ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସମୁଦ୍ରର ଗଭୀର ପାଣି ଭିତରୁ କୌଣସି ସୂକ୍ଷ୍ମ ତଥ୍ୟ ସଂଗ୍ରହ, ଅନୁସନ୍ଧାନ କାର୍ଯ୍ୟ, ଥ୍ରୀଡି ଫଟୋ ଉତ୍ତୋଳନ ଆଦି ସହଜ ହୋଇଯିବ। ଖୁବ୍ କମ୍ ସମୟ ମଧ୍ୟରେ ପାଣି ଭିତରୁ ସମସ୍ତ ତଥ୍ୟ ମିଳିପାରିବ। ତେବେ ମଣିଷ ନୁହେଁ ଏକ ଅତ୍ୟାଧୁନିକ ରୋବୋଟ୍ ଏହିସବୁ କାମ କରିବ। ଏହି ରୋବୋଟ୍‌ର ପରିକଳ୍ପନା କରିଛନ୍ତି ଦୁଇ ଯୁବ ଓଡ଼ିଆ ଉଦ୍ୟୋଗୀ।

ରାଉରକେଲା ସ୍ଥିତ ନାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)ର ଦୁଇ ପୁରାତନ ଛାତ୍ର ଦେବେନ୍ଦ୍ର ପ୍ରଧାନ ଏବଂ ବିଶ୍ଵଜିତ ସ୍ଵାଇଁ ଏହି ଅତ୍ୟାଧୁନିକ ରୋବୋଟ୍‌ ବନାଇଛନ୍ତି। ଏହି ରୋବୋଟ୍‌ ଦ୍ଵାରା ପାଣି ଭିତରେ ରହିଥିବା ଅସୁରକ୍ଷିତ ବନ୍ଦର, ଡ୍ୟାମ୍, ବ୍ରିଜ୍ ଆଦି ନିମ୍ନଭାଗର ସ୍ଥିତି କେମିତି ରହିଛି, କୌଣସି ସ୍ଥାନର ମ୍ୟାପିଂ କରିବା କିମ୍ଵା ପାଣି ଭିତରୁ କିଛି ନମୁନା ସଂଗ୍ରହ ଭଳି କାର୍ଯ୍ୟ ସୁରୁଖୁରୁରେ ଏବଂ କମ୍ ସମୟରେ କରାଯାଇପାରିବ।“ପାଣି ଭିତରେ ଏମିତି କିଛି ସ୍ଥାନ ଥାଏ, ଯେଉଁଠିକି ମଣିଷର ଯିବା ସମ୍ଭବ ହୋଇନଥାଏ। ତେଣୁ ସେହି ସବୁ ସ୍ଥାନରୁ କିଛି ତଥ୍ୟ ସଂଗ୍ରହ  ହେଉ କି କିଛି ଅନୁସନ୍ଧାନ କରିବାରେ ଅସୁବିଧା ହୋଇଥାଏ। ସେହିପରି ଯେଉଁ ସ୍ଥାନକୁ ସ୍କୁଭା ଡ୍ରାଇଭରମାନେ ପହଞ୍ଚି ଅନୁସନ୍ଧାନ କରିପାରନ୍ତି ସେ କ୍ଷେତ୍ରରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼େ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ମୁଁ ଏବଂ ମୋର ବନ୍ଧୁ ବିଶ୍ଵଜିତ ଏକ ରୋବୋଟ୍ ପ୍ରସ୍ତୁତ କରିବାକୁ ଚିନ୍ତା କରିଥିଲୁ, ଯାହା ପାଣି ଭିତରେ ଥିବା ଏହିସବୁ ସୂକ୍ଷ୍ମ ସ୍ଥାନକୁ ଯାଇପାରିବ ଏବଂ ଆବଶ୍ୟକୀୟ ତଥ୍ୟ ଦେଇପାରିବ। ଏନ୍‌ଆଇଟିରେ ପଢ଼ିବା ସମୟରୁ ହିଁ ଆମେ ଏ ପ୍ରୋଜେକ୍ଟ ଆରମ୍ଭ କରିଦେଇଥିଲୁ, ଯାହା ଆଜି ସଫଳ ହୋଇଛି”, କହିଛନ୍ତି ଯୁବ ଉଦ୍ୟୋଗୀ ଦେବେନ୍ଦ୍ର ପ୍ରଧାନ।