ଓଡ଼ିଶାଲାଇଭ୍ ବ୍ୟୁରୋ

ବାହାନଗା ସିରିଜ ରେଳ ଦୁର୍ଘଟଣା। ଭାରତୀୟ ରେଳ ଇତିହାସର ଏକ ବଡ଼ ଦୁର୍ଘଟଣା। ଏହା ପଛରେ କ’ଣ ରହିଛି ଅସଲ କାରଣ? ଏବେ, ଏହି କାରଣ ଖୋଜିବ ସିବିଆଇ।

ରେଳ ମନ୍ତ୍ରାଳୟ ପାଇଁ ‘କମିଶନର ଅଫ ରେଲଓ୍ଵେ ସେଫ୍ଟି’ ବା ସିଆରଏସ ଭଳି ଏକ ବଡ଼ ତଦନ୍ତ ବ୍ୟବସ୍ଥା ରହିଥିଲେ ମଧ୍ୟ ରେଲଓ୍ଵେ ବୋର୍ଡ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି। ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଭୁବନେଶ୍ଵରଠାରେ ଏହି ବଡ଼ ଘୋଷଣା କରିଛନ୍ତି।

୪ ଜୁନ, ରବିବାର। ଦୁର୍ଘଟଣାର ତୃତୀୟ ଦିନ। ଏହି ଅବସରରେ ଦିଲ୍ଲୀରେ ରେଲଓ୍ଵେ ବୋର୍ଡ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ବାହାନଗା ଟ୍ରେନ ଟ୍ରାଜେଡି ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଛି ସେ ବିଷୟ ସ୍ପଷ୍ଟ ହୋଇଯାଇଛି। ତେବେ, ତଦନ୍ତର ଗୋପନୀୟତା ଦୃଷ୍ଟିରୁ ଏ ବାବଦରେ ଅଧିକ ସୂଚନା ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ରେଲଓ୍ଵେ ବୋର୍ଡର ‘ଅପରେସନ ଆଣ୍ଡ ବିଜନେସ ଡେଭେଲପମେଣ୍ଟ’ ସଦସ୍ୟ ଜୟା ବର୍ମା ସିହ୍ନା।

ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି

ରବିବାର ଅପରାହ୍ଣରେ ଦିଲ୍ଲୀରେ ରେଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ପ୍ରାୟ ଏକ ଘଣ୍ଟା ଧରି ଏହି ସାମ୍ବାଦିକ ସମ୍ମିଳନୀରେ ଦୁର୍ଘଟଣା ସମ୍ପର୍କରେ ଟିକିନିଖି ବର୍ଣ୍ଣନା କରିଥିଲେ। ମୁଖ୍ୟତଃ ସିଗନାଲ ବ୍ୟବସ୍ଥାରେ ବ୍ୟବହାର କରାଯାଉଥିବା ଇଲେକ୍ଟ୍ରୋନିକ୍ ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି ଯୋଗୁଁ ଏଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି ବୋଲି ସେମାନେ ସଫେଇ ଦେଇଥିଲେ। ତେବେ ଏହି ତ୍ରୁଟି ପଛରେ କାହାର କିଛି ସିଧାସଳଖ ହାତ ରହିଛିକି ନାହିଁ ସେ ବିଷୟରେ କିଛି ସ୍ପଷ୍ଟ କରିବାକୁ ଅଧିକାରୀମାନେ ମନା କରିଦେଇଥିଲେ।

ଏହି ସାମ୍ବାଦିକ ସମ୍ମିଳନୀର କିଛି ଘଣ୍ଟା ମଧ୍ୟରେ କେନ୍ଦ୍ର ସରକାର ନେଇଛନ୍ତି ଆଉ ଏକ ବଡ଼ ନିଷ୍ପତ୍ତି। ଟ୍ରେନ ଦୁର୍ଘଟଣାର ତଦନ୍ତକୁ କମିଶନର ଅଫ ରେଲଓ୍ଵେ ସେଫ୍ଟି ମଧ୍ୟରେ ସୀମିତ ନରଖି ସରକାର ଏହାକୁ ସିବିଆଇ ହାତକୁ ଟେକି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଦୁର୍ଘଟଣାର କାରଣକୁ ନେଇ ସାଧାରଣରେ ଅଧିକ ସନ୍ଦେହ ସୃଷ୍ଟି ହୋଇଛି।

