ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାଁର ବିକାଶରେ ରାଜ୍ୟର ବିକାଶ। ଏହି ମନ୍ତ୍ରକୁ ଦେଶ ବିଦେଶରେ ଥିବା ଓଡ଼ିଆମାନଙ୍କ କାନରେ ଫୁଙ୍କୁଛି ‘ଅସୀମ ଓଡ଼ିଶା’। ରାଜ୍ୟର ବିଭିନ୍ନ ଗ୍ରାମର ବିକାଶ ଲକ୍ଷ୍ୟ ନେଇ ଏହି ଓଡ଼ିଆ ସଙ୍ଗଠନ ଯେଉଁ ଯୋଜନା କରିଛି ତା’ର ଏକ ତାଜା ଚିତ୍ର ହେଉଛି କଟକ ଜିଲ୍ଲାର ବାଙ୍କେଶ୍ୱର ଗାଁ।

  • କଟକ ଜିଲ୍ଲା କୋର୍‌କୋରା ଗାଁରୁ ଆରମ୍ଭ
  • ଯୁବ ଓ ଛାତ୍ରଙ୍କ ପାଇଁ ତିଆରି ହେଲା ପାଠାଗାର
  • କମ୍ପ୍ୟୁଟର ତାଲିମ୍ ପାଇଁ ବ୍ୟବସ୍ଥା
  • ସ୍ଥାନୀୟ ଚାଷୀଙ୍କ ବିକାଶ ପାଇଁ ସହଯୋଗର ହାତ
  • ସାଂସ୍କୃତିକ ବିକାଶ ଓ ମନୋରଞ୍ଜନ ପାଇଁ ବ୍ୟବସ୍ଥା

ଦେଶ ବିଦେଶରେ ଥିବା ବିଭିନ୍ନ ଓଡ଼ିଆ ସଙ୍ଗଠନକୁ ନେଇ ଗଢ଼ି ଉଠିଥିବା ସାମୂହିକ ଅନୁଷ୍ଠାନ ‘ଅସୀମ ଓଡ଼ିଶା’ ରାଜ୍ୟରେ କେତେକ ଜନହିତକର କାମ ହାତକୁ ନେଇଛି। ଗାଁର ବିକାଶ ପଥରେ ଯୋଡ଼ି ହେବାର ଲକ୍ଷ୍ୟ ନେଇ ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି ଆଦର୍ଶ ଗ୍ରାମ ପରିକଳ୍ପନା। ଏହି କ୍ରମରେ ପ୍ରଥମ ଦଫାରେ କଟକ ଜିଲ୍ଲା ବାରଙ୍ଗ ବ୍ଲକ କୋର୍‌କୋରା ପଞ୍ଚାୟତର ବାଙ୍କେଶ୍ୱର ଗାଁକୁ ବାଛିଥିଲା ଅସୀମ ଓଡ଼ିଶା। ସେଠାରେ ଅନୁଷ୍ଠାନ ପକ୍ଷରୁ ନିର୍ମାଣ କରାଯାଇଥିବା ପାଠାଗାର ଶୁକ୍ରବାର ଦିନ ଉଦଘାଟିତ ହେବାକୁ ଯାଉଛି।

ବାଙ୍କେଶ୍ୱର ଗାଁରେ ହୋଇଥିବା ଏହି ଉନ୍ନୟନ କାର୍ଯ୍ୟର ଲୋକାର୍ପଣ ଉତ୍ସବରେ କଟକ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ନିଆଳି ବିଧାୟକ ଡାକ୍ତର ପ୍ରମୋଦ ମଲ୍ଲିକ ଏବଂ ସ୍ଥାନୀୟ ପଞ୍ଚାୟତିରାଜ ପ୍ରତିନିଧିମାନେ ଯୋଗଦେବେ ବୋଲି ଅସୀମ ଓଡ଼ିଶାର ଜାତୀୟ ସଭାପତି କ୍ଷୀରୋଦ କୁମାର ଜେନା ‘ଓଡ଼ିଶାଲାଇଭ୍‌’କୁ କହିଛନ୍ତି।

