ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ପ୍ରଭାରି ଅରୁଣ ସିଂ। କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ସରକାର ବିଫଳ ବୋଲି ସେ କହିବା ସହ ଓଡ଼ିଶାରେ ଜଙ୍ଗଲରାଜ ଚାଲିଛି ବୋଲି ବହିକୁ ପଛାଇ ନାହାନ୍ତି ବିଜେପି ପ୍ରଭାରି।

ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ପ୍ରଭାରି ଅରୁଣ ସିଂ। ଭୁବନେଶ୍ବରରେ ଶ୍ରୀ ସିଂ ପହଞ୍ଚିବା ପରେ ସିଧାସଳଖ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିଛନ୍ତି। କୁନ୍ଦୁଲି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ସେ ବର୍ଷିବା ସହ ପୋଲିସର କାର୍ଯ୍ୟକଳାପକୁ ସମାଲୋଚନା କରିଛନ୍ତି।

“କୁନ୍ଦୁଲି ପୀଡ଼ିତା ନ୍ୟାୟ ପାଇବା ପାଇଁ ସାଢ଼େ ୩ ମାସ କାଳ ସଂଘର୍ଷ କରିଥିଲେ। ପୋଲିସ ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଗୁହାରି କରି ବିଫଳ ହେବା ପରେ ଶେଷରେ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ ନେଇଛନ୍ତି। ଏହି ଘଟଣାକୁ ଚପାଇ ଦେବାକୁ ପ୍ରୟାସ କରାଯାଇଛି”, କହିଛନ୍ତି ଅରୁଣ ସିଂ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟରେ ଜଙ୍ଗଲରାଜ ଚାଲିଛି। ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ସିଂହ ପରାମର୍ଶ ଦେଇଛନ୍ତି।

ଉତ୍ତର ପ୍ରଦେଶ କଥା ମନେ ପକାଇ ଶ୍ରୀ ସିଂହ କହିଛନ୍ତି ଯେ, କୁଶାସନ ଓ ଗୁଣ୍ଡାଗର୍ଦ୍ଦି କାରଣରୁ ସମାଜବାଦ ପାର୍ଟି ଭିତରେ ଅନ୍ତଃକନ୍ଦଳ ବୃଦ୍ଧି ପାଇଥିଲା। ଫଳରେ ଏହି ଦଳକୁ ଉତ୍ତରପ୍ରଦେଶ ସରକାର ପ୍ରତ୍ୟାଖାନ କରିଥିଲେ। ଉତ୍ତରପ୍ରଦେଶ ଭଳି ଓଡ଼ିଶାରେ ମଧ୍ୟ ସମାନ ଘଟଣା ଘଟିବ ବୋଲି ଅରୁଣ ସିଂ କହିଛନ୍ତି।

Comment