ବାହାନଗା ସିରିଜ ରେଳ ଦୁର୍ଘଟଣାରେ ବହୁ ଜୀବନ ହାନୀ ଘଟିଛି। ଆହତଙ୍କ ସଂଖ୍ୟା ଏକ ହଜାର ଟପିଛି। କରମଣ୍ଡଳ ଏକ୍ସପ୍ରେସ୍ ପୂର୍ବ ଭାରତ ସହ ଦକ୍ଷିଣ ଭାରତକୁ ଯୋଡ଼ୁଥିବା ଏକ ପ୍ରମୁଖ ଟ୍ରେନ। ସେହିପରି ଦୁର୍ଘଟଣାରେ ଯୋଡ଼ି ହୋଇଥିବା ଯଶବନ୍ତପୁର ଏକ୍ସପ୍ରେସ୍ ମଧ୍ୟ ଏ ଦୃଷ୍ଟିରୁ ଏକ ପ୍ରମୁଖ ଟ୍ରେନ ଭାବେ ପରିଚିତ। ତେଣୁ ମୃତ ଓ ଆହତଙ୍କ ମଧ୍ୟରେ ବିଭିନ୍ନ ପ୍ରଦେଶର ଲୋକ ରହିଛନ୍ତି। ଏହି ଦୁର୍ଘଟଣା ବାସ୍ତବରେ ସାରା ଭାରତକୁ ଦୋହଲାଇ ଦେଇଛି। ତେଣୁ ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ହୁଏତ କୌଣସି ରିକ୍ସ ନେବାକୁ ଚାହୁଁ ନାହାନ୍ତି!

ବାହାନଗା – ଦୁର୍ଘଟଣା ନା ଷଡ଼ଯନ୍ତ୍ର?

ରେଳ ଦୁର୍ଘଟଣାର ସିବିଆଇ ତଦନ୍ତ ପ୍ରସ୍ତାବ ଏକ ନାଟକୀୟ ମୋଡ଼ ନେଇଛି। ଏହି ଘଟଣା ପଛରେ କୌଣସି ଷଡ଼ଯନ୍ତ୍ର ବା କାହାର ଅପରାଧିକ ହାତ ରହିଛି କି? ରେଳମନ୍ତ୍ରୀ କହିଛନ୍ତି ଯେ, ପାରପାର୍ଶ୍ଵିକ ସ୍ଥିତି ଏବଂ ପ୍ରଶାସନିକ ସୂଚନାକୁ ଆଧାର କରି ସିବିଆଇ ତଦନ୍ତ ଲାଗି ସୁପାରିଶ କରାଯାଉଛି। ଏହି ପ୍ରଶାସନିକ ସୂଚନା କ’ଣ ହୋଇପାରେ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି।

ଦୁର୍ଘଟଣାର ୧୮ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଘଟଣା ପଛରେ ଯାହାର ହାତ ଥାଉନା କାହିଁକି ତାକୁ କଠୋର ଦଣ୍ଡ ଦିଆଯିବ ବୋଲି ମୋଦୀ ମିଡିଆକୁ କହିଥିଲେ। ତେଣୁ ରବିବାର ସନ୍ଧ୍ୟାରେ ରେଳ ମନ୍ତ୍ରୀ ଦୁର୍ଘଟଣାର ସିବିଆଇ ତଦନ୍ତ ଘୋଷଣା କରିବା ମୂଳ ବିଷୟକୁ ଅଧିକ ଗମ୍ଭୀର କରିଦେଇଛି।

