ଓଡ଼ିଶାଲାଇଭ୍ ବ୍ୟୁରୋ

ଶିଶୁମାନେ ଅଧିକ ଆଣ୍ଠୁଗଣ୍ଠି ଜନିତ ରୋଗର ଶିକାର ହେଉଛନ୍ତି। ଠିକ୍ ସମୟରେ ରୋଗର ଚି଼ହ୍ନଟ, ପରୀକ୍ଷଣ ଓ ଚିକିତ୍ସା କରାଯିବା ଦ୍ୱାରା ଶିଶୁମାନଙ୍କୁ ଏଭଳି ସମସ୍ୟାରୁ ଦୂରେଇ ରଖି ହେବ ବୋଲି ଚଣ୍ଡିଗଡ଼ ସ୍ଥିତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ରିସର୍ଚ୍ଚ(ପିଜିଆଇଏମଆର)ର ନିର୍ଦ୍ଦେଶକ ପ୍ରଫେସର ସୁରଜିତ ସିଂ କହିଛନ୍ତି। ଆଇଏମଏସ ଆଣ୍ଡ ସମ ହସ୍ପିଟାଲରେ ଇଣ୍ଡିଆନ ରିଉମାଟୋଲୋଜି ଆସୋସିଏସନ ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ପ୍ରଫେସର ସିଂ।

ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଇମ୍ମ୍ୟୁନୋଲୋଜି ଆଣ୍ଡ ରିଉମାଟୋଲୋଜି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଦୁଇ ଦିନିଆ ସମ୍ମିଳନୀରେ ବରିଷ୍ଠ ଡାକ୍ତର ତଥା ଏସସିବି ମେଡିକାଲ କଲେଜର ରିଉମାଟୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ବିଦ୍ୟୁତ କୁମାର ଦାସ ଯୋଗଦେଇ ଶିଶୁମାନଙ୍କ କ୍ଷେତ୍ରରେ ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ।

ସାରା ଭାରତରେ ମାତ୍ର ୧୦ଟି ସରକାରୀ ମେଡିକାଲ କଲେଜରେ ରିଉମାଟୋଲୋଜି ବିଭାଗ ରହିଥିବାବେଳେ ପେଡିଆଟ୍ରିକ ରିଉମାଟୋଲୋଜି ନିମନ୍ତେ କେବଳ ପିଜିଆଇ ଚଣ୍ଡିଗଡରେ ଏହା ରହିଛି। ତେଣୁ ଆଣ୍ଠୁଗଣ୍ଠି ଜନିତ ଚିକିତ୍ସା ନିମନ୍ତେ ଅଧିକ ସରକାରୀ ମେଡିକାଲ କଲେଜଗୁଡିକରେ ରିଉମାଟୋଲୋଜି ବିଭାଗ ଖୋଲିବାର ଆବଶ୍ୟକତା ରହିଛି ବୋଲି ସମ୍ମିଳନୀର ସାଇଣ୍ଟିଫିକ ଚେଆରପର୍ସନ ପ୍ରଫେସର ଦାସ କହିଥିଲେ। କୋଭିଡ ମହାମାରୀ ଏହି ରୋଗରେ ପୀଡିତ ରୋଗୀଙ୍କ କଷ୍ଟକୁ ବହୁଗୁଣିତ କରିଛି ବୋଲି ସେ କହିଥଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୋଆର ଉପକୁଳପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଡିନ ପ୍ରଫେସର ଗଙ୍ଗାଧର ସାହୁ ଆଧୁନିକ ଜୀବନଶୈଳୀରେ ପରିବର୍ତ୍ତନ ଦ୍ୱାରା ଏହି ରୋଗର ନିୟନ୍ତ୍ରଣ କରିହେବ ବୋଲି କହିଥିଲେ।

ଇମ୍ମ୍ୟୁନୋଲୋଜି ଆଣ୍ଡ ରିଉମାଟୋଲୋଜି ବିଭାଗର ମୁଖ୍ୟ ତଥା ସମ୍ମିଳନୀର ପରିଚାଳକ ପ୍ରଫେସର ପ୍ରଦୀପ୍ତ ଶେଖର ପାତ୍ରୋ ରୋଗର ପରୀକ୍ଷଣ ଓ ଚିକିତ୍ସା ଉପରେ ଗୁରୁତ୍ଵ ଦେବା ସହ ଏହି ରୋଗ ସମ୍ପର୍କରେ ଲୋକେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ଆଇଆରଏର ଓଡ଼ିଶା ଶାଖା ସଭାପତି ଡାକ୍ତର ବିଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଡାକ୍ତର ମନୋରଞ୍ଜନ ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ସମ୍ମିଳନୀରେ ସାରା ଦେଶରୁ ଅନେକ ବିଶେଷଜ୍ଞ ଯୋଗ ଦେଇଥିଲେ। ଏହି ଅବସରରେ ଶୋଭେନିୟର ଏଡିଟର ପ୍ରଫେସର ରୀନା ତ୍ରିପାଠୀ ମଧ୍ୟ ଉପସ୍ଥିତ ଥିଲେ।

Tags: #Arthritis #Rheumatism #LowImmunityCases #Children #Doctor

Comment