କପିଳାସ ଭୂୟାଁ

ଆଜି ହକି କଥା ଉଠିଲେ ବିଶ୍ଵସ୍ତରରେ ପ୍ରଥମେ ଆସେ ଓଡ଼ିଶାର ନାଁଏହା ଆମ ରାଜ୍ୟ ଓ ସମସ୍ତ ରାଜ୍ୟବାସୀଙ୍କ ପାଇଁ ଅତ୍ୟନ୍ତ ଗୌରବର କଥା

ଏହାର ସର୍ବପ୍ରଥମ କାରଣ ହେଉଛି ୨୦୧୮ରେ ପ୍ରଥମେ ରାଜଧାନୀ ଭୁବନେଶ୍ଵରରେ ଓ ୨୦୨୩ରେ ଲଗାତାର ଭାବେ ଦ୍ଵିତୀୟ ଥର ପାଇଁ ଏକାଥରକେ ଭୁବନେଶ୍ୱର ଓ ରାଉରକେଲାଠାରେ ପୁରୁଷ ହକି ବିଶ୍ଵକପ୍ ଆୟୋଜନ। ହକି ଖେଳ ପାଇଁ ୨୦୧୮ରେ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମକୁ ନୂଆ ରୂପ ପ୍ରଦାନ ଓ ୨୦୨୩ରେ ରାଉରକେଲାରେ ୨୦ ହଜାର ଆସନ ବିଶିଷ୍ଟ ବିଶ୍ଵର ଚତୁର୍ଥ ବୃହତ୍ତମ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ନିର୍ମାଣ, ଜାନୁଆରି ୫ ତାରିଖରେ ଯାହାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହା ସହିତ ଭାରତୀୟ ହକି ଦଳକୁ ପ୍ରଥମେ ପାଞ୍ଚ ବର୍ଷ ଓ ପରବର୍ତ୍ତୀ କାଳରେ ଆଉ ୧୦ ବର୍ଷ ପାଇଁ ପ୍ରାୟୋଜକ ଭାବେ ସହଯୋଗ ପ୍ରଦାନ ସହ ସମସ୍ତ ସ୍ତରର ହକି ଖେଳାଳିମାନଙ୍କୁ ସେମାନଙ୍କ କ୍ରୀଡ଼ା ସଫଳତା ପାଇଁ ଆର୍ଥିକ ପ୍ରୋତ୍ସାହନ। ହକି ଖେଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଏଭଳି ପଦକ୍ଷେପ ନେବାରେ ସାରା ଦେଶରେ ଓଡ଼ିଶା ହେଉଛି ସର୍ବପ୍ରଥମ। ଉଲ୍ଲେଖନୀୟ ଯେ, ଓଡ଼ିଶାରେ ହକି ଖେଳ ପରମ୍ପରା ଓ ଜାତୀୟ ସ୍ତରରେ ତହିଁରେ ବିଶେଷ ସଫଳତା ହିଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଉତ୍ସାହଜନକ ପଦକ୍ଷେପ ନେବାର ପ୍ରମୁଖ କାରଣ।

ଏହା ମଧ୍ୟରେ ହକି ବିଶ୍ଵକପ୍ ଟ୍ରଫି ସାରା ଦେଶର ୧୨ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପରିକ୍ରମା ସାରି ଗତ ଡିସେମ୍ବର ୨୪ ତାରିଖ ଦିନ ଭୁବନେଶ୍ୱର ଫେରି ଆସିଛି। ଆସନ୍ତା ଜାନୁଆରି ୧୩ ତାରିଖ ଦିନ ଆରମ୍ଭ ହେବାକୁ ଯାଉଥିବା ପୁରୁଷ ହକି ବିଶ୍ଵକପ୍ ଓଡ଼ିଶାର ଖେଳ ପରିବେଶକୁ ଆଶାତୀତ ଭାବେ ଉଷ୍ମ କରିଦେଇଛି। ସାରା ଦେଶକୁ ଏହି ହକି ମହାକୁମ୍ଭ ସହ ଯୋଡ଼ିବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମନ୍ତ୍ରୀଗଣ ଅନ୍ୟାନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଓଡ଼ିଶା ଆସି ହକି ଖେଳ ଦେଖିବାକୁ ବ୍ୟକ୍ତିଗତ ଭାବେ ଯାଇ ନିମନ୍ତ୍ରଣ କରି ଆସିଲେଣି।

