ଓଡ଼ିଶାଲାଇଭ୍‌ ବ୍ୟୁରୋ

ରତ୍ନଭଣ୍ଡାର ଚାବି କିଏ ହଜାଇଲା? ଏହାକୁ ପ୍ରସଙ୍ଗ କରି ବିଜେପି ରାଜ୍ୟ ସରକାରଙ୍କୁ ଜବାବ ମାଗିଛି। ଜବାବ ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେପି।

  • ରତ୍ନଭଣ୍ଡାର ଚାବିକୁ ନେଇ ତେଜିଲା ବିବାଦ
  • ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ମାଗିଲା ବିଜେପି
  • ଜଗନ୍ନାଥଙ୍କୁ ଅବହେଳା କରୁଛନ୍ତି ସରକାର: ବିଜେପି
  • ସିଂହଦ୍ୱାର ଆଗରେ ଜଗନ୍ନାଥ ସେନା ବିକ୍ଷୋଭ
  • ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି

ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ନେଇ ତେଜିଛି ବିବାଦ। ବିଜେପି ରାଜ୍ୟ ସରକାରଙ୍କୁ ଜବାବ ମାଗିଥିବା ବେଳେ ଶ୍ରୀମନ୍ଦିର ସିଂହଦ୍ୱାର ପାଖରେ ଜଗନ୍ନାଥ ସେନା ବିକ୍ଷୋଭ ପ୍ରଦର୍ଶନ କରିଛି। ଚାବି କେମିତି ହଜିଲା ତାର ସ୍ପଷ୍ଟୀକରଣ ଦାବି କରିଛି ବିଜେପି।

ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର ଚାବି ହଜିଯିବା ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି ଆଜି ସାମ୍ବାଦିକ ସମ୍ମିଳନୀ ଡାକିଥିଲା। ଏଥିରେ ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଦାୟିତ୍ୱ ହୀନତାକୁ ଦାୟୀ କରିଥିଲେ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଦାବି କରିଛନ୍ତି।

“ରାଜ୍ୟ ସରକାର ଜଗନ୍ନାଥଙ୍କୁ ଅବହେଳା କରୁଛନ୍ତି। ୨ ମାସ ହେଲା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଚାବି ହଜିଥିଲେ ବି ଚାବି ଖୋଜିବା ପାଇଁ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ସରକାର ମହାପ୍ରଭୁଙ୍କୁ ଅବହେଳା କରୁଥିବା ସ୍ପଷ୍ଟ ହୋଇଯାଇଛି। ଏ ସମ୍ପର୍କରେ ନିଜେ ମୁଖ୍ୟମନ୍ତ୍ରୀ ବିବୃତି ରଖନ୍ତୁ”, କହିଛନ୍ତି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ।

ଚାବି କିଏ, କେବେ ଏବଂ କିପରି ହଜାଇଲା ତାହା ସାଧାରଣ ଲୋକେ ଜାଣିବାକୁ ଚାହୁଁଛନ୍ତି। ମହାପ୍ରଭୁଙ୍କ ରତ୍ନଭଣ୍ଡାର ଭିତର ଚାବି ହଜିବା ଉଦବେଗର ବିଷୟ। ଚାବି ହଜିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉତ୍ତର ନଦେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି।

ଜଗନ୍ନାଥ ସେନା ଏବଂ ପୁରୀ ସଚେତନ ନାଗରିକ ମଞ୍ଚ ସିଂହଦ୍ୱାର ସମ୍ମୁଖରେ ବିକ୍ଷେଭ କରିଛି। ଚାବି କିଏ ଏବଂ କେମିତି ହଜାଇଲା ତାର ଉତ୍ତର ଦେବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛି ପ୍ରଶାସନ। ଏହାସହ ରାଜ୍ୟ ସରକାରଙ୍କ ବେପରୁଆ ନୀତିକୁ ସମାଲୋଚନା କରିଛି ଜଗନ୍ନାଥ ସେନା।

ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, “ରତ୍ନଭଣ୍ଡାର ଚାବି ହଜିବା ୨ ମାସ ହେଲା ଜଣାପଡ଼ିଲାଣି। ହେଲେ ଏପର୍ଯ୍ୟନ୍ତ ଜିଲ୍ଲାପାଳ ଏବଂ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଚୁପ୍ ରହିଛନ୍ତି? ଥାନାରେ କାହିଁକି ଏତଲା ଦିଆଯାଇନାହିଁ? ଆଇନ ମନ୍ତ୍ରୀ କାହିଁକି ନୀରବ ରହିଛନ୍ତି? ରତ୍ନଭଣ୍ଡାର ଚାବି ହଜିବା ଛୋଟିଆ ଘଟଣା ନୁହେଁ। ଯଦି ପ୍ରଶାସନ ଚାବିକୁ ସୁରକ୍ଷା ଦେଇପାରୁ ନାହିଁ ତାହାଲେ ରତ୍ନଭଣ୍ଡାର ଭିତରେ ଅଳଙ୍କାର କିପରି ସୁରକ୍ଷିତ ରହିଥିବ ତାହା ସ୍ପଷ୍ଟ ଜଣାପଡ଼ୁଛି।”

ଏପ୍ରିଲ ୪ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ସର୍କିଟ୍‍ ହାଉସଠାରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏକ ଜରୁରୀକାଳୀନ ବୈଠକ ବସିଥିଲା। ଏହି ବୈଠକରେ ରତ୍ନ ଭଣ୍ଡାର ଚାବି ମିଳୁନଥିବା ସମ୍ପର୍କରେ ଆଲୋଚନା ହୋ‍ଇଥିଲା। ଏହା ଶୁଣି କମିଟି ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରିରେ ରହିଥାଏ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରତ୍ନ ଭଣ୍ଡାର ଭିତରକୁ ଏପ୍ରିଲ ୪ ତାରିଖରେ ପ୍ରବେଶ କରିଥିଲେ ସ୍ୱତନ୍ତ୍ର ଟିମ୍‌। ସେମାନେ ଭିତର ରତ୍ନ ଭଣ୍ଡାରକୁ ନଯାଇ ବାହାରୁ ଭିତର ରତ୍ନ ଭଣ୍ଡାରର ଯାଞ୍ଚ କରି ଫେରି ଆସିଥିଲେ। ବାହାରେ ରହି ଭିତର ରତ୍ନଭଣ୍ଡାର ଦେଖି ହେଉଥିବାରୁ ଟିମ୍ ଭିତରକୁ ଯିବା ପାଇଁ ଚାହିଁ ନଥିଲେ ବୋଲି ଶ୍ରୀମନ୍ଦିର ପ୍ରଶାସକ ଗଣମାଧ୍ୟମକୁ କହିଥିଲେ। କିନ୍ତୁ କିଛିଦିନ ପରେ ଜିଲ୍ଲା ଟ୍ରେଜେରିରେ ଚାବି ନଥିବା ଜଣାପଡ଼ିଥିଲା। ଚାବି କୁଆଡ଼େ ଗଲା ତାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି।

Comment