ଡକ୍ଟର ଫକୀର ମୋହନ ନାହାକTelevision Katha

‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ ଟେଲିଭିଜନ ଜଗତରେ ଆସିଥିବା ପରିବର୍ତ୍ତନ, ବୈଷୟିକ ବିକାଶ ତଥା ବିଭିନ୍ନ ସ୍ମରଣୀୟ ଘଟଣା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା କରୁଛନ୍ତି।

ବାର ମାସରେ ତେର ପର୍ବ। ଏଇଟା ଆମ ପାଇଁ ଗୋଟିଏ ଚିରାଚରିତ କଥା। କିନ୍ତୁ ଏହି ତେର ପର୍ବ ବ୍ୟତିରେକ ସାରା ଭାରତୀୟଙ୍କ ପାଇଁ ଆଉ ଏକ ବଡ଼ ପର୍ବ-ନିର୍ବାଚନ। ନିର୍ବାଚନ ଆସିଲେ ବାଜା ବାଜେ, ରୋଷଣୀ ପଟୁଆର ହୁଏ, ଡାକବାଜି ଯନ୍ତ୍ରରେ ଭିନ୍ନ ଭିନ୍ନ ଶୈଳୀର ସଙ୍ଗୀତ ପରିବେଷଣ ହୁଏ। ଅନେକ ସର୍ଜନଶୀଳ ବ୍ୟକ୍ତି ଉଭା ହୁଅନ୍ତି। ତା ସାଙ୍ଗକୁ ନେତାମାନେ ବି ସଂଖ୍ୟାଧିକ ମାତ୍ରାରେ ଦୃଶ୍ୟମାନ ହୁଅନ୍ତି। ଭାଷଣ, ସମ୍ଭାଷଣ, ପ୍ରବଚନ କେତେ କଣ ଚାଲେ।

ତେବେ ନିଜ ଅଞ୍ଚଳକୁ ଛାଡ଼ିଲେ, ଏପରିକି ନିଜ ଗାଁ ବା ସହରକୁ ଛାଡ଼ିଲେ, ଅନ୍ୟ କୌଣସି ସ୍ଥାନରେ କିଭଳି ଚାଲିଛି ନିର୍ବାଚନ ପ୍ରସ୍ତୁତି, କେମିତି ତୃଣମୂଳ ସ୍ତରରେ ଚାଲିଛି ପ୍ରଚାର ପ୍ରସାର ସେ ସମ୍ପର୍କରେ ପ୍ରାୟତଃ ଲୋକଙ୍କ ପାଖରେ ଖବର ପହଞ୍ଚୁ ନଥିଲା। ଦିନେ ଓଳିଏ ଖବରକାଗଜରେ ପ୍ରକାଶିତ ଖବରରେ ସ୍ଥାନ ପାଉଥିଲା, ନିର୍ବାଚନୀ ହିଂସାଜନିତ ଖବର, କୌଣସି ବଡ଼ ଦଳର ରାଜନେତାଙ୍କ ପ୍ରଚାର ପ୍ରସାର ସମ୍ପର୍କିତ ଖବର।ଏଭଳି ମୁହୂର୍ତ୍ତରେ ସମଗ୍ର ଭାରତୀୟ ଟେଲିଭିଜନ ଇତିହାସ ଏବଂ ବିଶ୍ୱର ସମସାମୟିକ ଟେଲିଭିଜନ ଇତିହାସରେ ପ୍ରଥମ ଥର ପାଇଁ ଏକ ପରୀକ୍ଷଣ କରାଯାଇଥିଲା ଈଟିଭି ଓଡ଼ିଆରେ। ଆଉ ତାହା ଥିଲା “ଈଟିଭି ଇଲେକ୍ସନ୍ ଏକ୍ସପ୍ରେସ୍”। ୨୦୦୪ର ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରେ କିଭଳି ଚାଲିଛି ନିର୍ବାଚନ ପ୍ରସ୍ତୁତି, ସ୍ଥାନୀୟ ଲୋକଙ୍କ ନିର୍ବାଚନୀ ପ୍ରସଙ୍ଗ କଣ। କେଉଁ ନେତା ଓ କେଉଁ ଦଳର ସ୍ଥିତି କେମିତି ଅଛି। ନିର୍ବାଚନକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା କେତେ। ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପରିକଳ୍ପନା କରାଯାଇଥିଲା ଈଟିଭି ଇଲେକ୍ସନ ଏକ୍ସପ୍ରେସ୍‌ ଜରିଆରେ। ଏହି ପରୀକ୍ଷଣ ଆମ ସମସ୍ତଙ୍କ ପାଇଁ ନୂଆ ଥିଲା।ଇଲେକ୍ସନ ଏକ୍ସପ୍ରେସ୍ ଥିଲା, ଈଟିଭି ନ୍ୟୁଜର ତତ୍କାଳୀନ ବାର୍ତ୍ତା ସଂଯୋଜକ ତଥା ନ୍ୟୁଜ୍ ମୁଖ୍ୟ ନୀଳାମ୍ବର ରଥଙ୍କ ପରିକଳ୍ପନା। ଆଉ ଏହାକୁ ସଫଳ କରାଇବା ପାଇଁ ଲାଗିପଡ଼ିଥିଲା ପୂରା ଟିମ୍। ୧୪ ହଜାର କିଲୋମିଟର, ୪୨ ଦିନ, ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ, ୩୦ଟି ଜିଲ୍ଲା ଏବଂ ଦୁଇ କୋଟିରୁ ଅଧିକ ଭୋଟର। କିଛି ଛୋଟ କଥା ନୁହେଁ। ଏମିତି ଏକ ବିଶାଳ ଯୋଜନାକୁ କାର୍ଯ୍ୟରେ ପରିଣତ କରିବା ଏବଂ ସଫଳତାର ସହ ସମ୍ପାଦନ କରିବା ଥିଲା ସମସ୍ତଙ୍କ ପାଇଁ ଏକ ଚାଲେଞ୍ଜ। ତେବେ ଏହି ଚାଲେଞ୍ଜକୁ ଗ୍ରହଣ କରିଥିଲେ ସେ ସମୟରେ ଈଟିଭିର ଭୁବନେଶ୍ୱର ବ୍ୟୁରୋରେ ସିନିୟର ରିପୋର୍ଟର ଭାବେ କାର୍ଯ୍ୟ କରୁଥିବା ଶିଶିର କୁମାର ଭଟ୍ଟମିଶ୍ର। ଅବିରତ ଭାବେ ଯାତ୍ରାର ଏକ ପୂର୍ବ ନିର୍ଦ୍ଧାରିତ ନକ୍ସା ନେଇ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀ ଗସ୍ତ କରି ସେଠାରୁ ରିପୋର୍ଟିଂ କରିବା ଏବଂ ତାକୁ ନିୟମିତ ଭାବେ ପ୍ରସାରଣ କରିବା ଥିଲା ଏକ ଆହ୍ୱାନ। କିନ୍ତୁ ଏହି ଦାୟିତ୍ୱକୁ ଅତି ସଫଳତାର ସହିତ ସମ୍ପାଦନ କରିଥିଲେ ଶିଶିର ଭଟ୍ଟମିଶ୍ର।ଇଲେକ୍ସନ ଏକ୍ସପ୍ରେସ୍ ପାଇଁ ଦୁଇଟି ଗାଡ଼ିକୁ ସ୍ୱତନ୍ତ୍ର ଭାବେ ଷ୍ଟିକରିଂ କରି ପ୍ରସ୍ତୁତ କରାଯାଇଥିଲା। ଏହାର ସମ୍ପୂର୍ଣ୍ଣ ଡିଜାଇନ୍ ପ୍ରସ୍ତୁତ କରିଥିଲେ ରମେଶ କୁଅଁର। ଦୁଇଟି ଗାଡ଼ିରେ ଦୁଇ ଜଣ କ୍ୟାମେରା ମ୍ୟାନ୍ ପଙ୍କଜ ଏବଂ ପ୍ରମୋଦ, ଦୁଇଟି କ୍ୟାମେରା ସହିତ ଜଣେ ସହଯୋଗୀ। ଭ୍ରମଣ କାହାଣୀ ପ୍ରସ୍ତୁତ କରିବା ଢାଞ୍ଚାରେ ଏଇମାନେ ସାରା ରାସ୍ତା ସୁଟିଂ କରୁଥିଲେ। ଗାଡ଼ି କେମିତି କେଉଁ ରାସ୍ତାରେ କୁଆଡ଼େ ଯାଉଛି, କେଉଁଠି ପହଞ୍ଚୁଛି, ସେ ସବୁକୁ ରେକର୍ଡ କରାଯାଉଥିଲା। ଟ୍ରାକିଂ ସଟ୍ ସବୁ ଚିତ୍ରକୁ ଚଳଚଞ୍ଚଳ ତଥା ଜୀବନ୍ତ କରିଦେଉଥିଲା। ଟେଲିଭିଜନ ଷ୍ଟୁଡିଓ ଏବଂ ନ୍ୟୁଜ୍ ପରିବେଷଣରେ ବ୍ୟବହୃତ ଧରାବନ୍ଧା ଆଦବକାଇଦା ପୂର୍ଣ୍ଣ ସଟ୍ ନେବାରୁ ବାହାରକୁ ବାହାରି କିଛି ସୃଜନଶୀଳ ସଟ୍ ନେବାରେ ଥିଲା ଏକ ବଳିଷ୍ଠ ଉଦାହରଣ।