ଗୋଟିଏ ପଟେ ଭୁବନେଶ୍ୱର ଏବଂ ରାଉରକେଲା ସହରର ରାସ୍ତାଘାଟ ଓ କାନ୍ଥବାଡ଼ ସଜେଇ ହେଉଥିବାବେଳେ ଅନ୍ୟପଟେ ହକିପ୍ରେମୀ ଦର୍ଶକମାନେ ଅନ୍ତର୍ଜାତୀୟ ସ୍ତରର ହକି ଖେଳ ଦେଖିବାକୁ ଚାତକ ପରି ଚାହିଁ ରହିଛନ୍ତି। ଏବେ ଅବଗଣନା ଆରମ୍ଭ ହୋଇଯାଇଛି। ଆଉ ମାତ୍ର କିଛିଦିନ ପରେ ଏହି ହକି ମହୋତ୍ସବର ଶୁଭ ଉଦଘାଟନ ହେବ।

ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ହକି ଖେଳର ଆରମ୍ଭ ଓ ଅଗ୍ରଗତି ସମ୍ପର୍କରେ କିଛିଟା ଆଲୋଚନା କରାଯାଇପାରେ।

ଖାସି ଟୁର୍ଣ୍ଣାମେଣ୍ଟ: ହକି ଖେଳର ଏକ ବଳିଷ୍ଠ ପରମ୍ପରା

ଓଡ଼ିଶାରେ ହକି କହିଲେ ସୁନ୍ଦରଗଡ଼ରେ ହକି ଖେଳକୁ ବୁଝାଏ। କାରଣ ୟୁରୋପିଆନ ମିସନାରୀ ଦ୍ୱାରା ଉନବିଂଶ ଶତାବ୍ଦୀର ମଧ୍ୟ-ଭାଗରେ ପ୍ରଥମେ ପଡ଼ୋଶୀ  ଛୋଟନାଗପୁରର ଝାଡ଼ଖଣ୍ଡ ରାଜ୍ୟକୁ ହକି ଆସିବା ପରେ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ଆସିଲା। ୧୯୦୭ ମସିହାରେ ମିସନାରୀମାନେ ସେମାନଙ୍କ କାୟା ବିସ୍ତାର କରିବାକୁ ସୁନ୍ଦରଗଡ଼ ଆସିଲେ ଓ ରାଜଗାଙ୍ଗପୁରର କେଶ୍ରାମାଲରେ ୧୯୦୮ ମସିହାରେ ପ୍ରଥମ ଗୀର୍ଜା ସ୍ଥାପନ କଲେ। ଖ୍ରୀଷ୍ଟ ଧର୍ମ ଗ୍ରହଣ କରୁଥିବା ସ୍ଥାନୀୟ ଆଦିବାସୀମାନେ ରବିବାର ସକାଳେ ଗୀର୍ଜାରେ ପ୍ରାର୍ଥନା କରିସାରିବା ପରେ ଯୁବବର୍ଗଙ୍କ ମନ ଟାଣି ରଖିବାକୁ ମିସନାରୀମାନେ ସେମାନଙ୍କୁ ହକି ଖେଳ ଖେଳିବାକୁ ପ୍ରୋତ୍ସାହିତ କଲେ।