୨୦୧୪ରେ ଏନ୍‌ଆଇଟିରେ ପଢ଼ିବା ସମୟରେ ଦେବେନ୍ଦ୍ର ଏବଂ ବିଶ୍ଵଜିତଙ୍କ ମନକୁ ଏଭଳି ଏକ ରୋବୋଟ୍ ବନାଇବାକୁ ଆଇଡିଆ ଆସିଥିଲା। ପ୍ରାଥମିକ ସ୍ତରରେ କଲେଜ ଲ୍ୟାବରୁ ସେମାନେ ଏହାକୁ ବନାଇବା ଆରମ୍ଭ କରିଥିଲେ ଏବଂ ସେଥିରେ କିଛିମାତ୍ରାରେ ସଫଳ ମଧ୍ୟ ହୋଇଥିଲେ। ହେଲେ କଲେଜ ସରିବା ପରେ ଏକ ଅନ୍ତରାଷ୍ଟ୍ରୀୟ କମ୍ପାନିରେ ସେମାନଙ୍କୁ ଚାକିରି ମିଳିଥିଲା। କିଛିବର୍ଷ ସେମାନେ ଚାକିରି ମଧ୍ୟ କରିଥିଲେ। ହେଲେ କଲେଜ ବେଳୁ ଆରମ୍ଭ କରିଥିବା ତାଙ୍କର ସେହି ଡ୍ରିମ୍ ପ୍ରୋଜେକ୍ଟକୁ ପୂର୍ଣ୍ଣ ସଫଳତା ଦେବାକୁ ସେମାନେ ଗୁରୁତ୍ଵ ଦେଇଥିଲେ। ଏଥିପାଇଁ ସେମାନଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଥିଲା।

ଚାକିରି ଛାଡ଼ିବା ପରେ ୨୦୧୭ରେ ଦୁହେଁ ମିଶି ଏକ ଷ୍ଟାର୍ଟଅପ୍ ଆରମ୍ଭ କରିଥିଲେ, ଯାହାର ନାଁ ରହିଲା କୋରାସିଆ ଟେକ୍ନୋଲୋଜି। ଏହିଠାରୁ ହିଁ ରୋବୋଟିକ୍ ସଲ୍ୟୁସନ୍‌ର ନିର୍ମାଣ ଆରମ୍ଭ ହୋଇଥିଲା। ଏହି ସମୟରେ ଦୁଇ ଉଦ୍ୟୋଗୀଙ୍କ ସହ ଯୋଡ଼ି ହୋଇଥିଲେ ଏନ୍‌ଆଇଟିର ଆଉ କିଛି ଆଗ୍ରାହୀ ଛାତ୍ର। ସମସ୍ତଙ୍କ କଠିନ ପରିଶ୍ରମରୁ ଶେଷରେ ଗଢ଼ିଉଠିଲା ଏହି ଅତ୍ୟାଧୁନିକ ରୋବୋଟ୍।“ଏହି ରୋବୋଟ୍‌ରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଏବଂ ହାଇ ପର୍ଫମାନ୍ସଯୁକ୍ତ କ୍ୟାମେରା ଖଞ୍ଜା ଯାଇଛି। ଏହି ରୋବୋଟ୍‌ଟି ପାଣି ଭିତରର ଯେକୌଣସି ସ୍ଥାନକୁ ଯାଇ ସେଠାକାର ଥ୍ରୀଡ଼ି ମ୍ୟାପିଂ କରିପାରିବ। ସେହିପରି ଏହା ସୋନାର ଶକ୍ତି ଦ୍ଵାରା