ଓଡ଼ିଶାଲାଇଭ୍ ବ୍ୟୁରୋ

ଡିଜେଲ ଏବଂ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ହେଉଥିବାରୁ ରାଜ୍ୟରେ ଗତ ମାର୍ଚ୍ଚ ୩୧ ତାରିଖରେ ବସ୍ ଭଡ଼ାରେ ବୃଦ୍ଧି କରାଯାଇଥିଲା। ସୋମବାର ପୁଣି ଥରେ ବସ୍ ଭଡ଼ାରେ ବୃଦ୍ଧି କରାଯାଇଛି। ଏ ନେଇ ଘରୋଇ ବସ ମାଲିକ ସଂଘର ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି। ସାଧାରଣ ଯାତ୍ରୀଙ୍କ ପାଇଁ ଏବେ ମହଙ୍ଗା ହେବ ବସ ଯାତ୍ରା।

ସାଧାରଣ ଏବଂ ଏକ୍ସପ୍ରେସ ବସ୍ ଭଡାରେ କିଲୋମିଟର ପ୍ରତି ୨ ପାଇସା ବୃଦ୍ଧି ହୋଇଥିବାବେଳେ ଡିଲକ୍ସ ଏବଂ ଏସି ଡିଲକ୍ସ ବସ୍ ଭଡ଼ାରେ ୪ ପଇସା ବଢ଼ିଛି। ଏକ୍ସପ୍ରେସ ଭଡ଼ାରେ କିଲୋ ମିଟର ପ୍ରତି ୯୪ ପଇସାରୁ ବୃଦ୍ଧି ହୋଇ ୯୬ ପଇସା ହୋଇଛି। ଡିଲକ୍ସ ବସ୍ ଭଡାରେ କିଲୋମିଟର ପ୍ରତି ୬ ପଇସା ବୃଦ୍ଧି ହୋଇ ୧.୩୫ ଟଙ୍କାରେ ପହଞ୍ଚିଛି। ସେହିଭଳି ଏସି ଡିଲକ୍ସ ଭଡ଼ା ବୃଦ୍ଧି ହୋଇ ୧.୬୩ ଟଙ୍କାରେ ପହଞ୍ଚିଛି। ଏହା ସହିତ ସୁପର ପ୍ରିମିୟମ ବସ୍ ଭଡ଼ାରେ ୬ ପଇସା ବୃଦ୍ଧି ପାଇ ୨.୫୩ ଟଙ୍କା ହୋଇଛି।

ଏହା ପୂର୍ବରୁ ଗତ ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ ବସ୍ ଭଡ଼ାରେ ବୃଦ୍ଧି ହୋଇଥିଲା। ସାଧାରଣ ବସ୍ ଭଡ଼ା କିମି ପିଛା ୮୩ରୁ ୯୦ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏକ୍ସପ୍ରେସ ମୂଲ୍ୟରେ କିମି ପିଛା ୯୧ରୁ ୯୪ ପଇସା ବୃଦ୍ଧି ହୋଇଥିଲା। ସେହିପରି ସୁପର ପ୍ରିମିୟମ ବସ୍ ଭଡ଼ାରେ କିମି ପିଛା ୨ଟଙ୍କା ୩୮ ପଇସାରୁ ୨ ଟଙ୍କା ୪୭ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିଲା। ଡିଲକ୍ସ ଭଡ଼ା କିମି ପ୍ରତି ୧ ଟଙ୍କା ୨୫ ପଇସାରୁ ୧ ଟଙ୍କା ୩୧ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା। ଏହା ସହ ଏସି ଡିଲକ୍ସ ବସ୍‌ ଭଡ଼ା କିମି ପିଛା ୧ ଟଙ୍କା ୫୩ ପଇସାରୁ ୧ ଟଙ୍କା ୫୯ ପଇସା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

Tags: #Odisha #BusFare #FareHike #PetrolDieselPriceHike

Comment