ତେବେ ସେତେବେଳେ ହକି ଖେଳିବାକୁ ଆବଶ୍ୟକୀୟ ବାଡ଼ି ନଥିବାରୁ ଆଦିବାସୀ ଯୁବକମାନେ କେନ୍ଦୁଗଛ ଡାଳ କିମ୍ବା ବାଉଁଶ ବତାର ଗୋଟିଏ ମୁଣ୍ଡକୁ ନିଆଁରେ ଗରମ କରି ବାଙ୍କୁଲିବାଡ଼ିରେ କଞ୍ଚା ଥାଲ୍କୋ ଫଳ ନଚେତ କଇଁଥ ବା ଆତ ଫଳ ଉପରେ କପଡ଼ା ଗୁଡ଼େଇ ବଲ୍ କରି ହକି ଖେଳୁଥିଲେ। କେବଳ ଖେଳୁଆଡ଼ ପ୍ରବୃତ୍ତି ଛଡ଼ା ସେଭଳି ହକି ଖେଳ ପଛରେ ଅନ୍ୟ କୌଣସି ବିଶେଷ ଉଦ୍ଦେଶ୍ୟ ନଥିଲା।

କ୍ରମେ ଏଭଳି ହକି ଖେଳ ସ୍ଥାନୀୟ ଆଦିବାସୀମାନଙ୍କ ମଧ୍ୟରେ ଅତ୍ୟନ୍ତ ଜନପ୍ରିୟ ହେବାରେ ଲାଗିଲା। ଗାଁ ଗାଁରେ ଲୋକେ ହକି ଖେଳିବାରେ ଲାଗିଲେ। ଧୀରେ ଧୀରେ ହକି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଲା। ଛୋଟ ପିଲାମାନଙ୍କ ଭିତରେ ଚକଲେଟ ବା ନଡ଼ିଆ ଟୁର୍ଣ୍ଣାମେଣ୍ଟଠାରୁ ଆରମ୍ଭ କରି ଯୁବଗୋଷ୍ଠୀଙ୍କ ମଧ୍ୟରେ ଖାସି ଟୁର୍ଣ୍ଣାମେଣ୍ଟ ହେଲା। ବର୍ତ୍ତମାନ ସୁନ୍ଦରଗଡ଼ରେ ବର୍ଷକୁ ପ୍ରାୟ ୧,୫୦୦ ଗାଁ ସହଯୋଗରେ ପାଖାପାଖି ୨୦୦ ଖାସି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୁଏ। ଯେଉଁ ଗାଁଗୁଡ଼ିକ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇ ଜିତନ୍ତି ସେମାନଙ୍କୁ ଯଥାକ୍ରମେ ବଡ଼, ମଝି ଓ ସାନ ଆକାରର ଖାସି ପୁରସ୍କାର ରୂପେ ମିଳେ। ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସ ପର୍ଯନ୍ତ ଏହି ଖାସି ଟୁର୍ଣ୍ଣାମେଣ୍ଟ ଚାଲେ। ଯେଉଁ ଗାଁ ଯେତେ ଖାସି ଜିତନ୍ତି ସେଗୁଡ଼ିକୁ ବଡ଼ଦିନ ଉତ୍ସବ ପାଳନ ସମୟରେ ଭୋଜି କରି ସାରା ଗାଁ ଲୋକେ ଖାଆନ୍ତି। ପ୍ରକୃତରେ କହିବାକୁ ଗଲେ ଖାସି ଟୁର୍ଣ୍ଣାମେଣ୍ଟ ସୁନ୍ଦରଗଡ଼ର ଗାଁଗୁଡ଼ିକ ପାଇଁ ଉଭୟ ଗର୍ବ ଓ ଗୌରବର କଥା।

ତେଣୁ ବାସ୍ତବ ଦୃଷ୍ଟିରୁ ଖାସି ଟୁର୍ଣ୍ଣାମେଣ୍ଟ ସୁନ୍ଦରଗଡ଼ ଜିଲ୍ଲାରେ ଆଜି ହକି ଖେଳ ପାଇଁ ଏକ ବଳିଷ୍ଠ ପରମ୍ପରାରେ ପରିଣତ ହୋଇଯାଇଛି ଓ ଯୁବପିଢ଼ିଙ୍କୁ ହକି ଖେଳିବାକୁ ବିଶେଷ ଭାବେ ପ୍ରୋତ୍ସାହିତ କରୁଛି।