ବିଭିନ୍ନ ତଥ୍ୟ ଯୋଗାଇପାରିବ। ପ୍ରାଥମିକ ଅବସ୍ଥାରେ ଏହି ରୋବୋଟ୍‌ଟି ପାଣି ଭିତରେ କେବଳ ୧୦୦ ମିଟର ପର୍ଯ୍ୟନ୍ତ ଯାଇପାରିବ। ବଜାରର ଆବଶ୍ୟକତା ଅନୁସାରେ ରୋବୋଟ୍‌ର କ୍ଷମତାକୁ ପରିବର୍ତ୍ତିତ କରିବାକୁ ଆମେ ଯୋଜନା ରଖିଛୁ”, କହିଛନ୍ତି ଯୁବ ଉଦ୍ୟୋଗୀ ବିଶ୍ଵଜିତ ସ୍ଵାଇଁ।ବହୁ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କୋରାସିଆ ଟେକ୍ନୋଲୋଜିର ଏହି ରୋବୋଟ୍‌ ପ୍ରଶଂସିତ ହୋଇଥିବା ବେଳେ ସଫ୍ଟୱେୟାର୍ ଟେକ୍ନୋଲୋଜି ପାର୍କସ୍ ଅଫ୍ ଇଣ୍ଡିଆ (ଏସ୍‌ଟିପିଆଇ)ର ଏକ ଟ୍ୟାଲେଣ୍ଟ ହଣ୍ଟ୍ କାର୍ଯ୍ୟକ୍ରମ ‘ଚୁନୌତି ଚ୍ୟାଲେଞ୍ଚ ୨.୦’ରେ ଏହି ରୋବୋଟ୍‌ଟି ସ୍ଥାନ ପାଇଛି। ତେଣୁ ଦୁଇ ଯୁବ ଉଦ୍ୟୋଗୀଙ୍କ ଏହି ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହନ ଦେବାସହ ରୋବୋଟିକ୍ ସଲ୍ୟୁସନର ସେବାକୁ ଲୋକ ଲୋଚନଙ୍କୁ ଆଣିବାରେ ସହାୟକ ହୋଇଛି ଏସ୍‌ଟିପିଆଇ, ଭୁବନେଶ୍ଵର। ପ୍ରାଥମିକ ସ୍ତରରେ ଷ୍ଟାର୍ଟଅପ୍‌କୁ ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେବା ସହ ପରୀକ୍ଷଣ ପାଇଁ ଲାବ୍ରୋଟେରି ସୁବିଧା ଏସ୍‌ଟିପିଆଇ ପକ୍ଷରୁ ଯୋଗାଇ ଦିଆଯାଇଛି।ରୋବୋଟିକ୍ ସଲ୍ୟୁସନ୍‌ର ଏହି ଅତ୍ୟାଧୁନିକ ଜ୍ଞାନକୌଶଳକୁ ଉପଯୁକ୍ତ ବଜାର ଯୋଗାଇବା ସହ ଏହାର ସେବାକୁ କିପରି ଦେଶର ହିତରେ ଲଗାଯାଇ ପାରିବ ସେଥିପାଇଁ ଏସ୍‌ଟିପିଆଇ ସମସ୍ତ ପ୍ରକାର ସହଯୋଗ କରିବ ବୋଲି କହିଛନ୍ତି ଏସ୍‌ଟିପିଆଇ ଭୁବନେଶ୍ଵରର ନିର୍ଦ୍ଦେଶକ ମାନସ ରଞ୍ଜନ ପଣ୍ଡା।

Tags: NITRourkela #Startup #CoratiaTechnologies #STPIBhubaneswar #StartupOdisha #StartupIndia #UnderWaterRobot #ଏସ୍‌ଟିପିଆଇଭୁବନେଶ୍ଵର #ଷ୍ଟାର୍ଟଅପ୍‌

Comment