୍ଥପର ସେବା ଚଳାଇ ଆସିଥିଲେ। ସେବା କ୍ଷେତ୍ରରେ ଅତୁଳନୀୟ ଉଦ୍ୟମ ପାଇଁ ୨୦୨୧ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହାବ୍ୟତୀତ ସମାଜସେବା ପାଇଁ ସେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ମଧ୍ୟ ପରୁସ୍କୃତ ହୋଇଛନ୍ତି।

Comment