ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା ଘଟିଛି। କଡ଼ା ସୁରକ୍ଷା ସତ୍ତ୍ଵେ ବଡ଼ଦେଉଳ ରୋଷଘର ଚୁଲି ଭଙ୍ଗା ଘଟଣାକୁ ନେଇ ଏବେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବଡ଼ଦେଉଳରେ ବିଶୃଙ୍ଖଳା ସୀମା ଟପିଛି ଗତ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୪୦ରୁ ଊର୍ଦ୍ଧ୍ଵ ଚୁଲି ତାଡ଼ି ଦେଇଥିଲା। ଫଳରେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବ ହୋଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ବଡ଼ଦେଉଳରେ ଏଭଳି ଘଟଣା ଘଟିବାକୁ ନେଇ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଲା। ଏହି ଘଟଣାରେ ପୋଲିସ୍ ଜଣକୁ ଗରିଫ କରିଛି।

ଚୁଲି ଭଙ୍ଗା ଘଟଣାରେ ଧରା ପଡ଼ିଥିବା ଅଭିଯୁକ୍ତ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଲିସର ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ଚୁଲି ଭାଙ୍ଗିଥିବା ମାନିଛନ୍ତି। ସେ ଯେଉଁ ଉତ୍ତର ଦେଇଛନ୍ତି ତାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅଭିଯୁକ୍ତ ଜଣକ କହିଛନ୍ତି ତାଙ୍କୁ ଭଲ ନଲାଗିବାରୁ ସେ ଚୁଲିଗୁଡ଼ିକୁ ଭାଙ୍ଗି ଦେଇଥିଲେ। ତେବେ ଅଭିଯୁକ୍ତ ମାନସିକ ବିକାର ଗ୍ରସ୍ତ ବୋଲି ସନ୍ଦେହ କରାଯାଉଛି। ବୁଧବାର ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୁରୀ ଏସ୍‌ପି କନଓ୍ଵର ବିଶାଲ ସିଂ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

“ଭଲ ଲାଗିଲାନି ଭାଙ୍ଗି ଦେଲି”

“ଲୋକଙ୍କୁ ଖାଇବାକୁ ମିଳୁନି। ହେଲେ ବଡ଼ ଦେଉଳ ରୋଷଘରେ ଖାଦ୍ୟ ଏଣେ ତେଣେ ପଡ଼ୁଛି। ଏସବୁ ଦେଖି ମତେ ଭଲ ଲାଗିଲାନି, ମୁଣ୍ଡ ଗରମ ହେଇଗଲା। ଚୁଲି ବାଡ଼େଇକି ଭାଙ୍ଗି ଦେଲି”। ପୋଲିସ୍‌ର ଜେରା ବେଳେ ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାରେ ଧରାପଡ଼ିଥିବା ଅଭିଯୁକ୍ତ କହିଛନ୍ତି। 

କେତେ ମଜଭୁତ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା?

ପୁରୀ ଶ୍ରୀମନ୍ଦିରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିନା ଯାଞ୍ଚରେ ମାଛିଟିଏ ପଶିପାରେ ନାହିଁ ଶ୍ରୀମନ୍ଦିର ଭିତରକୁ। କିନ୍ତୁ ଶ୍ରୀମନ୍ଦିର ରୋଷଶାଳାରେ ପଶିବା ଏବଂ ଶାବଳରେ ଚୁଲି ଭଙ୍ଗାଯିବା ଘଟଣା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି।

