ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ହାଇଟେକ୍ ହସ୍ପିଟାଲ ବିସ୍ଫୋରଣରେ ପ୍ରାଣ ହରାଇଥିବା ଦିଲ୍ଲୀପ ସାମନ୍ତରାୟ ବର୍ତ୍ତମାନ ଜୀବିତ, ଏହା ସ୍ପଷ୍ଟ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

୨୦୨୩ ଡିସେମ୍ବର ୨୯ ତାରିଖରେ ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟି ୪ ଜଣ ଗୁରୁତର ଆହତ ହୋଇଥିଲେ। ଡିସେମ୍ବର ୩୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ଜଟଣୀ ବଅଁଙ୍ଗ ଗାଁର ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ହସ୍ପିଟାଲ ପକ୍ଷରୁ ଘୋଷଣା କରାଯାଇଥିଲା। ପରିବାର ଲୋକେ ଦିଲ୍ଲୀପଙ୍କ ମୃତଦେହ ନେଇ ସଂସ୍କାର କାର୍ଯ୍ୟ କଲେ। ଏପରିକି ଦିଲ୍ଲୀପଙ୍କର ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ ଆତ୍ମହତ୍ୟା କଲେ। କିନ୍ତୁ ମୃତ ଦିଲ୍ଲୀପ ସାମନ୍ତରାୟ ଜୀବିତ ଥିବା ଆଜି ଜଣାପଡ଼ିଛି। ଏହି ଖବର ଏବେ ନାନା ଦ୍ଵନ୍ଦ୍ଵ ସୃଷ୍ଟି କରିଛି।

ଏହି ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇ ଜ୍ୟୋତିରଞ୍ଜନ ମଲ୍ଲିକ ଭାବେ ଯେଉଁ ଆହତଙ୍କର ଚିକିତ୍ସା କରାଯାଉଥିଲା, ପ୍ରକୃତରେ ସେ ଜ୍ୟୋତିରଞ୍ଜନ ନୁହଁନ୍ତି ବରଂ ଦିଲ୍ଲୀପ ସାମନ୍ତରାୟ। ଏକ ସାମ୍ବାଦିକ ସମ୍ମିଳନୀରେ ହସ୍ପିଟାଲ କର୍ତ୍ତୃପକ୍ଷ ଏହି ସୂଚନା ଦେବା ପରେ ଏହାକୁ ନେଇ ଚାଲିଛି ଟଣାଓଟରା।

ମୃତ୍ୟୁକୁ ନେଇ ଦ୍ଵନ୍ଦ୍ଵ

ଯଦି ମୃତ ଘୋଷଣା ହୋଇଥିବା ଦିଲ୍ଲୀପ ସାମନ୍ତରାୟ ଜୀବିତ ଅଛନ୍ତି, ଜ୍ୟୋତିରଞ୍ଜନ ମଲ୍ଲିକ କୁଆଡ଼େ ଗଲେ ବୋଲି ଜ୍ୟୋତିଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ଗତ ବର୍ଷ ଡିସେମ୍ବର ୩୧ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିବା ଘୋଷଣା କରାଯାଇଥିବାବେଳେ ଜାନୁଆରି ୩ ତାରିଖରେ ଅନ୍ୟ ଜଣେ ଆହତ ପୁରୀ ଜିଲ୍ଲା ଡେଲାଙ୍ଗ ଚାଇଁପୁର ଗାଁର ଶ୍ରୀତମ ସାହୁଙ୍କର ମୃତ୍ୟୁ ହୋଇଥିଲା।

ଜ୍ୟୋତିରଞ୍ଜନ ମଲ୍ଲିକ ଏବଂ ସୀମାଞ୍ଚଳ ବିଶ୍ଵାଳଙ୍କର ଚିକିତ୍ସା କରାଯାଉଥିଲା। ଗୁରୁବାର ଦିନ ଜ୍ୟୋତିରଞ୍ଜନ ଏବଂ ସୀମାଞ୍ଚଳଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଥିଲା। ଜ୍ୟୋତିରଞ୍ଜନ ମଲ୍ଲିକ ନାଁରେ ଯେଉଁ ଆହତ ବ୍ୟକ୍ତି ଚିକିତ୍ସିତ ହେଉଥିଲେ, ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ଦାବି କରିଛନ୍ତି। ଏହାକୁ ନେଇ ଦ୍ଵନ୍ଦ୍ଵ ସୃଷ୍ଟି ହୋଇଛି।

ଯଦି ଦିଲ୍ଲୀପ ସାମନ୍ତରାୟ ବଞ୍ଚିଛନ୍ତି ଜ୍ୟୋତିରଞ୍ଜନ କୁଆଡ଼େ ଗଲେ ବୋଲି ପ୍ରଶ୍ନ କରିଛନ୍ତି ଜ୍ୟୋତିରଞ୍ଜନଙ୍କ ବାପା। ଜ୍ୟୋତିରଞ୍ଜନଙ୍କ ବାପା ଦାବି କରିଛନ୍ତି ମୃତ ହୁଅନ୍ତୁ ବା ଜୀବତ ଯଥା ଶୀଘ୍ର ତାଙ୍କ ପୁଅକୁ ହସ୍ପିଟାଲ କର୍ତ୍ତୃପକ୍ଷ ଫେରାଇ ଦିଅନ୍ତୁ।

ଦିଲ୍ଲୀପଙ୍କ ମୃତ୍ୟୁ ଖବର ଶୁଣି ଆତ୍ମହତ୍ୟା କରିଥିଲେ ପତ୍ନୀ

ହାଇଟେକ ହସ୍ପିଟାଲ ବିସ୍ଫୋରଣରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ଦିଲ୍ଲୀପ ସାମନ୍ତରାୟଙ୍କର ମୃତ୍ୟୁ ହୋଇଥିଲା। ସ୍ଵାମୀଙ୍କ ମୃତ୍ୟୁ ଖବର ଶୁଣି ନୂଆବର୍ଷ, ସୋମବାର ଦିନ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ପତ୍ନୀ ସୋନୁ।

ଏପଟେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଝିଅର ଜୀବନ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ସୋନୁଙ୍କ ବାପା।

ଗୋଟିଏ ପଟେ ଦିଲ୍ଲୀପଙ୍କର ମୃତଦେହ ଭାବି ପରିବାର ଲୋକେ ଅନ୍ତିମ ସଂସ୍କାର କରିଥିବାବେଳେ ଜ୍ୟୋତିରଞ୍ଜନଙ୍କ ପରିବାର ଲୋକ ନିଜ ପୁଅକୁ ଅପେକ୍ଷା କରିଛନ୍ତି।

ଏବେ ନିଜକୁ ଦିଲ୍ଲୀପ ବୋଲି ପରିଚୟ ଦେଉଥିବା ଯୁବକଙ୍କର ଡିଏନଏ ପରୀକ୍ଷା କରାଯିବା ପରେ ମୃତ-ଜୀବିତକୁ ନେଇ ଲାଗି ରହିଥିବାର ଦ୍ଵନ୍ଦ୍ଵ ଦୂର ହେବ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଛି।

Tags: #HiTechHospital #Death #DeathMystery #Bhubaneswar #GasExplosion #Odisha

Comment