ବାଟରେ ପଡୁଥିବା ଗାଁରୁ ସହର ଯାଏଁ ସବୁଠି ଲୋକଙ୍କ ସହିତ ଭେଟୁଥିଲା ଇଲେକ୍ସନ ଏକ୍ସପ୍ରେସ୍ ଟିମ୍। ସେମାନଙ୍କ ଜୀବନ ଶୈଳୀ, ଚାଲିଚଳଣିଠୁ ଆରମ୍ଭ କରି ସ୍ଥାନୀୟ ଅଞ୍ଚଳର ସମସ୍ୟା, ସେ ଅଞ୍ଚଳର ନେତାମାନଙ୍କ ଆଭିମୁଖ୍ୟ, ସ୍ଥାନୀୟ ଲୋକଙ୍କ ପ୍ରତିକ୍ରିୟା ଏବଂ ସ୍ଥାନୀୟ ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ସାହିତ୍ୟିକମାନଙ୍କ ସହିତ ଆଲୋଚନା କରୁଥିଲା ଇଲେକ୍ସନ୍ ଏକ୍ସପ୍ରେସ୍ ଟିମ୍। ଏମିତି ଲୋକମାନଙ୍କ ବିବିଧତା, ସ୍ଥାନୀୟ ଭାଷା, ସଂସ୍କୃତି, ସମସ୍ୟା ହିଁ କାର୍ଯ୍ୟକ୍ରମକୁ ସର୍ବାଙ୍ଗସୁନ୍ଦର କରାଇ ପାରିଥିଲା।ସବୁଠୁ ବଡ଼କଥା ହେଉଛି, ସେ ସମୟରେ ଅଡିଓ ଭିଜୁଆଲ ଡାଟା ପଠାଇବା ପାଇଁ ଏମିତି କୌଣସି ବ୍ରଡ୍ ବ୍ୟାଣ୍ଡ୍ ବା ଅନ୍ୟ କୌଣସି ବ୍ୟବସ୍ଥା ନଥିଲା। ତେଣୁ ରାସ୍ତାରେ ଯେଉଁଠି ଯେଉଁଦିନ ଯାହା ସୁଟିଂ କରାଯାଉଥିଲା, ତାର କ୍ୟାସେଟ୍ ସେହି ଦିନ ହିଁ ବସ୍ ଡ୍ରାଇଭରଙ୍କ ହାତରେ ଭୁବନେଶ୍ୱର ପଠାଇ ଦିଆଯାଉଥିଲା। ସେଠାରୁ ଭୁବନେଶ୍ୱର ବ୍ୟୁରୋ ସେହିସବୁ କ୍ୟାସେଟ୍ ସଂଗ୍ରହ କରି ପ୍ରସ୍ତୁତ କରୁଥିଲା କାର୍ଯ୍ୟକ୍ରମ- ଈଟିଭି ଇଲେକ୍ସନ୍ ଏକ୍ସପ୍ରେସ୍। ଏହା ବ୍ୟତୀତ ଯଦି କେଉଁ ଦିନ ସୁଟିଂ ନିକଟସ୍ଥ ଟୁ-ଏମବିପିଏସ୍ ସେଣ୍ଟର ନିକଟବର୍ତ୍ତୀ ଅଞ୍ଚଳରେ ହେଉଥାଏ, ତାହେଲେ କ୍ୟାସେଟ୍ ସେହି ଟୁ-ଏମବିପିଏସ୍ ସେଣ୍ଟର ମାଧ୍ୟମରେ ହାଇଦ୍ରାବାଦ ନ୍ୟୁଜ୍ ଡେସ୍କରେ ପହଞ୍ଚାଇ ଦିଆଯାଉଥିଲା। ସେଥିରୁ ପ୍ରସ୍ତୁତ ହେଉଥିଲା କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ପ୍ରସ୍ତୁତି ଦାୟିତ୍ୱରେ ଥିଲେ ମାୟାଧର ପ୍ରଧାନ, ବୀରେନ୍ଦ୍ରନାଥ ପ୍ରଧାନ ଏବଂ ମିତ୍ରଭାନୁ ନାୟକ।