ମନ୍ଦିର ପ୍ରବେଶ ପୂର୍ବରୁ ସୁରକ୍ଷା କର୍ମୀ ତନ୍ନତନ୍ନ କରି ଶ୍ରଦ୍ଧାଳୁଙ୍କ ଯାଞ୍ଚ କରି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇଥାନ୍ତି। କିନ୍ତୁ ଶ୍ରୀମନ୍ଦିର ମଧ୍ୟରେ ଶାବଳ କୋଉଠୁ ଆସିଲା? ଏତେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କିପରି ଜଣେ ପ୍ରବେଶ କରି ଚୁଲି ଭାଙ୍ଗିଲା ତାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଚୁଲି ଭାଙ୍ଗିବା ପରେ କେମିତି ଖସିଯାଇଥିଲେ ଅଭିଯୁକ୍ତ? ଦାୟିତ୍ଵରେ ରହିଥିବା ସୁରକ୍ଷା କର୍ମୀ କ’ଣ କରୁଥିଲେ? ଏହି ଘଟଣା ପରେ ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ସୁରକ୍ଷା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିବେ ତା’ ଉପରେ ଏବେ ସମସ୍ତଙ୍କ ନଜର। ମନ୍ଦିର ସୁରକ୍ଷା ବ୍ୟବସ୍ଥା କୋଉଠି ଢିଲା ପଡ଼ିଲା ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି।

କେମିତି ଧରାପଡ଼ିଲେ ଅଭିଯୁକ୍ତ?

ରୋଷଘର ଚୁଲି ଭଙ୍ଗା ଘଟଣାର ପର୍ଦ୍ଦାଫାସ ପାଇଁ ରୋଷଶାଳ ସମ୍ମୁଖରେ ଲାଗିଥିବା ସିସିଟିଭି ଫୁଟେଜର ଯାଞ୍ଚ କରାଯାଇଥିଲା। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ୍ ସନ୍ଦିଗ୍ଧକୁ ଧରିବାକୁ ଖୋଜାଖୋଜି ଆରମ୍ଭ କରିଥିଲା। ପୁରୀ-ଖୋର୍ଦ୍ଧା ସୀମାରୁ ଅଭିଯୁକ୍ତକୁ ପୋଲିସ୍ ଧରି ଥାନାକୁ ଆଣି ପଚରା ଉଚରା କରିଥିଲା। ଏହି ସମୟରେ ଯୁବକ ଜଣକ ରୋଷଘର ଚୁଲା ଭାଙ୍ଗିଥିବା ପୋଲିସ୍‌ ଆଗରେ ସ୍ଵୀକାର କରିଛନ୍ତି। ଅଭିଯୁକ୍ତର ମାନସିକ ସ୍ଥିତିର ଯାଞ୍ଚ କରାଯିବ ବୋଲି ପୁରୀ ଏସ୍‌ପି ସୂଚନା ଦେଇଛନ୍ତି।

ଧରାପଡ଼ିଥିବା ସନ୍ଦିଗ୍ଧ ଚୁଲି ଭାଙ୍ଗିଛନ୍ତି ନା ଘଟଣାକୁ ନୂଆ ରୂପ ଦିଆଯାଉଛି?

କଡ଼ା ସୁରକ୍ଷା ମଧ୍ୟରେ ରହିଥିବା ପୁରୀ ଶ୍ରୀମନ୍ଦିରରେ ଜଣେ ପଶି ଚୁଲି ଭାଙ୍ଗିଲା। ଏହି ଘଟଣା ବିବାଦୀୟ ମୋଡ଼ ନେବା ପରେ ପ୍ରଶାସନର ନିଦ ଭାଙ୍ଗିଲା। ତା’ପରେ ନାଟକୀୟ ଢଙ୍ଗରେ ଜଣେ ସନ୍ଦିଗ୍ଧଙ୍କୁ ଧରି ଥାନାକୁ ଅଣାଗଲା। ସତରେ କ’ଣ ଏହି ଯୁବକ ଜଣକ ଶ୍ରୀମନ୍ଦିର ରୋଷଘର ଚୁଲା ଭାଙ୍ଗିଛି? ନା ଜଣକୁ ଗିରଫ କରାଯାଇ ଏହି ଘଟଣାର ସତ ଲୁଚାଇବାକୁ ଚେଷ୍ଟା କରାଯାଉଛି ବୋଲି ବିଭିନ୍ନ ମହଲରେ ଏହାକୁ ନେଇ ପ୍ରଶ୍ନ ଉଠୁଛି।

Tags: #PuriShreeJagannathTemple #RosaSala #Chullah #SecuritySystem

Comment