ଏବେ ସଂସାରପୁର ବଦଳରେ ସୁନ୍ଦରଗ

ଦେଶ ଭିତରେ ହକି ଖେଳାଳି ତିଆରି କରିବାର ମୁଖ୍ୟ ସ୍ଥାନ କହିଲେ ପୂର୍ବରୁ ପଞ୍ଜାବର ଜଳନ୍ଧର ନିକଟସ୍ଥ ସଂସାରପୁର ଗାଁକୁ ବୁଝାଉଥିଲା। କାରଣ ୧୯୩୨ ମସିହା ଲସ୍ଆଞ୍ଜଲସ୍ ଅଲିମ୍ପିକସରୁ ଆରମ୍ଭ କରି ୧୯୭୬ ମଣ୍ଟ୍ରିଲ ଅଲିମ୍ପିକସ ପର୍ଯ୍ୟନ୍ତ ସମସ୍ତ ଭାରତୀୟ ହକି ଦଳରେ ଏହି ଗାଁର କେହି ନା କେହି ଖେଳାଳି ଖେଳୁଥିଲେ। ତା’ ଛଡ଼ା ଆମ ଦେଶ ପକ୍ଷରୁ ସର୍ବାଧିକ ଅଲିମ୍ପିକସ ଖେଳିଥିବା ସର୍ଦ୍ଦାର ଉଦ୍ଧମ ସିଂହ ତଥା ୧୯୭୫ ହକି ବିଶ୍ଵକପ୍ ଜିତିଥିବା ଭାରତୀୟ ହକି ଦଳର ଅଧିନାୟକ ଅଜିତ ପାଲ୍ ସିଂହ ମଧ୍ୟ ଏହି ସଂସାରପୁର ଗାଁର। ତେବେ ସଂସାରପୁର ଗାଁର ସେହି ପରାକାଷ୍ଠା ଏବେ ଆଉ ନାହିଁ କହିଲେ ଚଳେ। ସେ ସ୍ଥାନ ଏବେ ସୁନ୍ଦରଗଡ଼ ଜିଲ୍ଲା ହାତେଇ ନେଇଛି କହିଲେ କିଛି ଭୁଲ ହେବ ନାହିଁ।

ଖାଲି ସେତିକି ନୁହେଁ, ୧୯୨୮ ମସିହାରେ ରାଞ୍ଚିର ଜୟପାଲ ସିଂ ମୁଣ୍ଡାଙ୍କ ଅଧିନାୟକତ୍ଵରେ ଆମଷ୍ଟରଡାମ ଅଲିମ୍ପିକସରେ ଯୋଗଦାନ ସହିତ ପୂର୍ବରୁ ହକି ଖେଳ ପାଇଁ ରାଞ୍ଚି ଯେଉଁ ଗୁରୁତ୍ଵ ପାଉଥିଲା ତାହା ଏବେ ଯଥେଷ୍ଟ ମାତ୍ରାରେ କମି ଯିବା ସହ ସୁନ୍ଦରଗଡ଼ ସେହି ସ୍ଥାନ ଦଖଲ କରି ନେଇଛି ବୋଲି ଅକ୍ଲେଶରେ କୁହାଯାଇପାରେ।

