ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ବିରୋଧୀ ଦଳଙ୍କ ନିଷ୍ପତ୍ତି।  

ଓଡ଼ିଶା ବିଧାନସଭାର ବାଚସ୍ପତି ନିର୍ବାଚନକୁ ବର୍ଜନ କରିବ ବିଜେପି। ନୂଆଁଖାଇ ସମୟରେ ଏହି ନିର୍ବାଚନ ହେଉଥିବାରୁ ଦଳ ଏହାର ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଶୁକ୍ରବାର ରେଙ୍ଗାଳିର ବିଜେପି ବିଧାୟକ ନାଉରୀ ନାୟକ ସୂଚନା ଦେଇଛନ୍ତି। ଏହାପୂର୍ବରୁ କଂଗ୍ରେସ ମଧ୍ୟ ବାଚସ୍ପତି ନିର୍ବାଚନକୁ ବର୍ଜନ କରିବାକୁ ଘୋଷଣା କରିସାରିଛି।

“ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ସମୟରେ ବାଚସ୍ପତି ନିର୍ବାଚନକୁ ରଖିଛନ୍ତି। ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ସବୁ ବିରୋଧୀ ଦଳ ଦାବି କରିଥିଲେ ମଧ୍ୟ ସରକାର ତାହାକୁ ଶୁଣିଲେ ନାହିଁ। ନୂଆଁଖାଇ ପରଦିନ ବାଚସ୍ପତି ନିର୍ବାଚନ ରହୁଥିବାରୁ ପଶ୍ଚିମ ଓଡ଼ିଶାର ବିଧାୟକମାନଙ୍କୁ ଏଥିରେ ସାମିଲ ହେବାକୁ ଅସୁବିଧା ହେବ”, କହିଛନ୍ତି ନାଉରୀ ନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, ନୂଆଁଖାଇ ସମୟରେ ବାଚସ୍ପତି ନିର୍ବାଚନ ରଖି ପଶ୍ଚିମ ଓଡ଼ିଶାର ଜନଭାବନାକୁ ଆଘାତ କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆମେ ଏହାକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛୁ।”

ଅନ୍ୟପଟେ ବିଜେପି ପୂର୍ବରୁ କଂଗ୍ରେସ ପକ୍ଷରୁ ମଧ୍ୟ ବାଚସ୍ପତି ନିର୍ବାଚନକୁ ବର୍ଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଗୁରୁବାର କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏନେଇ ଘୋଷଣା କରିଥିଲେ।

ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ। ଏହାପୂର୍ବରୁ ସେପ୍ଟେମ୍ବର ୨୧ ତାରିଖରେ ବାଚସ୍ପତି ନିର୍ବାଚନ କରାଯିବାକୁ ଧାର୍ଯ୍ୟ କରାଯାଇଛି।

Tags: #OdishaAssembly #SpeakerElection #OppositionBoycott #BJP #Congress #Odisha

Comment