ପୂରା ୪୨ ଦିନର ରିପୋର୍ଟିଂ ପରେ, ଶେଷରେ ସାରାରାଜ୍ୟର ଲୋକଙ୍କ ପ୍ରତିକ୍ରିୟା ଏବଂ ଦୀର୍ଘ ରିପୋର୍ଟିଂର ଅନୁଭୂତିକୁ ନେଇ ଆୟୋଜିତ ହୋଇଥିଲା ଏକ ଷ୍ଟୁଡିଓ ଆଲୋଚନା। ଏହା ବ୍ୟତୀତ ନିୟମିତ ଭାବେ ଜାତୀୟ ସ୍ତରର ନିର୍ବାଚନୀ ଖବରକୁ ନେଇ ପ୍ରସ୍ତୁତ ହେଉଥିଲା ଅନ୍ୟ ଏକ କାର୍ଯ୍ୟକ୍ରମ ଇଲେକ୍ସନ ୱାଚ୍। ଏଭଳି ଏକ ଧାରାବାହିକ ପ୍ରୟାସ ଈଟିଭିକୁ ଲୋକଙ୍କ ମଧ୍ୟରେ ପ୍ରତିଷ୍ଠିତ କରାଇବାରେ ହୋଇଥିଲା ବେଶ୍ ସହାୟକ। ପରବର୍ତ୍ତୀ ସମୟରେ ଉତ୍ତର ପ୍ରଦେଶ, ବିହାର, ଉତ୍ତରାଖଣ୍ଡ, ଗୁଜରାଟ ନିର୍ବାଚନରେ ଏହି ଇଲେକ୍ସନ୍ ଏକ୍ସପ୍ରେସ୍ କାର୍ଯ୍ୟକ୍ରମକୁ ଆପଣେଇ ନିଆଯାଇଥିଲା। ଏଥିପାଇଁ ଈଟିଭି ଓଡ଼ିଆରୁ ନୀଳାମ୍ବର ରଥଙ୍କ ସମେତ ଏକ ବୈଷୟିକ ଟିମ୍ ନିରନ୍ତର ଭାବେ ଅନ୍ୟ ରାଜ୍ୟର ଟିମ୍ ସହିତ କାମ କରୁଥିଲା।ଭାରତର ଏହି ପ୍ରଥମ ପରୀକ୍ଷଣ ପରବର୍ତ୍ତୀ ସମୟରେ ଅନ୍ୟ ଜାତୀୟ ଟେଲିଭିଜନ ଚାନେଲଗୁଡ଼ିକୁ ପ୍ରୋତ୍ସାହିତ କରିଥିଲା। ଫଳ ସ୍ୱରୂପ ସେମାନେ ବି ଇଲେକ୍ସନ ଏକ୍ସପ୍ରେସ୍ କୁ ଆଦରି ନେଇଥିଲେ। ଏନଡିଟିଭି ୨୦୦୬ରେ, ଟିଭି ଟୁଡେ ନେଟୱର୍କ (ଆଜତକ୍ ୨୦୦୯ରେ) ଏବଂ ସମ୍ପ୍ରତି ଏବିପି ନ୍ୟୁଜ୍ (୨୦୨୨ରେ) ଇଲେକ୍ସନ୍ ଏକ୍ସପ୍ରେସକୁ ନିଜ କାର୍ଯ୍ୟକ୍ରମରେ ସାମିଲ କରିଛନ୍ତି। ଅବଶ୍ୟ ଏହି ସବୁ ଚାନେଲ ଏଥିପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଥିବା ବସ୍ ବ୍ୟବହାର କରିଛନ୍ତି।  ପରବର୍ତ୍ତୀ ସମୟରେ ଈଟିଭି ଓଡ଼ିଆ ୨୦୦୭ ପଞ୍ଚାୟତ ନିର୍ବାଚନ ବେଳେ ପଞ୍ଚାୟତ ଏକ୍ସପ୍ରେସ୍ ନାଁରେ ଏମିତି ହିଁ ଏକ କାର୍ଯ୍ୟକ୍ରମ ହାତକୁ ନେଇଥିଲା। ସେହିଭଳି ଓଡ଼ିଶାରେ ୨୦୧୨ପଞ୍ଚାୟତ ନିର୍ବାଚନ ବେଳେ ନକ୍ଷତ୍ର ନ୍ୟୁଜ୍, ଏମବିସି ଟିଭି ଏବଂ ଏସଟିଭି ସମାଚାର ଇଲେକ୍ସନ୍ ଏକ୍ସପ୍ରେସ୍ ଅନୁରୂପ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଥିଲେ।କହିବାକୁ ଗଲେ ୨୦୦୪ ମସିହା ମାର୍ଚ୍ଚ-ଏପ୍ରିଲ ମାସରେ ଈଟିଭି ଓଡ଼ିଆର ଇଲେକ୍ସନ ଏକ୍ସପ୍ରେସ୍ ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ରମର ଏକ “ପ୍ରଜାତି” ରେ ପରିଣତ ହୋଇଛି କହିଲେ ଭୁଲ୍ ହେବନି। ବିଶ୍ୱର ଅନ୍ୟତମ ସର୍ବପୁରାତନ କେବୁଲ ଓ ସାଟେଲାଇଟ୍ ଚାନେଲ ସିଏନ୍ଏନ୍ (ଆମେରିକା) ୨୦୦୪ ନଭେମ୍ବର ମାସରେ ଅନୁଷ୍ଠିତ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଇଲେକ୍ସନ୍ ଏକ୍ସପ୍ରେସ୍ ବ୍ୟବହାର କରିଥିଲା। ପରବର୍ତ୍ତୀ ସମୟରେ ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ନିରନ୍ତର ଭାବେ ଇଲେକ୍ସନ ଏକ୍ସପ୍ରେସକୁ ବ୍ୟବହାର କରିଛି ସିଏନ୍ଏନ୍। ସେହିଭଳି ବିଶ୍ୱର ସର୍ବପୁରାତନ ପ୍ରସାରଣ ସଂସ୍ଥା ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍- ବିବିସି ମଧ୍ୟ ୨୦୧୯ ସାଧାରଣ ନିର୍ବାଚନ ବେଳେ ଇଲେକ୍ସନ୍ ଏକ୍ସପ୍ରେସକୁ ବ୍ୟବହାର କରିଛି। କିନ୍ତୁ ଏଥିରେ ବିବିସି ସାମାନ୍ୟ ପରିବର୍ତ୍ତନ ଆଣି କାର୍ କିମ୍ବା ବସ୍ ପରିବର୍ତ୍ତେ ଟ୍ରେନର କିଛି ସ୍ୱତନ୍ତ୍ର ଡବାକୁ ଇଲେକ୍ସନ୍ ଏକ୍ସପ୍ରେସ୍ ଭାବେ ଡିଜାଇନ୍ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ତେଣୁ ଆଞ୍ଚଳିକ ଟେଲିଭିଜନ୍ ଚାନେଲଠୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଟେଲିଭିଜନ ଚାନେଲଇଲେକ୍ସନ୍ ଏକ୍ସପ୍ରେସକୁ ରାଜନୈତିକ ସୂଚନା ସଂଚାର କ୍ଷେତ୍ରରେବ୍ୟବହାର କରିବା ପରେ ଏହାର ଗୁରୁତ୍ୱ କେତେ, ସେକଥା ସ୍ପଷ୍ଟ ହୋଇଛି। ତେଣୁ ଇଲେକ୍ସନ୍ ଏକ୍ସପ୍ରେସ୍ ବିଶ୍ୱ ଟେଲିଭିଜନ୍ ଦୁନିଆ ପାଇଁ ଈଟିଭି ଓଡ଼ିଆର ଏକ ଅବଦାନ କହିବାରେ କୌଣସି ଦ୍ୱିମତ ନାହିଁ। ଏହି ଲେଖକ ଦ୍ୱାରା ପ୍ରସ୍ତୁତ ଏ ସମ୍ପର୍କିତ ଏକ ଗବେଷଣାତ୍ମକ ନିବନ୍ଧ ଏକ ଅନ୍ତର୍ଜାତୀୟ ଗବେଷଣା ଜର୍ଣ୍ଣାଲରେ ୨୦୨୦ ମସିହାରୁ ପ୍ରକାଶ ପାଇସାରିଛି।

(ଲେଖକ ହେଉଛନ୍ତି ପଞ୍ଜାବ ମୋହାଲିରେ ଥିବା ଚଣ୍ଡୀଗଡ଼ ୟୁନିଭରସିଟିସ୍ଥିତ ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ। ଟେଲିଭିଜନ ନ୍ୟୁଜ ପ୍ରସାରଣ କ୍ଷେତ୍ରରେ ଦୀର୍ଘ ବର୍ଷର ଅଭିଜ୍ଞତା ପରେ ସେ ଅଧ୍ୟାପନା କ୍ଷେତ୍ରରେ ଯୋଗ ଦେଇଛନ୍ତି। ମତାମତ ନିଜସ୍ୱ)

Comment