ସୁନ୍ଦରଗଡ଼ରେ ଏବେ ପିଢ଼ି ପରେ ପିଢ଼ି ଅସଂଖ୍ୟ ହକି ଖେଳାଳି ତିଆରି ହେଉଛନ୍ତି। ଖାଲି ସେତିକି ନୁହେଁ, କେବଳ ସୁନ୍ଦରଗଡ଼ରୁ ଏବେ ୮୦ରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ରହିଛନ୍ତି। ସଂସାରପୁରରେ କେବଳ ପୁରୁଷ ହକି ଖେଳାଳି ତିଆରି ହୋଇଥିବାବେଳେ ସୁନ୍ଦରଗଡ଼ରୁ ଉଭୟ ପୁରୁଷ ଓ ମହିଳା ହକି ଖେଳାଳି ସୃଷ୍ଟି ହେଉଛନ୍ତି। ବାସ୍ତବ କ୍ଷେତ୍ରରେ ଦେଖିଲେ ସୁନ୍ଦରଗଡ଼ରୁ ସର୍ବଶ୍ରେଷ୍ଠ ୫୦ ଖେଳାଳିଙ୍କ ମଧ୍ୟରୁ ମହିଳା ହକି ଖେଳାଳିଙ୍କ ସଂଖ୍ୟା ପୁରୁଷ ଖେଳାଳିଙ୍କ ଅପେକ୍ଷା ଅଧିକ। ତେବେ ପୁରୁଷ ଖେଳାଳିଙ୍କ ସହ ସମତାଳରେ ଖେଳୁଥିବା ମହିଳା ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଯଥେଷ୍ଟ ଅଧିକ ପ୍ରଭାବ ବିସ୍ତାର କରି ପାରିଛନ୍ତି। ସେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ତଥା ଫରୱାର୍ଡ ଜ୍ୟୋତି ସୁନିତା କୁଲ୍ଲୁ ହୁଅନ୍ତୁ ଅବା ରକ୍ଷଣଭାଗ ଖେଳାଳି ସୁଭଦ୍ରା ପ୍ରଧାନ, କିମ୍ବା ମଧ୍ୟ-ଭାଗ ଖେଳାଳି ନମିତା ଟପ୍ପୋ ହୁଅନ୍ତୁ ବା ବର୍ତ୍ତମାନ ମହିଳା ଜାତୀୟ ଦଳରେ ଥିବା ରକ୍ଷଣଭାଗ ଖେଳାଳି ତଥା ଦଳର ଉପ-ଅଧିନାୟିକା ଦୀପ ଗ୍ରେସ ଏକ୍କା, କେହି କାହାଠାରୁ କିଛି କମ ନୁହନ୍ତି।  

ସେହି ଭଳି ସୁନ୍ଦରଗଡ଼ର ପୁରୁଷ ଖେଳାଳିମାନେ ମଧ୍ୟ ସେମାନଙ୍କ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ ପାଇଁ ସମସ୍ତଙ୍କର ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ନିଜ ନିଜର ଗରିମା ପ୍ରମାଣିତ କରିଥିବା ସୁନ୍ଦରଗଡ଼ର ପୁରୁଷ ହକି ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଲାଜରୁସ ବାର୍ଲା, ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ, ଅମିତ ରୋହିଦାସ, ଦୀପସାନ ତିର୍କୀ, ନିଲମ ସଞ୍ଜୀପ ଖେସ୍, ଅମନଦୀପ ଲାକ୍ରା, ୱିଲିୟମ ଖାଲ୍‌କୋ ଓ ଆହୁରି ଅନେକ। ସୁନ୍ଦରଗଡ଼ ଯେ ଭଲ ହକି ଖେଳାଳି ତିଆରି କରିବାର ଏକ ମୁଖ୍ୟ କେନ୍ଦ୍ର ପାଲଟିଛି ତା’ର ସର୍ବଶ୍ରେଷ୍ଠ ପ୍ରମାଣ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ।

