ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛାତ୍ରଛାତ୍ରୀଙ୍କ ସହ ପ୍ରଥମ ଥର ପାଇଁ ଭାବବିନିମୟ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଶେଷ ହୋଇଛି ପ୍ରସ୍ତୁତି। କ୍ୟାପିଟାଲ ହାଇସ୍କୁଲ ପଡ଼ିଆରୁ ଟିଭି ମାଧ୍ୟମରେ ୬ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ।

  • ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ କରିବେ ସମ୍ବୋଧନ
  • ୪୫ ମିନିଟ୍ ଧରି ଦୂରଦର୍ଶନରେ ହେବ ସିଧାପ୍ରସାରଣ
  • ରାଜ୍ୟର ୬ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀ ଦେଖିବା ପାଇଁ କରାଯାଇଛି ସୁବିଧା
  • ପ୍ରତି ସ୍କୁଲ୍‌ରେ ଲାଗାଯାଇଛି ପ୍ରୋଜେକ୍ଟର

ରାତି ପାହିଲେ ଶିଶୁ ଦିବସ। ଶିଶୁଙ୍କ ଆଗରେ ପ୍ରଥମ ଥର ପାଇଁ ମନର କଥା କହିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ରାଜଧାନୀ ଭୁବନେଶ୍ବରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ କରାଯାଇଛି ବ୍ୟାପକ ପ୍ରସ୍ତୁତି। ଶିଶୁମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଦେବାକୁ ଯାଉଥିବା ପରାମର୍ଶ ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ କରାଯିବ। ଏଥିପାଇଁ ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏପଟେ କ୍ୟାପିଟାଲ ହାଇସ୍କୁଲ ପଡ଼ିଆ ପରିସରରେ ବି ପଞ୍ଚାୟତିରାଜ ବିଭାଗ ତରଫରୁ କରାଯାଇଛି ବ୍ୟାପକ ଆୟୋଜନ।

ଶିଶୁ ଦିବସ ଉପଲକ୍ଷେ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜନ କରାଯାଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ୨୫ଟି ସ୍କୁଲର ପ୍ରାୟ ୫ ହଜାର ଛାତ୍ରଛାତ୍ରୀ ଉପସ୍ଥିତ ରହିବେ। ପୂର୍ବାହ୍ନ ୧୧ଟା୧୫ରୁ ୧୨ଟା ଯାଏଁ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମ ଦୂରଦର୍ଶନ ଏବଂ ଅନ୍ୟ ଘରୋଇ ଟିଭି ଚ୍ୟାନେଲ ମାଧ୍ୟମରେ ସିଧା ପ୍ରସାରଣ କରାଯିବ। ଏହି  ସିଧାପ୍ରସାରଣକୁ ରାଜ୍ୟର ୬୨ ହଜାର ସ୍କୁଲର ୬ ଲକ୍ଷ ୬୦ ହଜାର ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ କରାଯାଇଛି ବ୍ୟାପକ ଆୟୋଜନ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେବା ବେଳେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ବ୍ୟକ୍ତିମାନେ ମଞ୍ଚ ଉପରେ ଉପସ୍ଥିତ ରହିବେ। ଗଣମାଧ୍ୟମର କିଛି ସମ୍ପାଦକଙ୍କ ସମେତ କ୍ରୀଡା ଏବଂ ଫିଲ୍ମ ଜଗତର ସେଲିବ୍ରିଟି ଉପସ୍ଥିତ ରହିବେ। ବରିଷ୍ଠ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସରଙ୍କୁ ମଞ୍ଚ ଉପରେ ଦେଖିବାକୁ ମିଳିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି ବୋଲି ଆଲୋଚନା ହେଉଛି। ଏହାସହ ପିଲାଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ଲାଗି ନିଷ୍ପତ୍ତି ହୋଇଛି।

ଶିଶୁ ଦିବସ ଉଲପେକ୍ଷ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି। କୃତୀ ପ୍ରତିଯୋଗୀଙ୍କୁ ଶିଶୁ ଦିବସରେ ପୁରସ୍କୃତ କରାଯିବ।

ମୁଖ୍ୟମନ୍ତ୍ରୀଙ୍କୁ କାର୍ଯ୍ରକ୍ରମକୁ ପିଲମାନେ କେମିତି ଭଲଭାବେ ଦେଖିପାରିବେ ସେନେଇ ଗଣଶିକ୍ଷା ବିଭାଗ ତରଫରୁ ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କୁ ପରାମର୍ଶ ଦିଆଯାଇଛି। ପରିଚାଳନା କମିଟିର ସଦସ୍ୟ ସବୁ ଅଭିଭାବକଙ୍କୁ ମଧ୍ୟ ଏନେଇ ସୂଚନା ଦେଇଛନ୍ତି। ପିଲାମାନଙ୍କୁ ୧୧ଟା୧୫ରୁ ୧୨ଟା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ  କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ଦେବା ଲାଗି କୁହାଯାଇଛି। ବ୍ଲକ ତରଫରୁ ପ୍ରତି ସ୍କୁଲରେ ଗୋଟିଏ ଦିନ ପାଇଁ ଟିଭି ଲଗାଇବାର ବ୍ୟବସ୍ଥା କରାଯାଇଛି। ଯେଉଁଠି ଟିଭି ଲଗାଇବାର ସୁବିଧା ନାହିଁ ସେଠାକାର ପଞ୍ଚାୟତ ମୁଖ୍ୟାଳୟରେ ପ୍ରୋଜେକ୍ଟର ଲଗାଇବାର ବ୍ୟବସ୍ଥା କରାଯାଇଛି।

Comment