ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ବେଶ ନାଁ ରହିଛି। ଏଠାରେ ଥିବା ଅଧିକାଂଶ ଡାକ୍ତରଖାନାରେ ବହୁ ଓଡ଼ିଆ ଡାକ୍ତର କାର୍ଯ୍ୟ କରନ୍ତି। ବିଶାଖାପାଟଣାର ମୋଦିକେୟର ଡାକ୍ତରଖାନାରେ କାର୍ଯ୍ୟରତ ଓଡ଼ିଆ ଡାକ୍ତର ଶିବଶଙ୍କର ଦଳାଇ ନିକଟରେ ଏକ ବିରଳ ଅସ୍ତ୍ରୋପଚାର କରି ବଡ଼ ସଫଳତା ହାସଲ କରିଛନ୍ତି।

ଡାକ୍ତର ଶିବଶଙ୍କର ଦଳାଇ ଭାସ୍କୁଲାର ସର୍ଜନ ଭାବେ ବିଶାଖାପାଟଣା ସହ ସାରା ଦେଶରେ ବେଶ ପରିଚିତ। ୧୦ ଦିନ ପୂର୍ବେ ଡାକ୍ତର ଦଳାଇ ଜଣେ ୫୬ ବର୍ଷୀୟ ମହିଳାଙ୍କ ମୁଣ୍ଡରେ ବିରଳ ଅସ୍ତ୍ରୋପଚାର କରିଥିଲେ। ଏହା ସଫଳ ମଧ୍ୟ ହୋଇଛି। ପ୍ରଥମ ଥର ଲାଗି ଭାରତରେ ଏହି ଅସ୍ତ୍ରୋପଚାର କରାଯାଇଥିବା କୁହାଯାଉଛି।

ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶର କାକିନାଡ଼ାର ୫୬ ବର୍ଷୀୟ ମହିଳା ବି. ଭିରା କୁମାରୀଙ୍କ ମୁଣ୍ଡର ଗୋଟିଏ ଧମନୀ ଅତ୍ୟଧିକ ସମ୍ପ୍ରସାରଣ ହେବା ଯୋଗୁଁ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଏହା ପ୍ରଭାବରେ ଅତ୍ୟଧିକ ମୁଣ୍ଡବିନ୍ଧା ସହ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ ଚାଲିଯାଇଥିଲା। ବିଭିନ୍ନ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ଦୌଡ଼ିଥିଲେ ମଧ୍ୟ କୌଣସି ସୁଫଳ ତାଙ୍କୁ ମିଳିନଥିଲା। ପରେ ସେ ଡାକ୍ତର ଶିବଶଙ୍କର ଦଳାଇଙ୍କୁ ଦେଖା କରିଥିଲେ।

ସମସ୍ତ ପରୀକ୍ଷା କରିବା ପରେ ବି. ଭିରା କୁମାରୀଙ୍କ ମୁଣ୍ଡରେ ଗୋଟିଏ ଧମନୀ ଫୁଲିଯିବା ସହ ଏଥିରେ ରକ୍ତ ଚଳପ୍ରଚଳ କରୁନଥିବା ଜଣାପଡ଼ିଥିଲା। ଏହିପରି ରୋଗ ସାରା ଭାରତରେ ବିରଳ ଏବଂ ଏଥିରେ ପୀଡ଼ିତ ୬୦ରୁ ୭୦ ପ୍ରତିଶତ ରୋଗୀ ଚିକିତ୍ସା ଅବହେଳା କିମ୍ବା ରୋଗ ଚିହ୍ନଟ ନହୋଇପାରିବା କାରଣରୁ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ପ୍ରାଣ ହରାଉଥିବା ଡାକ୍ତର ଶିବଶଙ୍କର ଦଳାଇ କହିଛନ୍ତି।

ଏହି ରୋଗ ସମ୍ପର୍କରେ ଅଧିକ ସୂଚନା ଦେଇ ଡାକ୍ତର ଶିବଶଙ୍କର ଦଳାଇ କହିଛନ୍ତି ଯେ, “ମୁଣ୍ଡରେ ଥିବା ଧମନୀମାନଙ୍କରେ ସଠିକ ରୂପେ ରକ୍ତ ଚଳପ୍ରଚଳ ନହେବା, ମୁଣ୍ଡର କୌଣସି ସ୍ଥାନରେ ମାଡ଼ ବାଜି ରକ୍ତ ଜମାଟ ବାନ୍ଧିବା, ଅତ୍ୟଧିକ ମୁଣ୍ଡ ବ୍ୟଥା ହେବା ହେଉଛି ବ୍ରେଇନ ଆନିସରିଜମର ଲକ୍ଷଣ। ଏହାକୁ ଅଣଦେଖା କରିବା ଯୋଗୁଁ ଏହା ଧୀରେ ଧୀରେ ପୀଡ଼ିତଙ୍କୁ ବିପଦ ଆଡ଼କୁ ନେଇଯାଏ। ଠିକ୍ ସମୟରେ ଏହି ରୋଗର ଚିକିତ୍ସା କରାଗଲେ ଜଣେ ରୋଗୀ ସୁସ୍ଥ ହୋଇପାରିବ।”

ଡାକ୍ତର ଦଳାଇ ୧୦ ଜଣିଆ ଟିମ୍ ସହ ମିଶି ଗତ ୧୧ ତାରିଖରେ ବି. ଭିରା କୁମାରୀଙ୍କର ଅସ୍ତ୍ରୋପଚାର କରିଥିଲେ। ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା ଅସ୍ତ୍ରୋପଚାର। ଡାକ୍ତର ଦଳଙ୍କ ପୂର୍ଣ୍ଣ ଉଦ୍ୟମ ଯୋଗୁଁ ସଫଳ ଅସ୍ତ୍ରୋପଚାର ସଫଳ ହୋଇଥିଲା। ମହିଳା ଜଣକ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇ ଘରକୁ ଯାଇଥିବା ଡାକ୍ତର କୁହନ୍ତି।

Tags: #Health #Hospital #Operation #SuccessfulOperation #DrShivashankarDalai #OdiaDoctor

Comment