ସୁନ୍ଦରଗଡ଼ର କିମ୍ବଦନ୍ତୀ ହକି ତାରକା ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ। ୧୯୯୬, ୨୦୦୦ ଓ ୨୦୦୪ରେ ଯଥାକ୍ରମେ ଆଟଲାଣ୍ଟା, ସିଡନି ଓ ଏଥେନ୍ସ ଅଲିମ୍ପିକସରେ ଖେଳିସାରିବା ପରେ ଯଦିଓ ଚତୁର୍ଥ ଥର ବେଜିଂ ଅଲିମ୍ପିକସରେ ଖେଳିବା ତାଙ୍କର ହାତଛଡ଼ା ହୋଇଗଲା, ତଥାପି ସେ ସମୁଦାୟ ୪୧୨ଟି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଖେଳିବା ହେଉଛି ଆମ ଦେଶରେ ସର୍ବାଧିକ ରେକର୍ଡ ଓ ବିଶ୍ଵସ୍ତରରେ ଦ୍ଵିତୀୟ। ପ୍ରାୟ ୧୨ ବର୍ଷରୁ ଊର୍ଦ୍ଧ୍ଵ କାଳ ଖେଳ ଜୀବନ ଭିତରେ ସେ ଭାରତୀୟ ହକି ଦଳର ଅଧିନାୟକ ରହିବା ସହ ଅର୍ଜୁନ ଆୱାର୍ଡ ଓ ଏକଲବ୍ୟ ପୁରସ୍କାର ବିଜେତା। ରକ୍ଷଣ ଭାଗରେ ରହି ନିଜ ଦଳକୁ ସେ ଦେଉଥିବା ସୁରକ୍ଷା ଯୋଗୁଁ ସାରା ବିଶ୍ଵରେ ସମସ୍ତେ ଶ୍ରଦ୍ଧାରେ ତାଙ୍କୁ ‘ଦି ୱାଲ’ ବା ‘କାନ୍ଥ’ ବୋଲି ଅଭିହିତ କରନ୍ତି। କିମ୍ବଦନ୍ତୀ ଖେଳାଳି ମାଇକେଲ କିଣ୍ଡୋଙ୍କ ପରେ ଦିଲ୍ଲୀପ ନିଜକୁ ତାଙ୍କର ଉପଯୁକ୍ତ ଉତ୍ତରାଧିକାରୀ ବୋଲି ପ୍ରମାଣିତ କରିଛନ୍ତି। ଉଲ୍ଲେଖନୀୟ କି ଉଭୟ ମାଇକେଲ ଓ ଦିଲ୍ଲୀପ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟରୁ ଆସିଥିବା ହକି ଖେଳାଳି। କିନ୍ତୁ ଆଦିବାସୀ ସମ୍ପ୍ରଦାୟରୁ ଅଲିମ୍ପିକସରେ ଖେଳିବା କ୍ଷେତ୍ରରେ ସ୍ଵାଧୀନତା ପରେ ଦିଲ୍ଲୀପ ତିର୍କୀ ହେଉଛନ୍ତି ପ୍ରଥମ।

