ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୨୦୧୮ ସୁଦ୍ଧା ୨୦ ଲକ୍ଷ ପକ୍କାଘର ନିର୍ମାଣ ଶେଷ କରିବାକୁ ନିର୍ଦ୍ଦେଶ
  • ଉପଯୁକ୍ତ ହିତାଧିକାରୀଙ୍କୁ ଘର ଯୋଗାଇବାକୁ ପରାମର୍ଶ
  • ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ
  • ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୧୧ ହଜାର ୨୮୦ ଘର ହୋଇଛି ପକ୍କା

ଗ୍ରାମାଞ୍ଚଳ ଭିତ୍ତିଭୂମି ସୁଦୃଢ଼ ଉପରେ ଫୋକସ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶେଷକରି ଗ୍ରାମାଞ୍ଚଳର ପକ୍କା ଘର ଯୋଜନା ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଡିସେମ୍ବର ୨୦୧୮ ସୁଦ୍ଧା ଗ୍ରାମାଞ୍ଚଳରେ ୨୦ ଲକ୍ଷ ପକ୍କାଘର ନିର୍ମାଣ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୪-୧୫ ଆର୍ଥିକ ବର୍ଷରୁ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟର ସବୁ କଚ୍ଚାଘରକୁ ପକ୍କାଘର କରିବା ପାଇଁ ରାଜ୍ୟ ସରକାର ତାଙ୍କ ନିଜସ୍ୱ ପାଣ୍ଠିରୁ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୪ ଲକ୍ଷ ୧୧ ହଜାର ୨୮୦ଟି ପକ୍କାଘର ସମ୍ପୂର୍ଣ୍ଣ ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାଯାଇଛି।

ଗ୍ରାମ୍ୟ ଗୃହ ନିର୍ମାଣ କ୍ଷେତ୍ରରେ ସଠିକ ହିତାଧିକାରୀ ଯେପରି ଘର ପାଇପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବା ସହିତ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ପ୍ରତ୍ୟେକ ଦିନ ୧୦୦୦ରୁ ଅଧିକ ପକ୍କାଘର ନିର୍ମାଣ କରାଯାଉଛି ବୋଲି ବୈଠକରୁ ଜଣାପଡ଼ିଛି।

ବୈଠକରେ ପକ୍କାଘର ନିର୍ମାଣ ସହିତ ହିତାଧିକାରୀର ଜୀବିକା ଉପରେ ମଧ୍ୟ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି। ପ୍ରତ୍ୟେକ ହିତାଧିକାରୀଙ୍କୁ ଛେଳି ଚାଷ, କୁକୁଡ଼ା ଚାଷ, ଜିଆ ଖତ, ଗୋପାଳନ ଆଦି ବିଭିନ୍ନ ରୋଜଗାରକ୍ଷମ କାର୍ଯ୍ୟକ୍ରମରେ ସାମିଲ କରାଯାଉଛି । ସ୍ଥାନୀୟ ଭାବରେ ଉପଲବ୍ଧ ନିର୍ମାଣ ସାମଗ୍ରୀର ଉପଯୋଗ କରି ଶୀଘ୍ର ଗୃହ ନିର୍ମାଣ କରିବା ପାଇଁ ତୁର୍କୀସ୍ଥିତ ସିବିଆରଆଇ ସଂସ୍ଥାର ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରାଯାଉଛି ବୋଲି ବୈଠକରେ ସୂଚନା ଦିଆଯାଇଥିଲା ।

ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ରାଜେଶ ବର୍ମା, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଦେଓରଞ୍ଜନ ସିଂ ଉପସ୍ଥିତ ଥିଲେ ।

Comment