ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜରାସ୍ତାରେ ପୁଣି ଲଢ଼େଇ। ଧସ୍ତାଧସ୍ତି ହେଲେ ଗ୍ରାମ ରୋଜଗାର ସେବକ ଏବଂ ପୋଲିସ। ଲାଠି ମାଡ଼ରେ ଲହୁଲୁହାଣ ହେଲେ ୨୦ରୁ ଅଧିକ ଜିଆର୍‌ଏସ୍‌। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଆଜି ଭୁବନେଶ୍ବରର ଲୋୟର ପିଏମ୍‌ଜିରେ। ଦାବି ପୂରଣ ନେଇ ଧାରଣା ଦେଇଥିବା ନିଖିଳ ଓଡ଼ିଶା ଗ୍ରାମ ରୋଜଗାର ସେବକ ସଂଘର ସଦସ୍ୟଙ୍କୁ ପୋଲିସ ଆଜି ଏହି ପୁରସ୍କାର ଦେଇଛି। ଦାବି ତ ପୂରଣ ହେଲାନି, ସରକାର ପୋଲିସ ପାହାର ଦେଇ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚାହୁଁଥିବା ସଂଘ ଅଭିଯୋଗ କରିଛି।
୧୨ ବର୍ଷ ହେଲା ଠିକା କର୍ମଚାରୀ ଭାବେ କାମ କରୁଛନ୍ତି ଗ୍ରାମ ରୋଜଗାର ସେବକ। ସ୍ଥାୟୀ ନିଯୁକ୍ତି ପାଇଁ ବାରମ୍ବାର ସଂଘ ଦାବି କରି ଆସୁଥିଲେ ମଧ୍ୟ ସରକାର ଶୁଣୁ ନାହାନ୍ତି। ଖାଲି ମିଥ୍ୟା ଆଶ୍ବାସନା ଦେଉଛନ୍ତି। ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହେବାରୁ ଆଜି ପୁଣି ଗ୍ରାମ ରୋଜଗାର ସେବକମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ପିଏମ୍‌ଜି ରାସ୍ତାରେ ଧାରଣା ଦେଇଥିଲେ। ଫଳରେ ଏହି ରାସ୍ତାରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ପୋଲିସ ଧାରଣାକାରୀଙ୍କୁ ରାସ୍ତାରୁ ହଟିବା ପାଇଁ କହିଥିଲା। ହେଲେ ଧାରଣାରତ ଜିଆର୍‌ଏସ୍‌ମାନେ ରାସ୍ତାରୁ ନଉଠିବାରୁ ପୋଲିସ ଲାଠି ଚାଳନା ଆରମ୍ଭ କରିଥିଲା। ପୋଲିସ ଲାଠି ମାଡ଼ରେ ୨୦ରୁ ଅଧିକ ଜିଆର୍‌ଏସ୍‌ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
 

Comment