ବାହାନଗା ରେଳ ଦୁର୍ଘଟଣା କେନ୍ଦ୍ର ସରକାରଙ୍କ ପାଇଁ ଏବେ ବଡ଼ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଓଡ଼ିଶାରେ ଆଗରୁ ଏତେ ବଡ଼ ଦୁର୍ଘଟଣା ଘଟିନଥିଲା। ତେଣୁ ଏହାକୁ ନେଇ ନବୀନଙ୍କ ଶାସିତ ଓଡ଼ିଶାରେ ଲୋକଙ୍କ ମନରେ ଗଭୀର କ୍ଷୋଭ ପ୍ରକାଶ ପାଇଛି। ସେହିପରି ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡ଼ୁ ଏବଂ କର୍ଣ୍ଣାଟକ – ଏହି ୪ଟି ପ୍ରଦେଶର ଅଧିକ ଯାତ୍ରୀ କ୍ଷତିଗ୍ରସ୍ତ ହୋଇଛନ୍ତି। ସଂଯୋଗ କ୍ରମେ ଏହି ୪ଟି ହେଉଛି ଅଣ ବିଜେପି ପ୍ରଦେଶ। ତେଣୁ ୨୦୨୪ ନିର୍ବାଚନ ଥିବାରୁ ମୋଦୀ ସରକାର ନିଜକୁ ବଞ୍ଚାଇବା ପାଇଁ ଘଟଣାର ସିବିଆଇ ତଦନ୍ତ ବାଟ ବାଛି ଥାଇପାରନ୍ତି ବୋଲି ମତ ପ୍ରକାଶ ପାଉଛି।

ରେଲଓ୍ଵେ ବୋର୍ଡର ସଫେଇ

ବାହାନଗା ସିରିଜ ଟ୍ରେନ ଦୁର୍ଘଟଣା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ରେଲଓ୍ଵେ ବୋର୍ଡର ବରିଷ୍ଠ ଅଧିକାରୀ ଜୟା ବର୍ମା ସିହ୍ନା। ସେ ସ୍ପଷ୍ଟ କରିଛନ୍ତି ଯେ, ସାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ଏହାର ନିର୍ଦ୍ଧାରିତ ବେଗକୁ ଟପି ନଥିଲା। ସେହିପରି ଟ୍ରେନର ପାଇଲଟ ସବୁଜ ସଙ୍କେତ ପାଇଥିଲେ। କିନ୍ତୁ ଇଲେକ୍ଟ୍ରୋନିକ ଇଣ୍ଟର ଲକିଂରେ ତ୍ରୁଟି ଯୋଗୁଁ ଟ୍ରେନଟି ମେନ୍ ଲାଇନରେ ନଯାଇ ଲୁପ୍ ଲାଇନକୁ ଚାଲିଯାଇଥିଲା। ଫଳରେ ସେହି ଏକା ଲାଇନରେ ଆଗରୁ ଠିଆ ହୋଇଥିବା ଏକ ଲୁହା ପଥର ବୋଝେଇ ମାଲବାହୀ ଗାଡ଼ିର ପଛପଟୁ ଧକ୍କା ଦେଇଥିଲା କରମଣ୍ଡଳ ଏକ୍ସପ୍ରେସ।

ସେହିପରି, ପାଖାପାଖି ସମୟରେ ବେଙ୍ଗାଳୁରୁରୁ କଲିକତା ଯାଉଥିବା ଯଶବନ୍ତପୁର ଏକ୍ସପ୍ରେସ୍ ବାହାନଗା ଷ୍ଟେସନ ପାସ୍ କରୁଥିଲା। କରମଣ୍ଡଳ ଏକ୍ସପ୍ରେସର ବଗି ଛିଟିକି ଯାଇ ଯଶବନ୍ତପୁର ଏକ୍ସପ୍ରେସର ଶେଷ ଦୁଇଟି ବଗି ସହ ଧକ୍କା ଖାଇଥିଲା। ଏହି ଦୁଇଟି ଥିଲା ଜେନେରାଲ ବଗି। ଏହି ମାଡ଼ରେ ଯଶବନ୍ତପୁର ଏକ୍ସପ୍ରେସର ଶେଷ ବଗି ଦୁଇଟି ମୂଳ ଟ୍ରେନରୁ ବିଚ୍ଛିନ୍ନ ହୋଇ ଦୁର୍ଘଟଣାର ଶିକାର ହୋଇଥିଲା।

ଏଥିରୁ ସ୍ପଷ୍ଟ ହୋଇଛି ଯେ, କରମଣ୍ଡଳ ଏକ୍ସପ୍ରେସର ସମସ୍ତ ବଗି ସହ ଯଶବନ୍ତପୁର ଏକ୍ସପ୍ରେସର ଦୁଇଟି ବଗି ଦୁର୍ଘଟଣାରେ ବିଶେଷ ଭାବେ ପ୍ରଭାବିତ ହୋଇଛି। କରମଣ୍ଡଳ ଏକ୍ସପ୍ରେସ ଲୁହା ପଥର ବୋଝେଇ ମାଲଗାଡ଼ିକୁ ପିଟିଥିବାରୁ ଟ୍ରେନ ଉପରେ ଏଭଳି ଗୁରୁତର ପ୍ରଭାବ ପଡ଼ିଛି ବୋଲି ରେଳ ମନ୍ତ୍ରାଳୟ ସ୍ପଷ୍ଟ କରିଛି।