ଗାଁର ଯୁବକ ଏବଂ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ପାଠାଗାର ବେଶ୍‌ ଉପଯୋଗୀ ହେବ। ଏଠାରେ ବିଭିନ୍ନ ପ୍ରକାରର ବହିପତ୍ର ସହ କମ୍ପ୍ୟୁଟରର ବ୍ୟବସ୍ଥା କରାଯାଇଛି। ଗାଁର ଆଗ୍ରହୀ ଯୁବକ ଯୁବତୀଙ୍କୁ କମ୍ପ୍ୟୁଟର ତାଲିମ୍ ଦେବା ପାଇଁ ମଧ୍ୟ ବିଧିବଦ୍ଧ ବ୍ୟବସ୍ଥା କରାଯାଉଛି।

ସେହିପରି ଗ୍ରାମବାସୀଙ୍କ ମନୋରଞ୍ଜନ ପାଇଁ ଏହି କେନ୍ଦ୍ରରେ ଟେଲିଭିଜନ ଯୋଗାଇ ଦିଆଯାଇଛି। ସ୍ଥାନୀୟ ଲୋକଙ୍କ ସାଂସ୍କୃତିକ ବିକାଶ ପାଇଁ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ମଧ୍ୟ ଯୋଗାଇ ପ୍ରଦାନ କରାଯାଇଛି।

“ଓଡ଼ିଶାର ଗାଁଗୁଡ଼ିକର ଉନ୍ନତି ପାଇଁ ଦେଶ ବିଦେଶରେ ଥିବା ଓଡ଼ିଆ ଭାଇ ଭଉଣୀମାନେ କିଭଳି ସହଯୋଗର ହାତ ବଢ଼ାଇ ପାରିବେ ସେ ଦିଗରେ ଅସୀମ ଓଡ଼ିଶା କାମ କରୁଛି। ପ୍ରଥମ ପର୍ଯ୍ୟାୟରେ ଆମେ କଟକ ଜିଲ୍ଲାର ବାଙ୍କେଶ୍ୱର ଗାଁରେ କେତେକ କାର୍ଯ୍ୟ କରିବାକୁ ଚେଷ୍ଟା କରିଛୁ। ଗାଁର ପିଲାଙ୍କ ପାଇଁ ପାଠାଗାର ହେଉ କି କମ୍ପ୍ୟୁଟର ଶିଖିବା ପାଇଁ ବ୍ୟବସ୍ଥା; ପଞ୍ଚାୟତର ଚାଷୀମାନଙ୍କ ବିକାଶ ପାଇଁ କାର୍ଯ୍ୟକ୍ରମ ହେଉ ବା ଜଳାଶୟର ପୁନରୁଦ୍ଧାର – ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଓ ଇଚ୍ଛା ଅନୁଯାୟୀ ଆମେ ଏହିସବୁ ଜନହିତକର କାମ କରିବା ପାଇଁ ଆଗେଇ ଆସିଛୁ”, କହିଛନ୍ତି ଅସୀମ ଓଡ଼ିଶାର ଜାତୀୟ ସଭାପତି କ୍ଷୀରୋଦ କୁମାର ଜେନା।

ପାଠାଗାର ନିର୍ମାଣ ସହ ସେହି ଗାଁରେ ଦୁଇଟି ପୋଖରୀର ମଧ୍ୟ ପୁନରୁଦ୍ଧାର କରାଯାଇଛି। ପରିତ୍ୟକ୍ତ ହୋଇପଡ଼ିଥିବା ଏହି ଜଳାଶୟଗୁଡ଼ିକରେ ଜୀବନ ସଞ୍ଚାର କରିବା ସହ ଗ୍ରାମବାସୀଙ୍କ ସୁବିଧା ପାଇଁ ପୋଖରୀ ଚାରିପଟେ ପଥର ପ୍ୟାକିଂ ଏବଂ ତୁଠ ତିଆରି କରାଯାଇଛି। ସେହିପରି କୋର୍‌କୋରା ପଞ୍ଚାୟତର ଅନ୍ୟ ଗାଁଗୁଡ଼ିକରେ ଅସୀମ ଓଡ଼ିଶା ପକ୍ଷରୁ ସ୍ୱଚ୍ଛ ଭାରତ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି।