ସୁନ୍ଦରଗଡ଼ରେ ହକି ଖେଳର ପ୍ରସାର  

ସୁନ୍ଦରଗଡ଼ରେ ହକି ଖେଳ ପରମ୍ପରା ପ୍ରାୟ ଏକଶହ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ରହିଥିଲେ ବି ସେଠାରୁ ବାହାରକୁ ଆସିବାକୁ ଲାଗିଗଲା ପ୍ରାୟ ଷାଠିଏ ବର୍ଷ। ୧୯୬୮ ବେଳକୁ ଦିଲ୍ଲୀପଙ୍କ ବାପା ଭିନ୍‌ସେଣ୍ଟ ତିର୍କୀ ସି.ଆର.ପି.ଏଫ୍‌ରେ କାମ କରିବା ସହ ସି.ଆର.ପି.ଏଫ୍‌ ପକ୍ଷରୁ ଜାତୀୟ ସ୍ତରରେ ହକି ଖେଳିଥିବା କଥା ସେ କହନ୍ତି। ତେବେ ପ୍ରଥମ ଥର ପାଇଁ ବିଧିବଦ୍ଧ ଭାବେ ୧୯୮୨ ମସିହାରେ ପିଟର ତିର୍କୀ ଜୁନିଅର ବିଶ୍ଵକପ୍ ଖେଳିବାର ପ୍ରଥମ ସୁଯୋଗ ପାଇଥିଲେ ଓ ତା’ ଦ୍ଵାରା ସୁନ୍ଦରଗଡ଼ର ହକି ପ୍ରତି ଉଭୟ ସରକାର ଓ ଜନସାଧାରଣଙ୍କର ଦୃଷ୍ଟି ପଡ଼ିଥିଲା। ସେତେବେଳେ ମାଇକେଲ କିଣ୍ଡୋ ମଧ୍ୟ ରାଉରକେଲା ଇସ୍ପାତ କାରଖାନାରେ କାମ କରିବା ସହ ସୁନ୍ଦରଗଡ଼ରେ ହକି ଖେଳର ଉନ୍ନତି ପ୍ରତି ଯଥେଷ୍ଟ ଧ୍ୟାନ ଦେଇଥିଲେ। ସେଠାରେ ହକି ଏକାଡେମୀ ପ୍ରତିଷ୍ଠା କରି ଗ୍ରାମାଞ୍ଚଳରୁ ହକି ପ୍ରତିଭାମାନଙ୍କୁ ଆଣି ଉପଯୁକ୍ତ ପ୍ରଶିକ୍ଷଣ ଦେବା ସହ ଭଲ ହକି ଖେଳାଳିରେ ପରିଣତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ପିଟର ତିର୍କୀଙ୍କୁ ରାଉରକେଲା ଇସ୍ପାତ କାରଖାନାରେ ସ୍ପୋଟର୍ସ ଅଫିସର ଭାବେ କାମ କରିବାର ସୁଯୋଗ ସୃଷ୍ଟି କରି ମାଇକେଲ କିଣ୍ଡୋ ନୂଆପିଢ଼ି ହକି ଖେଳାଳି ତିଆରି କରିବାକୁ ଯଥେଷ୍ଟ ଗୁରୁତ୍ଵ ଦେଇଥିଲେ।

ଅନ୍ୟ ପକ୍ଷରେ ପିଟର ତିର୍କୀ ଜୁନିଅର ବିଶ୍ଵକପ୍ ଖେଳିବା ଦ୍ଵାରା ସରକାର ମଧ୍ୟ ହକି ଖେଳ ପ୍ରତି ଧ୍ୟାନ ଦେବା ଆରମ୍ଭ କଲେ। ସେଥି ପାଇଁ ରାଉରକେଲାର ବ୍ରାହ୍ମଣୀ ନଦୀ କୂଳରେ ପାନପୋଷ ଠାରେ ରାଜ୍ୟ ସରକାର ପ୍ରଥମେ ୧୯୮୫ରେ ବାଳକମାନଙ୍କ ପାଇଁ ଓ ୧୯୮୭ରେ ବାଳିକାମାନଙ୍କ ପାଇଁ ସ୍ପୋଟର୍ସ ହଷ୍ଟେଲ ନିର୍ମାଣ କରିବା ସହ ହକି ପ୍ରଶିକ୍ଷଣ ପ୍ରତି ଅଧିକ ଗୁରୁତ୍ଵ ଦେଲେ। ପରବର୍ତ୍ତୀ ସମୟରେ ସାଇ, ସେଲ ଓ ସୁନ୍ଦରଗଡ଼ର ଭବାନୀପୁରଠାରେ ସ୍ପୋଟର୍ସ ହଷ୍ଟେଲ ନିର୍ମାଣ ଓ ପ୍ରଶିକ୍ଷଣ ହକି ଖେଳ ପାଇଁ ଏକ ଉତ୍ସାହଜନକ ପରିବେଶ ସୃଷ୍ଟି କଲା।

