ଓଡ଼ିଶାଲାଇଭ୍ ବ୍ୟୁରୋ

ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରବାହ। ତାପମାତ୍ରା କମିବାର ନାଁ ନେଉନି। ଅସହ୍ୟ ଗରମରେ ଛଟପଟ ହେଉଛନ୍ତି ଓଡ଼ିଶାବାସୀ। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସୋମବାର ଦିନ ବାରିପଦାରେ ତାପମାତ୍ରା ୪୪ ଡିଗ୍ରୀ ଟପିଛି। ଏହା ପରେ ବୌଦ୍ଧ ଏବଂ ନୂଆପଡ଼ାରେ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିବାବେଳେ ଝାରସୁଗୁଡ଼ାରେ ୪୩.୪ ପ୍ରତିଶତ ରେକର୍ଡ କରାଯାଇଛି। ସେହିପରି ତାଳଚେର ଏବଂ ସମ୍ବଲପୁରରେ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏହା ସହ ଟିଟିଲାଗଡ଼ ଏବଂ ଅନୁଗୁଳରେ ୪୩ .୧ ଡିଗ୍ରୀ, ବଲାଙ୍ଗୀରରେ ୪୩.୦ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨.୮ ଡିଗ୍ରୀ, ଭବାନୀପାଟଣାରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୨ ଡିଗ୍ରୀ, ସୋନପୁରରେ ୪୧.୭ ଡିଗ୍ରୀ, ହୀରାକୁଦ ଏବଂ କଟକରେ ୪୧.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ସେହିପରି ଢେଙ୍କାନାଳରେ ୪୧.୪ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୧ ଡିଗ୍ରୀ, ବରଗଡ଼ରେ ୪୦.୮ ଡିଗ୍ରୀ, ନୟାଗଡ଼ରେ ୪୦.୫ ଡିଗ୍ରୀ ଏବଂ କେନ୍ଦୁଝରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବାବେଳେ ହୀରାକୁଦରେ ୪୦.୮ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ, ଚାନ୍ଦବାଲିରେ ୩୯.୨ ଡିଗ୍ରୀ, ଭୁବେନଶ୍ଵରରେ ୩୮.୬ ଡିଗ୍ରୀ, ବାଲେଶ୍ଵରରେ ୩୬.୬ ଡିଗ୍ରୀ ପୁରୀରେ ୩୪ ଡିଗ୍ରୀ, ଗୋପାଳପୁରରେ ୩୩.୮ ଡିଗ୍ରୀ ଏବଂ ପାରାଦୀପରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଏହା ପୂର୍ବରୁ ପାଣିପାଗ କେନ୍ଦ୍ରର ରେକର୍ଡ ଅନୁଯାୟୀ ସକାଳ ୧୧ଟା ୩୦ ସୁଦ୍ଧା ଝାରସୁଗୁଡ଼ାରେ ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ସମ୍ବଲପୁରରେ ୩୯.୮ ଡିଗ୍ରୀ, କେନ୍ଦୁଝରରେ ୩୯.୪ ଡିଗ୍ରୀ, ଭୁବନେଶ୍ଵରରେ ୩୮.୬ ଡିଗ୍ରୀ, ବାଲେଶ୍ଵର ଏବଂ ହୀରାକୁଦରେ ୩୮.୪ ଡିଗ୍ରୀ, ଚାନ୍ଦବାଲିରେ ୩୭.୬ ଡିଗ୍ରୀ, ଗୋପାଳପୁରରେ ୩୬ ଡିଗ୍ରୀ, ପୁରୀରେ ୩୪ ଡିଗ୍ରୀ ଏବଂ ପାରାଦୀପରେ ୩୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ଏପ୍ରିଲ ୧୮ ତାରିଖରେ ମଧ୍ୟ ଝାରସୁଗୁଡ଼ାରେ ତାପମାତ୍ରା ୪୨ ଡିଗ୍ରୀ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୧୯ ତାରିଖରେ ମଧ୍ୟ ଝାରସୁଗୁଡ଼ା ତାପମାତ୍ରା ୪୨ ଡିଗ୍ରୀ ରହିବ। ଝାରସୁଗୁଡ଼ା ପରେ ବୌଦ୍ଧ ଏବଂ ଅନୁଗୁଳ, ରାଉରକେଲା, ଭବାନୀପାଟଣା, ଟିଟିଲାଗଡ଼ର ତାପମାତ୍ରା ୪୧ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି।

ଏପ୍ରିଲ ୨୦ ତାରିଖରେ ଝାରସୁଗୁଡ଼ାରେ ତାପମାତ୍ରରେ ସାମାନ୍ୟ ହ୍ରାସ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏପ୍ରିଲ ୨୧ ତାରିଖରେ ମଧ୍ୟ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ହେବା ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

Tags: #Weather #WeatherUpdates #Summer #HeatWave #Odisha

Comment