“କେବଳ ସେତିକି ନୁହେଁ, ବାଙ୍କେଶ୍ୱର ଗାଁରେ ସୌରଚାଳିତ ଷ୍ଟ୍ରିଟ୍‌ ଲାଇଟ୍ ଲଗାଇବା ପାଇଁ ଆମେ ବ୍ୟବସ୍ଥା କରୁଛୁ। ଗାଁର ଆବଶ୍ୟକତା ଅନୁଯାୟୀ ଏହା କରାଯିବ। ଆମେ ଚାହୁଁଛୁ, ଦେଶ ବିଦେଶରେ ଥିବା ଓଡ଼ିଆ ଅନୁଷ୍ଠାନ ଏବଂ ଓଡ଼ିଆ ଭାଇଭଉଣୀମାନେ ରାଜ୍ୟର ବିଭିନ୍ନ ଅଞ୍ଚଳର ବିକାଶ ପାଇଁ ସହଯୋଗ କରିବାକୁ ଆଗେଇ ଆସନ୍ତୁ। ଅସୀମ ଓଡ଼ିଶା ବାଙ୍କେଶ୍ୱର ଗାଁରେ ଏହି ଯେଉଁ କାମ କରିଛି ସେମାନେ ତାକୁ ଉଦାହରଣ ଭାବେ ନେଇପାରିବେ”, କହିଛନ୍ତି ଅସୀମ ଓଡ଼ିଶାର ଚିଫ୍‌ ମେଣ୍ଟର୍ ନିହାର ସାମନ୍ତରା।

କୋର୍‌କୋରା ଏକ ଚାଷୀବହୁଳ ଅଞ୍ଚଳ। ଏଠାରେ ବର୍ଷ ସାରା ପନିପରିବା ଚାଷ ହୋଇଥାଏ। ତେବେ ଆବଶ୍ୟକ ଜ୍ଞାନ କୌଶଳ ଏବଂ ବଜାର ସଂଯୋଗ ଅଭାବରୁ ଅନେକ ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପାଇପାରୁ ନାହାନ୍ତି। ତେଣୁ ସେମାନେ କିପରି ସେମାନଙ୍କ ଫସଲକୁ ଠିକ୍ ଭାବେ ମାର୍କେଟିଂ କରିପାରିବେ ଏବଂ ଉଚିତ୍ ମୂଲ୍ୟ ପାଇବେ ସେଥିପାଇଁ ଅସୀମ ଓଡ଼ିଶା ପକ୍ଷରୁ ଆମେ କେତେକ ବ୍ୟବସ୍ଥା ଗ୍ରହଣ କରିଛୁ”, କହିଛନ୍ତି କ୍ଷୀରୋଦ କୁମାର ଜେନା।

ଓଡ଼ିଶା ଏବଂ ଭାରତ ବାହାରେ ରହୁଥିବା ଓଡ଼ିଆମାନଙ୍କୁ ଏକାଠି କରି ଓଡ଼ିଶାର ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ ପ୍ରୟାସ କରି ଆସୁଛି ଅସୀମ ଓଡ଼ିଶା। ବିଶେଷକରି ଓଡ଼ିଶା ବାହାରେ ଓଡ଼ିଆଙ୍କ ସାଂସ୍କୃତିକ ପରିଚୟର ଜାଗରଣ କରିବା ସହ ରାଜ୍ୟର ବିକାଶରେ ସାମିଲ୍ ହେବା ପାଇଁ ସେମାନଙ୍କୁ ଉତ୍ସାହିତ କରିବା ଏହି ସଙ୍ଗଠନର ମୂଳ ଲକ୍ଷ୍ୟ।

ଅସୀମ ଓଡ଼ିଶାର ପ୍ରମୁଖ କର୍ମକର୍ତ୍ତା ଡକ୍ଟର ଦେବଦତ୍ତ ସିଂହଦେଓ, ପିଙ୍କିସ୍ ପ୍ରଧାନ ଓ ଦିଲ୍ଲୀପ ଶତପଥୀ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ବାଙ୍କେଶ୍ୱରରେ ଏହି କାର୍ଯ୍ୟକ୍ରମ ଗତ ପ୍ରାୟ ୬ ମାସ ଧରି ଜାରି ରହିଥିଲା।

Comment