ଏହାର ଅନୁକୂଳ ପ୍ରଭାବ କ୍ରମେ ସାରା ସୁନ୍ଦରଗଡ଼ରେ ପରିଲକ୍ଷିତ ହେଲା। ପିଢ଼ି ପରେ ପିଢ଼ି ହକି ପ୍ରତିଭାମାନେ ସେଠାରୁ ବାହାରିବାରେ ଲାଗିଲେ। ଉଭୟ ପୁରୁଷ ଓ ମହିଳା ହକି ଖେଳାଳି ସୃଷ୍ଟି କରିବାରେ ସୁନ୍ଦରଗଡ଼ ଆଜି ସାରା ଦେଶରେ ସବୁଠୁ ଆଗରେ। ୧୯୯୬ରେ ଉଭୟ ଦିଲ୍ଲୀପ ତିର୍କୀ ଓ ଜ୍ୟୋତି ସୁନିତା କୁଲ୍ଲୁ ସେମାନଙ୍କର ଆନ୍ତର୍ଜାତିକ ଯାତ୍ରା ଆରମ୍ଭ କରିବା ପରେ ଏବେ ସୁଦ୍ଧା ସୁନ୍ଦରଗଡ଼ରୁ ଦିଲ୍ଲୀପଙ୍କ ସମେତ ଇଗ୍ନେସ ତିର୍କୀ, ପ୍ରବୋଧ ତିର୍କୀ, ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା ପ୍ରମୁଖ ସମୁଦାୟ ୫ ଜଣ ଭାରତୀୟ ପୁରୁଷ ହକି ଦଳର ଅଧିନାୟକ ହୋଇଥିବାବେଳେ ଜାତୀୟ ମହିଳା ଦଳର ମଙ୍ଗ ସମ୍ଭାଳିଛନ୍ତି ଜ୍ୟୋତିଙ୍କ ସମେତ ସୁଭଦ୍ରା ପ୍ରଧାନ, ବିନିତା ଟପ୍ପୋ ଓ ସୁନିତା ଲାକ୍ରା ଆଦି ଚାରି ଜଣ।

ସେହିଭଳି ସୁନ୍ଦରଗଡ଼ରୁ ସମୁଦାୟ ୧୦ ଜଣ ଅଲିମ୍ପିକସ ହକି ଖେଳାଳି ହେଲେ ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲା, ଓ୍ୱିଲିୟମ ଖାଲଖୋ, ଇଗ୍ନେସ ତିର୍କୀ, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ନମିତା ଟପ୍ପୋ, ସୁନିତା ଲାକ୍ରା, ଲିଲିମା ମିଞ୍ଜ ଓ ଦୀପଗ୍ରେସ୍ ଏକ୍କା। ଦିଲ୍ଲୀପ ତିର୍କୀଙ୍କ ସମେତ ଛ’ ଜଣ ଅର୍ଜୁନ ଆୱାର୍ଡ ବିଜେତା ହେଲେ ଜ୍ୟୋତି ସୁନିତା କୁଲ୍ଲୁ, ଇଗ୍ନେସ ତିର୍କୀ, ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ଦୀପଗ୍ରେସ୍ ଏକ୍କା। ଏହା ବ୍ୟତୀତ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଦିଲ୍ଲୀପ ତିର୍କୀ ଏବଂ ଇଗ୍ନେସ ତିର୍କୀ।

ସୁନ୍ଦରଗଡ଼ ପରି ଆଦିବାସୀ ଅଧ୍ୟୁଷିତ ଏକ ଉପାନ୍ତ ଅଞ୍ଚଳରେ ଗତ ୫୦ ବର୍ଷ ଭିତରେ ହକି ଖେଳର ଯେଉଁ ଉନ୍ନତି ଓ ପ୍ରସାର ସମ୍ଭବ ହୋଇଛି ତାହା ନିଶ୍ଚିତ ରୂପରେ ଆଜି ଏକ ବିରଳ ଉଦାହରଣରେ ପରିଣତ ହୋଇଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

Tags: #Hockey #HockeyInOdisha #Sports #Rourkela #Sundargarh

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ। ମତାମତ ସମ୍ପୂର୍ଣ୍ଣ ନିଜସ୍ଵ)

Comment