ଏହି ଟ୍ରେନ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଆଉ ଭାରତ ଭିତରେ ସୀମିତ ହୋଇ ରହିନାହିଁ। ଏହା ଏକ ଅନ୍ତର୍ଜାତୀୟ ଖବର ପାଲଟି ଯାଇଛି। ତେଣୁ ଘଟଣାକୁ ନେଇ ସାରା ଦେଶରେ ରେଳ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାହାନଗା ଦୁର୍ଘଟଣାରେ ୩ଟି ଟ୍ରେନ ସାମିଲ ହୋଇଥିବାରୁ ଏହା ମଧ୍ୟ ଏକ ଜଟିଳ ଓ ନାଟକୀୟ ଘଟଣା ଭଳି ରୂପ ନେଇଛି। ତେବେ ଗଣମାଧ୍ୟମ ଓ ସାଧାରଣର ଚର୍ଚ୍ଚା ବା ସମାଲୋଚନାକୁ ବୋଧହୁଏ ସହଜରେ ଗ୍ରହଣ କରିପାରୁ ନାହାନ୍ତି ରେଳବାଇ କର୍ତ୍ତୃପକ୍ଷ। ତେଣୁ ରବିବାର ଦିନ ସାମ୍ବାଦିକ ସମ୍ମିଳନୀରେ ରେଲଓ୍ଵେ ବୋର୍ଡର ‘ଅପରେସନ ଆଣ୍ଡ ବିଜନେସ ଡେଭେଲପମେଣ୍ଟ’ ସଦସ୍ୟ ଜୟା ବର୍ମା ସିହ୍ନା ବିଭିନ୍ନ ପ୍ରକାର ଆଲୋଚନାକୁ ‘ମିସ୍ ଇନଫର୍ମସେନ’ ବୋଲି କହିବାକୁ ପଛାଇ ନାହାନ୍ତି।

‘କବଚ’କୁ ନେଇ ଚର୍ଚ୍ଚା

ବାହାନଗା ଦୁର୍ଘଟଣା ପରେ ‘କବଚ’ ବିଷୟରେ ଦେଶରେ ଜୋରଦାର ଆଲୋଚନା ହେଉଛି। ରେଳ ସୁରକ୍ଷା ପାଇଁ ପ୍ରସ୍ତାବିତ ଏହି ଅତ୍ୟାଧୁନିକ ଜ୍ଞାନକୌଶଳ ମୋଦୀ ସରକାର କେବେ ଲାଗୁ କରିବେ ବୋଲି ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ‘କବଚ’କୁ ନେଇ ଏବେ ପରୀକ୍ଷଣ ଚାଲିଛି। ତେଣୁ ଆଗାମୀ ଦିନରେ ଏହାର ପ୍ରୟୋଗ କରାଯିବ ବୋଲି ରେଲଓ୍ଵେ ବୋର୍ଡ ଜବାବ ରଖିଛି।

ଆଗରୁ ଭାରତରେ ଅନେକ ଛୋଟବଡ଼ ରେଳ ଦୁର୍ଘଟଣା ଘଟିଛି। ହେଲେ ବାହାନଗା ସିରିଜ ରେଳ ଦୁର୍ଘଟଣା ସବୁଠାରୁ ଅଲଗା। ଏହି ଘଟଣାର ଯେକେହି ବି ତଦନ୍ତ କରୁନ୍ତୁ ନା କାହିଁକି ଏହାର ଫଳାଫଳ ଉପରେ ଓଡ଼ିଶାବାସୀ, ବିଶେଷ କରି ସବୁ ଭାରତୀୟ ରେଳ ଯାତ୍ରୀଙ୍କର ନଜର ରହିବ। ତେଣୁ ଏ ଦିଗରେ ରେଳବାଇ କର୍ତ୍ତୃପକ୍ଷ ସଚେତନ ହେବା ଦରକାର।

Tags: #BahanagaTrainTragedy #CBIInvestigation #TrainAccident

Comment